Unknown

 

 

 

 

 

 

 

 

 

 

 

କ୍ଳାନ୍ତ ବୃହନ୍ନଳା

ସୁନୀଲ ମିଶ୍ର

 

ଉତ୍ସର୍ଗ

 

ଏ ଉପନ୍ୟାସର ନାୟକ ମେଜର୍‌ ମାଥୁର୍‌ଙ୍କ ପରି ଯେଉଁମାନେ ଜୀବନ ସଂଗ୍ରାମରେ ଅସହାୟ ଆଉ କ୍ଳାନ୍ତ ସେହିମାନଙ୍କୁ......

 

—ଲେଖକ—

 

‘‘ତୁମେ ସେଇ ମହାଭାରତର ବୃହନ୍ନଳାବେଶୀ ଅର୍ଜ୍ଜୁନଙ୍କୁ ଜାଣ ମିଃ ମାଥୁର ?’’ ମୁଖରେ ଧୂଆଁର କୁଣ୍ଡଳୀ ସୃଷ୍ଟିକରି ପଚାରନ୍ତି ବ୍ରିଗେଡ଼ିୟର୍‌ ଶର୍ମାସାହେବ ?

 

‘‘ଜାଣେ ସାହେବ ! ବହୁଦିନ ତଳେ ଛାତ୍ର ଜୀବନରେ ମହାଭାରତ ପଢ଼ିଥିଲି । ବୋଧହୁଏ ସେତେବେଳେ ବୟସ ମୋର ପନ୍ଦର କିମ୍ୱା ଷୋହଳ । ଅଜା ଭାରି ଧର୍ମଭକ୍ତ । ମହାଭାରତ ରାମାୟଣ ପୋଥି ପ୍ରାୟ ସବୁଦିନେ ସେ ପଢ଼ୁଥିଲେ । ପାଖରେ ବସି ମହାଭାରତର ସେଇ ଗୌରବମୟ କାହାଣୀ ଶୁଣିବା ପରେ କର୍ଣ୍ଣ, ଅର୍ଜ୍ଜୁନ ଦୁଃଶାସନଙ୍କର ବୀରତ୍ୱରେ ମୁଁ ମୁଗ୍ଧ ହୋଇଥିଲି । ସୈନ୍ୟବାହିନୀରେ ଯୋଗଦେବା ପାଇଁ ମହାଭାରତର ବୀରମାନେ ହିଁ ମୋର ଥିଲେ ଆଦ୍ୟ ପ୍ରେରଣା’’ ।

 

ବ୍ରିଗେଡ଼ିୟର ଶର୍ମାସାହେବ ଅଳ୍ପ ହସିଦେଲେ । କିଛି ସମୟ ପାଇଁ ଅବସନ୍ନ ଦେହଟାକୁ ଚେୟାର ଉପରେ ଆଉଜାଇ ଦେଲେ । ସିଗାରେଟ୍‌ଟାଏ ବଢ଼େଇଦେଲେ ମେଜର୍‍ ମାଥୁର୍‌ଙ୍କ ହାତକୁ । କିଛି ସମୟ ପରେ ନୀରବତା ଭାଙ୍ଗି ମେଜର୍‍ ମାଥୁର ପ୍ରଶ୍ନକଲେ, ରାତି ବର୍ତ୍ତମାନ କେତେ ହେବ ସାହେବ ?

 

ମେଜର୍‌ଙ୍କର ସେ ପ୍ରଶ୍ନ ଶୁଣିବାର ଅବସ୍ଥାରେ ନଥିଲେ ବ୍ରିଗେଡ଼ିୟର । ପଚାରିଲେ ପୁଣି-: ହୁଁ, କୁହ ମିଃ ମାଥୁର୍‌, କ’ଣ ସେ ବୃହନ୍ନଳା ? ଆଶ୍ଚର୍ଯ୍ୟ ହୋଇନଥିଲେ ମେଜର୍‍ ସାହେବ । ଶର୍ମାସାହେବ ନିଦ୍ରାର ପ୍ରଭାବକୁ ଏଡ଼ାଇବା ପାଇଁ କେତେ ରାତିରେ ଏହିପରି ଆଶ୍ଚର୍ଯ୍ୟ ପ୍ରଶ୍ନ ପଚାରିଛନ୍ତି । ନିଜ ମନକୁ ପ୍ରଶ୍ନ ନଆସିଲେ ସେ ପ୍ରଶ୍ନ ତିଆରି କରିଦେଇ ପାରନ୍ତି । ଶର୍ମାସାହେବ ବିଶେଷ କଥାବାର୍ତ୍ତା କରନ୍ତି ନାହିଁ । ମେଜର୍‍ ମାଥୁର୍‌ ହିଁ ଥିଲେ କେବଳ ତାଙ୍କର ଜଣେ ମୁଗ୍ଧ ଶ୍ରୋତା-। ତାଙ୍କରି ଆଗରେ ନିଜ ଜୀବନର ବହୁ ଅନୁଭୂତି ସେ କହିଚାଲିଛନ୍ତି । ଜୀବନର ଅନେକ କଥାକୁ ପୁଣି ଚାପି ଦେଇପାରେ ବି ସେଇ ଆଶ୍ଚର୍ଯ୍ୟ ଲୋକଟା । ଏଇ ବିଶାଳ ଗଣ୍ଡି କବାଟପଟା ପରି, ଛାତିଭିତରେ ତାର ଅଛି ଫୁଲପରି ଗୋଟାଏ ମନ । ପୁଣି ବେଳେ ବେଳେ ସେ ମନଟା ପାଲଟେ ଇସ୍ପାତ୍‌ । ସେହିପରି ଆଶ୍ଚର୍ଯ୍ୟ ଲୋକଟା ବ୍ରିଗେଡ଼ିୟର । ମେଜର୍‍ ମାଥୁର୍‌ ବେଳେ ବେଳେ ଦେଖନ୍ତି କାନ୍ଧରେ ଗନ୍‌ ପକାଇ ଲୋକଟା ରେଜିମେଣ୍ଟରୁ ବାହାରିଯାଉଛି । ପାହାଡ଼ ତଳେ ଟଣା ହୋଇଥିବା ଟେଣ୍ଟରୁ ବାହାରି ଲୋକଟା ପଶିଯାଉଚି ପାହାଡ଼ର ବଣ ଭିତରେ, ପୁଣି ଅଦୃଶ୍ୟ ହୋଇଯାଉଚି, କେତେବେଳେ ବାଇନା କୁଲରରେ ଦୂରକୁ ଚାହିଁ କଣ ଯେମିତି ଖୋଜୁଚି । ତାପରେ ବୀରଦର୍ପରେ ପାହୁଣ୍ଡ ପରେ ପାହୁଣ୍ଡ ପକାଇ ଲୋକଟା ଆଗେଇଆସୁଚି ରେଜିମେଣ୍ଟ ଆଡ଼େ । ସୈନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି କେବଳ ବ୍ରିଗେଡ଼ିୟର୍‌ ହାବଭାବରେ । ମେଜର୍‍ ସାହେବ ନିରୀକ୍ଷଣ କରନ୍ତି ଲୋକଟାକୁ । ଭାବନ୍ତି ସେ ଲୋକଟାର ଛାତି ଆଗରେ ଯେମିତି ପାହାଡ଼ ହାରୁଚି-। ପଥର ଚୂନା ହେଉଚି । ଆଉ ତା ଗନ୍‌ ଆଗରେ ଠିଆହେବାର ଶକ୍ତି ଯେମିତି କା’ର ନାହିଁ-। ସେ ଦୁର୍ଜୟ, ତା ପାଇଁ ଅସାଧ୍ୟ କିଛି ନାହିଁ ।

 

ସେଦିନ ରାତିରେ ରେଜିମେଣ୍ଟର ଏକ ନିରୋଳା ଟେଣ୍ଟ ଭିତରେ ସମସ୍ତେ ନିଦ୍ରାରେ ଅଭିଭୂତ ଥିଲେ ବି ସ୍ୱାଭାବକି ଅବସ୍ଥାରେ ଥିଲେ ମେଜର୍‍ ମାଥୁର୍‌; ଆଉ ସେଇ ଆଶ୍ଚର୍ଯ୍ୟ ଲୋକଟା–ବ୍ରିଗ୍ରେଡ଼ିୟର୍‌ ଶର୍ମାସାହେବ । ମହାଭାରତର ଏକ ଚରିତ୍ର ବିଷୟରେ ସେ ପଚାରୁଥିଲେ ପ୍ରଶ୍ନ; ଆଉ ମେଜର୍‍ ମାଥୁର ପ୍ରସ୍ତୁତ ହେଉଥିଲେ ତାର ଉତ୍ତର ଦେବାପାଇଁ ।

 

‘‘ଚୁପ୍‌ ରହିଲ ଯେ ମିଃ ମାଥୁର୍‌ ! କ’ଣ ଭୁଲିଯାଇଚ ? ପୁଣି ପ୍ରଶ୍ନ ପଚାରନ୍ତି ବ୍ରିଗେଡ଼ିୟର୍‌-

 

‘‘କହୁଚି ସାର୍‌ । ସେଦିନ ଈଷତ୍‌ ନୀଳବର୍ଣ୍ଣ, ସୁନ୍ଦର ଢଳ ଢଳ ଆଖି, ଆଉ ଅସାଧାରଣ ବୀରତ୍ୱରେ ମୁଗ୍ଧ ହୋଇ ଉର୍ବଶୀ ସ୍ୱର୍ଗରୁ ଧାଇଁଆସିଥିଲା ତୃତୀୟ ପାଣ୍ଡବ ଅର୍ଜ୍ଜୁନ ପାଖକୁ—କେବଳ କାମନା ରତିଭିକ୍ଷା ! ଅର୍ଜ୍ଜୁନ ତାର କାମନାକୁ ପୂରଣ କଲେ ନାହିଁ । ଧିକ୍‌କାର କଲେ । ପ୍ରତ୍ୟାଖ୍ୟାନ କଲେ । ସେଇ ପ୍ରତ୍ୟାଖ୍ୟାତା ଉର୍ବଶୀର ଅଭିଶାପରେ ଅର୍ଜ୍ଜୁନ ହେଲେ ବୃହନ୍ନଳା । ବିରାଟ ରାଜାର କନ୍ୟା ଉତ୍ତରା, ତାର ହେଲେ ନୃତ୍ୟ ଶିକ୍ଷୟିତ୍ରୀ । ସେଇ ପୌରଷହରା ନପୁଂସକ ଅର୍ଜ୍ଜୁନ ଯାହାର ପୌରୁଷ ଗର୍ଜି ଉଠୁଥାଏ ନିଷ୍ଫଳ ବ୍ୟକ୍ତିତ୍ୱ ଭିତରେ, ଯାହାର ବୀରତ୍ୱ କାନ୍ଦି ଘୁମୁରି ଉଠୁଥାଏ ନପୁଂସକ ବୃହନ୍ନଳା ଭିତରେ । ଚୁପ୍‌ ରହିଲେ ମେଜର୍‍ ସାହେବ ।

 

‘‘ତାପରେ’’ ? ବ୍ରିଗେଡ଼ିୟର୍‌ଙ୍କ ପ୍ରଶ୍ନ ।

 

‘‘ବୃହନ୍ନଳା ଖୋଜେ ବୀର ଅର୍ଜ୍ଜୁନକୁ । ତାର ଅନେକ ଆଶା ହରାଇଥିବା ଗାଣ୍ଡୀବକୁ ପୁଣି ଥରେ ଧାରଣ କରିବା ପାଇଁ; କିନ୍ତୁ ସେଇ ସ୍ୱର୍ଗବେଶ୍ୟା ଉର୍ବଶୀର ଅଭିଶାପ ହୁଏ ପ୍ରତିବନ୍ଧକ ।

 

ଓଃ’ ଏଇ ତାହେଲେ ସେ ବୃହନ୍ନଳା ଗଳ୍ପ । ହସନ୍ତି ବ୍ରିଗେଡ଼ିୟର ଶର୍ମାସାହେବ । ସେ ହସରେ ରାତ୍ରିର ନୀରବତା ଭାଙ୍ଗିଯାଏ । ପାଖ ଟେଣ୍ଟରୁ ଧପ୍‌ଧପ୍‌ ହୋଇ କେତେକ ଆଲୁଅ ଜଳିଉଠେ । ବେଳେବେଳେ ଦୁଇ ତିନୋଟି ହୁଇସିଲ୍‌ର ସ୍ୱର ଶୁଭେ । ବାଁ ଏବଂ ଡାହାଣ ପାପୁଲିରେ ଦୁଇ ଆଖିକୁ ମଳି ମଳି କେତୋଟି ସୋଲଜର ଅଳସ ଭାଙ୍ଗନ୍ତି । ତାପରେ ହଠାତ୍‌ ସତର୍କ ହୋଇଯାଆନ୍ତି । ବେଳେବେଳେ ଦୂରରେ କେତେବେଳେ କେମିତି ଗୁଳିଟାଏ ଫୁଟେ ରାତ୍ରିର ନିସ୍ତବ୍ଧତାକୁ ଭଙ୍ଗକରି ।

 

ବ୍ରିଗେଡ଼ିୟର ଶର୍ମାସାହେବ ଡାକନ୍ତି, ହାଲୋ ମିଃ ମାଥୁର୍‌, ସୁସ୍ଥ ଅଛ ବୋଧେ, ଆସ ବୁଲିଆସିବା ସେଇ ପାହାଡ଼ଆଡ଼େ । ସେଇ ପାହାଡ଼ଟା ଭାରତ ଆଉ ପାକିସ୍ଥାନର ସୀମାନ୍ତରେଖାକୁ ଚିହ୍ନଟ କରୁଥାଏ । କାନ୍ଧରେ ଗନ୍‌ ପକେଇ ଆଖିରେ ବାଇନାକୁଲର ଯୋଖି ମିଃ ମାଥୁର୍‌ ଆଉ ବ୍ରିଗେଡ଼ିୟର୍‌ ଶର୍ମାସାହେବ ଉଠିଯାଆନ୍ତି ଆସ୍ତେ ଆସ୍ତେ ପାହାଡ଼ ଉପରକୁ । ସତର୍କ ଆଖିର କ୍ଷୁଧିତ ଚାହାଣୀ ଘୂରିବୁଲୁଥାଏ । କାନ ଥାଏ ଆହୁରି ସତର୍କ, କିଏ ଆସୁଛି ? କିଏ ? କିଏ ?

 

ବେଳେବେଳେ ବ୍ରିଗେଡ଼ିୟର୍‌ ଗପିଚାଲିଛନ୍ତି ବହୁ ଯୁଦ୍ଧକାହାଣୀ । ମିଃ ମାଥୁର୍‌ ପଚାରନ୍ତି ଡାହାଣ ହାତର ଆଙ୍ଗୁଠି ତିନୋଟି କେଉଁ ଯୁଦ୍ଧରେ କଟିଯାଇଚି । ଛାତି ଭିତରେ କେଉଁଠି କେଉଁଠି ଗୁଳି ଗଳିଚି । କେଉଁ ଯୁଦ୍ଧରେ କି କି ଉପାୟ ସେ ଅବଲମ୍ୱନ କରିଥିଲେ । ଜୀବନରେ ପ୍ରାୟ ନିରୋଳା ସମୟରେ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କେତେକଙ୍କୁ ସେ ମାରିଛନ୍ତି । ସବୁ ମନେରଖିଥାନ୍ତି ଶର୍ମାସାହେବ । ଚମତ୍କାର ଭଙ୍ଗୀରେ ସେ କହିଚାଲନ୍ତି । ମୁଖରେ ବାଟୁଳି ବାଜେନାହିଁ । ରୋମାଞ୍ଚକର ବର୍ଣ୍ଣନାରେ ଅଭିଭୂତ ହୋଇପଡ଼ନ୍ତି ମେଜର୍‍ ମାଥୁର୍‌ । ଏତେ ରୋମାଞ୍ଚକର ବର୍ଣ୍ଣନାକୁ ସେ ଗୋଟି ଗୋଟି କରି ସାଇତି ରଖନ୍ତି । ଟେଣ୍ଟ୍‌ ଦୁଇଶହ ଦୁଇ ଭିତରେ ନିରୋଳା ସମୟରେ ମନେ ପଡ଼େ ଦୁଇଟି କଥା । ଗୋଟିଏ ବ୍ରିଗେଡ଼ିୟର୍‌ ଶର୍ମାସାହେବ, ଆଉ ତାର ଅସାଧାରଣ ବୀରତ୍ୱ ବର୍ଣ୍ଣନା ଏବଂ ଅନ୍ୟଟି ଚତୁର୍ଥୀ ରାତ୍ରି ପରଦିନ ଛାଡ଼ି ଚାଲି ଆସିଥିବା ଗୋଟିଏ ପଣତପକା ଝାପ୍‌ସା ଝାପ୍‌ସା ନାରୀର ମୁହଁ । ହେଲେ ବ୍ରିଗେଡ଼ିୟର୍‌ ଯେତେବେଳେ ଆସି ହାତ ମିଳାନ୍ତି ମିଃ ମାଥୁର୍‌ଙ୍କ ସାଙ୍ଗରେ ସେ ଭୁଲିଯାଆନ୍ତି ସେଇ ନାରୀର ମୁହଁଟିକୁ । ନାରୀର ମୁହଁଟା ଦୂରେଇ ଦୂରେଇ ଝାପ୍‌ସା ହୋଇଯାଏ ସିଲ୍‌ହଟ ଛବିପରି । ଦେହରେ ଆସେ ପୁଣି ଉନ୍ମାଦନା । ମିଃ ମାଥୁର୍‌ ଭୁଲିଯାଆନ୍ତି ନିଜକୁ । ସେ ଜାଣନ୍ତି, ଅନୁଭବ କରନ୍ତି ତାଙ୍କର ପରିଚୟକୁ । ସେ ମେଜର୍‍ ମାଥୁର୍‌ । ମୁହଁରେ ଦି’ପଟା ନିଶ । ସୁନ୍ଦର ବଳିଷ୍ଠ ଗୌରବର୍ଣ୍ଣର ସ୍ୱାସ୍ଥ୍ୟ । ଖାକିଡ଼୍ରେସ ଉପରେ ଚାରିଟା ବ୍ୟାଚ୍‌ ପିନ୍ଧି ତାଙ୍କ ଆଗକୁ ଓହ୍ଲାଇଆସେ ମେଜର୍‍ ମାଥୁର୍‌ । ସେ ଦୁଇଟା ଜିନିଷକୁ ଜାଣନ୍ତି । ଗୋଟିଏ ନିଜର ବୀରତ୍ୱ ଆଉ ସେ ମେଜର୍‌ । ସେ ମେଜର୍‍ ଭିତରେ ଆଉ ଗୋଟିଏ ମଣିଷ ଅଛି ବୋଲି ତାଙ୍କର ବିଶ୍ୱାସ ହୁଏନା । ମଣିଷ ଭିତରେ ନିଜର ପୌରୁଷକୁ ଛାଡ଼ିଦେଲେ ଆଉ କଣ ସବୁ ଥାଏ ସେ ଜାଣିବାକୁ ଚେଷ୍ଟା କରିନାହାନ୍ତି ।

 

ତାପରେ ଆଗେଇ ଯାଇଛନ୍ତି ମେଜର୍‌ ମାଥୁର୍‌ । ଏ କ୍ଷେତ୍ରରେ ବ୍ରିଗେଡ଼ିୟର ତାଙ୍କର ପଥପ୍ରଦର୍ଶକ । ତାପରେ ଖାଲି ଯୁଦ୍ଧପରେ ଯୁଦ୍ଧ ଆଟେଣ୍ଡ କରି ମେଜର୍‌ ମାଥୁର୍‌ ଆଶାତୀତ ସଫଳତା ଲାଭ କରିଛନ୍ତି । ପଦକ ପରେ ପଦକ ହାସଲ କରିଛନ୍ତି । ଶତ୍ରୁପକ୍ଷର ସୈନ୍ୟମାନଙ୍କ ମଧ୍ୟରେ ମେଜର୍‌ ମାଥୁର୍‌ ପରିଚୟ ହୋଇଯାଇଛନ୍ତି ଖୁବ୍‌ ଅଳ୍ପ ସମୟରେ ।

 

ବ୍ରିଗେଡ଼ିୟର୍‌ କହନ୍ତି ହସିହସି—ଏତେ ଅଳ୍ପ ବୟସରେ ବହୁତ ଆଡ୍‍ଭାନ୍‌ସଡ୍‍ କରିଚ ମେଜର୍‌ ମାଥୁର୍‌ । ଆହୁରି ବି ସମୟ ଅଛି ହାତରେ । ଦେଶ ତୁମ ଭଳି ଜଣେ ବୀରଯୋଦ୍ଧା ଚାହେଁ-। ଯୁଦ୍ଧରେ ତୁମ ରକ୍ତ ଯେଉଁଠି ପଡ଼ିବ, ସେଠାରେ ବି ତୁମଭଳି ଜଣେ ଜଣେ ବୀରଯୋଦ୍ଧା ବାହାରିବେ । ତୁମେ ଆମ ରେଜିମେଣ୍ଟର ରକ୍ତବୀର୍ଯ୍ୟ ।

 

ମେଜର୍‌ ମାଥୁର୍‌ ପ୍ରଶଂସାରେ ପୋତି ହୋଇପଡ଼ନ୍ତି । ମୁଣ୍ଡ ତଳକୁ କରି ହଠାତ୍‌ ହସିଦେଇ ଲେଫ୍‍ଟ ରାଇଟ୍‌ କରି ଆଗେଇଯାଆନ୍ତି ଟେଣ୍ଟ୍‌କୁ । ଟେଣ୍ଟ୍‌ ଭିତରୁ ଆଶ୍ଚର୍ଯ୍ୟ ହୋଇ ଭାବନ୍ତି ଲୋକଟା କଥା । ସେ ବ୍ରିଗେଡ଼ିୟର୍‌ । ଜୀବନରେ ସେ କିଛି ଜାଣେନାହିଁ । ଖାଲି ଜାଣେ ଗନ୍‌, ସୋଲ୍‌ଜର୍‌, ରେଜିମେଣ୍ଟ, ଶତ୍ରୁ; ରକ୍ତ । ମେଜର୍‌ ମାଥୁର୍‌ଙ୍କ ଭାବନାର ଘୋଡ଼ା ପାଗଳପରି ଧାଉଁ ଧାଉଁ ଅଟକିଯାଏ ଲଗାମ୍‌ କଷା ଘୋଡ଼ାପରି ।

 

ମେଜର୍‌ ମାଥୁର୍‌ ଦେଖନ୍ତି ଲୋକଟା ଆଖିରେ ବାଇନାକୁଲର୍‌ ଲଗେଇ କାନ୍ଧରେ ଗନ୍‌ ପକେଇ ଆଗେଇ ଯାଉଚି ପାହାଡ଼ଆଡ଼େ ପୁଣି । ଟେଣ୍ଟ୍‌ର ସେହି ସୋଲ୍‌ଜର୍‌ମାନଙ୍କ ଗହଣରେ ଦିନଗୁଡ଼ାକୁ ଘଣ୍ଟାଏ ପରି ଭାବୁଥିବା ଆଉ ବ୍ରିଗେଡ଼ିୟର ଶର୍ମାସାହେବଙ୍କ ବୀରତ୍ୱ କାହାଣୀରେ ପ୍ରେରଣା ପାଇ ନିଜକୁ ଦେଶପାଇଁ ପ୍ରସ୍ତୁତ କରୁଥିବା ମେଜର୍‌ ମାଥୁର୍‌ ଭୁଲିଯାଇଥିଲେ ଓଡ଼ିଶାର କେଉଁ କଣରେ ତାଳ ନଡ଼ିଆ ବାଉଁଶ ବଣ ଭିତରେ ତାଙ୍କର ଗାଁଟିଏ ଥିଲା । ସେଇ ଗାଁଟି ଭିତରେ ଅଜା ଅମଳର ପାଞ୍ଚଶେଣିଆ ଉଚ୍ଚ ମାଟିପିଣ୍ଡା ଘରଟିଏ । ସେଇ ଘରଟି ଭିତରେ ବୁଢ଼ୀଟିଏ ଏପଟ ସେପଟ ହେଉଥାଏ । ସଞ୍ଜବଳିତା ଦେଇ ଦୁଃଖ ଜଣାଉଥାଏ । ମେଜର୍‌ ମାଥୁର୍‌ ସ୍ମୃତି ରୋମନ୍ଥନ କଲାବେଳେ ମନର ରୂପେଲି ପର୍ଦ୍ଦା ଉପରେ ଆସି ଠିଆହୁଏ ବାସ୍ତବର କେତୋଟି ମୂର୍ତ୍ତିମନ୍ତ ଚିତ୍ର । ସେ ଭୁଲିବାର ନୁହେଁ ।

 

ମେଜର୍‌ ମାଥୁରଙ୍କ ବଂଶ ପରିଚୟ ସେଇ ଗାଁରେ କେହି କହିପାରି ନଥିଲେ । ସେ ଦିନେ ପଚାରିଥିଲେ ତାଙ୍କର ଜନ୍ମଦାତ୍ରୀକୁ । ଯାହାର କୋଳରେ ମୁଣ୍ଡଜାକି ସେ ପାଶୋରି ଦେଇଥିଲେ ପିଲାଦିନର ଅଙ୍ଗେ ଲିଭେଇଥିବା ଦୁଃଖ । ଉଠି ଚାଲିଥିଲେ ଶୀର୍ଷରୁ ଶୀର୍ଷକୁ ତାରି ଆଶୀର୍ବାଦରେ ।

 

ବଙ୍ଗଳାର ମାଥୁର୍‌ ପରିବାରରୁ କେତୋଟି ପରିବାର ଉଠିଆସିଥିଲେ ସେତେବେଳେ ଓଡ଼ିଶାକୁ ସମ୍ରାଟ ଆଉରଙ୍ଗଜେବଙ୍କ ରାଜତ୍ୱରେ । ମାଥୁର୍‌ଙ୍କ ପିତା ଥିଲେ ଜଣେ ସାମାନ୍ୟ ରାଜକର୍ମଚାରୀ ଓଡ଼ିଶାର ଗଜପତିଙ୍କ ଦରବାରରେ । ସେ ଯେତେବେଳେ ମାତୃଗର୍ଭରେ ରହି ସୃଷ୍ଟିର ଆଲୋକ ଦେଖିବାର ଅପେକ୍ଷାରେ ଥିଲେ, ମାଙ୍କୁ ତାଙ୍କର କାଚ ଓହ୍ଲାଇବାକୁ ପଡ଼ିଥିଲା । ମୁଣ୍ଡରୁ ସିନ୍ଦୁର ପୋଛି ମା ତାଙ୍କର ସାଜିଥିଲେ ଗ୍ରାମସେବିକା । ସେଇ ପିତୃହରା ମାଥୁର୍‌ଙ୍କୁ ସେତେବେଳେ ଗ୍ରାମସେବିକାର ପୁତ୍ର ହିସାବରେ କମ୍‌ କଷ୍ଟ ସହିବାକୁ ପଡ଼ିନଥିଲା । ସେଇ ଦୁଃଖିନୀ ଗ୍ରାମସେବିକାଟି ତାଙ୍କୁ କୋଳରେ ଜାକି ଏ ଗ୍ରାମରୁ ସେ ଗ୍ରାମ ବୁଲିବାବେଳେ ମାଥୁର୍‌ ଅନୁଭବ କରିଥିଲେ ସବୁ ଶିଶୁଙ୍କ ପାଇଁ ପ୍ରଥମ ଜନ୍ମରେ ଆକାଂକ୍ଷିତ ଥାଏ ମା’ର କୋଳ ଆଉ ମାଟି-। ମାତ୍ର ତାଙ୍କ ପାଇଁ ଯେମିତି ବିଧାତା ମାଟି ରଖିନଥିଲେ । କେବଳ ରଖିଥିଲେ ମା’ର ଛାତି । ସେଇ ମା’ର ଛାତିରେ ଶିଶୁ ମାଥୁର୍‌ ମେଜର୍‍ର ପ୍ରଥମ ମୂଳଦୁଆ ପକେଇଥିଲା ଯେମିତି । ଗ୍ରାମସେବିକାର ପୁତ୍ର ହିସାବରେ ସମାଜରେ ସେ ଛୋଟ ହୋଇପାରନ୍ତି, ପିତୃହରା ଅନାଥ ହିସାବରେ ତାଙ୍କ ପିତାଙ୍କ ପରିଚୟ ଓ ନାମ ଜାଣିବା ପାଇଁ ଅନେକଙ୍କୁ ସମୟ ଲାଗିପାରେ; ମାତ୍ର ଭାରତ ମାଟିର ଗର୍ବ ହିସାବରେ ଭାରତର କୋଟି କୋଟି ଜନତାର ରକ୍ଷକ ହିସାବରେ ମେଜର୍‌ ମାଥୁର୍‌ ଶତ୍ରୁର ରକ୍ତ ଓ ମାଂସ ଉପରେ ତ୍ରିରଙ୍ଗ ପତାକା ଉଡ଼ାଇପାରିଛନ୍ତି—ସେଇ ହିଁ ତାଙ୍କର ଯଥେଷ୍ଟ ପରିଚୟ । ତାଙ୍କ ପାଇଁ ଗୌରବର ବିଷୟ ।

 

ଦିନେ ଅଚାନକଭାବେ ମେଜର୍‌ ମାଥୁର୍‌ ଟେଣ୍ଟ ଭିତରେ ଗୋଟିଏ ଗୁପ୍ତ ନକ୍‌ସା ଦେଖୁଥିଲାବେଳେ ପାଇଲେ ଟେଲିଗ୍ରାମ । ମେଜର୍‍ ମାଥୁର ଟେଲିଗ୍ରାମ ପଢ଼ିଲେ, ‘‘ମଦର ସିରିଅସ୍‌ କମ୍‌ ସୁନ୍‌’’

 

ସେ ଫେରିଲେ ଓଡ଼ିଶା । ସେଇ ତାଳ ବାଉଁଶ ନଡ଼ିଆଘେରା ଜଙ୍ଗଲ ଭିତରେ ତାଙ୍କର ଜନ୍ମ ସ୍ଥାନକୁ । ଘରେ ପହଁଚି ଘରର ମାଟି ମଥାରେ ସ୍ପର୍ଶ କଲାପରେ ବୃଦ୍ଧାମାଆର ପାଦତଳେ ପ୍ରଣାମ କଲେ । ଅନୁଭବ କଲେ ମେଜର୍‍ ମାଥୁର୍‌ ତାଙ୍କ ଭିତରେ ଆଉ ଗୋଟାଏ ମଣିଷ ଯେପରି ବଞ୍ଚିଆସୁଛି । ଅନେକଦିନ ଧରି ସେ ଆପେ ଆପେ ସମାଧି ନେଇଥିଲା । ମେଜର୍‌ ମାଥୁର୍‌ ଖୋଜିଲେ ସେଇ ମଣିଷଟାକୁ—ଯାହାକୁ ସେ ପାଇଥିଲେ ଅତୀତର ସେଇ ଗ୍ରାମସେବିକାର ଛାତି ଉପରେ । ସେଇ ବୃଦ୍ଧା-ଜନ୍ମଦାତ୍ରୀର ପାଦତଳେ ମେଜର୍‌ ମାଥୁର୍‌ଙ୍କର ଆଖିରେ ଅନେକ ଦିନପରେ ଲୁହ ଦେଖା ଦେଇଥିଲା । ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଏ ଲୁହ ପୁଣି ଏତେ ତାଙ୍କ ଆଖିକୁ ଆସିଲା କେଉଁଠୁ ? ମେଜର୍‍ ଭିତରେ ଅତୀତର ଆଉ ଗୋଟାଏ ମଣିଷ ଜୀଇଁ ଉଠିଲା କେମିତି ?

 

ସେଇ ବୃଦ୍ଧା-ଜନ୍ମଦାତ୍ରୀ ତାଙ୍କୁ ଅନୁରୋଧ କରିଥିଲା ଯାହା ସେ କେବେ ସେପରି ଅନୁରୋଧ ଶୁଣିବେ ବୋଲି ଭାବିପାରି ନଥିଲେ । ବୃଦ୍ଧାଙ୍କର ଶେଷ ଇଚ୍ଛା ହିଁ ଥିଲା ସେଇଆ । ତାଙ୍କ ପାଇଁ ଅଭିଯୋଗ ଥିଲା ସେ ଚାଲିଯିବେ ଯୁଦ୍ଧକ୍ଷେତ୍ରକୁ; ମାତ୍ର ଯେଉଁ ଜନ୍ମଦାତ୍ରୀ ଗ୍ରାମସେବିକାଟିର ଛାତି ଉପରେ ଶୋଇ ଶୋଇ ବଢ଼ିଆସିଚି ମେଜର୍‍ ମାଥୁର୍‌ ତା ପାଇଁ ସେ କରିଛନ୍ତି କ’ଣ ? ଦେଶ ଦେଶ ହୋଇ ଜୀବନ ତାଙ୍କର କଟିଚି; ହେଲେ ନିଜ ପାଇଁ କଣ ସେ କରିଛନ୍ତି ? କଣ ସେ କରିଛନ୍ତି ନିଜର ଜନ୍ମଦାତ୍ରୀ ପାଇଁ ?

 

ମେଜର୍‍ ମାଥୁର୍‌ ମାଆଙ୍କ କଥାରେ ବରବେଶ ସାଜିଲେ । ବେଦୀରେ ଅନ୍ୟ ଗୋଟିଏ ମାଥୁର୍‌ ପରିବାରର ଅଚିହ୍ନା ଝିଅ ସାଙ୍ଗରେ ବୈଦିକମତରେ ତାଙ୍କର ବିବାହ ସମ୍ପାଦନ ହେଉଥିବାବେଳେ ସେ ଭାବୁଥିଲେ ସୈନ୍ୟଛାଉଣୀର କଥା । ବ୍ରିଗେଡ଼ିୟର୍‌ ଶର୍ମାସାହେବଙ୍କର ଯୁଦ୍ଧକ୍ଷେତ୍ରର ବହୁ ରୋମାଞ୍ଚ ଅନୁଭୂତି । ବେଦୀ ଉପରେ ହୋମ ଧୂଆଁ ଭିତରେ ସେ ଦେଖୁଥିଲେ କାନ୍ଧରେ ଗନ୍‌ ପକାଇ ସୋଲ୍‌ଜର୍‌ମାନଙ୍କ ଦେଶ ପାଇଁ ରକ୍ତ ଦେବାର ଦୃଶ୍ୟ, ଆକାଂକ୍ଷିତ ମୃତ୍ୟୁ ପାଇଁ ସତେ ଯେପରି ଚରମ ବ୍ୟାକୁଳତା ।

 

ବାଣ ନିଶାଣ ଭିତରେ ମେଜର୍‍ ସାହେବ ବିବାହ ସାରି ଫେରିଲେ ସେଦିନ । ତାଙ୍କ ଭିତରେ ଆଉ ଗୋଟାଏ ନୂଆ ମଣିଷର ନବଜନ୍ମ ହେଉଥିଲା ଯେମିତି । ମଣିଷ କହିଲେ ମାଥୁର୍‌ କଣ ଅର୍ଥ କରନ୍ତି ଜଣାଯାଏ ନାହିଁ; ମାତ୍ର ସେ କେତେ ମଣିଷକୁ ଅନୁଭବ କରନ୍ତି ନିଜ ଭିତରେ ତାର ସୀମା ନାହିଁକି ସରହଦ ନାହିଁ । ସେ ଯେମିତି ଏକ ଭିତରେ ବହୁ । ବହୁ ଭିତରେ ଏକ । ସେଦିନ ମେଜର୍‌ ସାହେବକୁ ସେହି ନବଜନ୍ମ ହୋଇଥିବା ମଣିଷଟି ମେସୋମରିଜିମ୍‌ କରି ଶୁଆଇ ପକାଇଥିଲା । ମେଜର୍‍ ଶୋଇପଡ଼ିଥିଲା ସେହି ମଣିଷର କୋଳରେ ।

 

ଚତୁର୍ଥୀ ରାତିରେ ପୋଡ଼ା ନଡ଼ିଆ ଖାଇ ଏବଂ ସେଇ ନବପରିଣୀତା ବଧୂକୁ କିଛି ଖୁଆଇ ମାଥୁର୍‍ ଜାଳିଥିଲେ ମଙ୍ଗଳପ୍ରଦୀପ । ସେହି ପ୍ରଦୀପର ଆଲୋକରେ ତାଙ୍କ କୂଳବଧୂର ମୁଖରୁ ପଣତ ଟେକି ମାଥୁର୍‌ ପଚାରିଥିଲେ—ତୁମ ନାମ ?

 

ଶାନ୍ତ ସୁନ୍ଦର ସରଳ ଅଥଚ ଖୁବ୍‌ ସଂକ୍ଷିପ୍ତ ଉତ୍ତରଟିଏ ପାଇଥିଲେ ସେ ‘‘ମୋ ନାମ ସଲୀଳ ।’’

 

‘‘ସଲୀଳା । ତୁମେ ସଲୀଳ ପରି ସ୍ୱଚ୍ଛ ଆଉ ସୁନ୍ଦର ନା ?’’ ମାଥୁର୍‌ଙ୍କର ଦ୍ୱିତୀୟ ପ୍ରଶ୍ନ ଥିଲା ସେହି ନବପରିଣୀତାଙ୍କ ପ୍ରତି ।

 

ମାଥୁର୍‌ ଅନୁଭବ କରୁଥିଲେ ନିଜ ଭିତରେ, ନିର୍ଜନ ପ୍ରକୋଷ୍ଠ ଭିତରେ, ନିଜର କୁଳବଧୂକୁ ଏ ପ୍ରଶ୍ନ ପଚାରୁଥିବା ମଣିଷ କେବେ ମେଜର୍‍ ହୋଇନପାରେ । ସେ ନଶ୍ଚିତ ଭାବେ ଭିନ୍ନ ମଣିଷ । ହଉପଛେ ସେ ସ୍ୱପ୍ନ ଏବଂ କ୍ଷଣିକର ମଣିଷ; ତଥାପି ସେ ଯେମିତି ଚିରନ୍ତନୀର ଆବାହନ ଶୁଣାଇ ଚାଲିଛି ଯୁଗ ଯୁଗରୁ । ମାଥୁର୍‌ ଧୂ ଧୂ ଖରାରେ ଶୁଷ୍କ ହୋଇପଡ଼ିଥିବା ତପ୍ତ ବାଲୁକା ପରି ହୃଦୟରେ ଓୟେସିସ୍‌ ବୁହାଇଦେଲେ । ତାଙ୍କର ଶୂନ୍ୟହୃଦୟ ପୂର୍ଣ୍ଣ ହୋଇଆସିଲା ଯେମିତି ! ମାଥୁର୍‌ ଭୁଲିଗଲେ ମେଜର୍‌କୁ, ଭୁଲିଗଲେ ଦେଶପ୍ରେମ, ଭୁଲିଗଲେ ଗନ୍‌, ବାଏନାକୁଲର୍‌, ଯୁଦ୍ଧ, ଟ୍ୟାଙ୍କ୍‌, ପ୍ଳେନ୍‌ ଏବଂ ରକ୍ତ । ଭୁଲିଗଲେ ବ୍ରିଗେଡ଼ିୟର୍‌ ଶର୍ମାସାହେବଙ୍କର ପ୍ରେରଣା । ରକ୍ତ ମନେପଡ଼ିଲେ ଆସେ ଗୋଟିଏ ସ୍ୱଚ୍ଛଧାର । ସେ ପ୍ରେମ, ବ୍ରିଗେଡ଼ିୟର୍‌ ଶର୍ମାଙ୍କ ସ୍ଥାନରେ ଆସି ଠିଆହୁଏ ଗୋଟିଏ ଯୁବତୀ ନାରୀର ଶାନ୍ତ ସଲଜ୍ଜ ହସ ହସ ମୁହଁ । କ୍ଷୀଣ କଟୀ ଏବଂ ଢଳଢଳ ଚାଲିର ରାଜହଂସୀଟିଏ । ସେ ସଲୀଳା । ରେଜିମେଣ୍ଟର ଅନୁଭୂତି ପାଶୋରହୋଇଯାଏ । ସବୁବେଳେ ଭାସିଉଠେ ନିଜ ପରିବେଷ୍ଟନୀର ଚିତ୍ର । ସେ ଏବଂ ତାଙ୍କର ଜନ୍ମଦାତ୍ରୀ ଆଉ ସେ ପାଖେ ତାଙ୍କର ନବପରିଣୀତା ବଧୂ ସଲୀଳା । ସଲୀଳା ମାଥୁର । ମେଜର୍‍ ମାଥୁର୍‌ର ଅର୍ଦ୍ଧାଙ୍ଗିନୀ ନୁହେଁ, ବିବାହ ଦିନ ନିଜ ଭିତରୁ ନବଜନ୍ମ ପାଇଥିବା ପୁରୁଷର ସହଧର୍ମିଣୀ ସେ ।

 

ଏମିତି କଟିଯାଏ କେତୋଟି ଦିନ । ଜନ୍ମଦାତ୍ରୀ ତଥା ସହଧର୍ମିଣୀର ମୁଖରେ ସୁଖ ଏବଂ ସ୍ୱାଚ୍ଛନ୍ଦ୍ୟର ପ୍ରାଚୁର୍ଯ୍ୟ ଦେଖି ମାଥୁର ପୁଲକିତ ହେଲେ । ଯୁଦ୍ଧର ରୋମାଞ୍ଚକର ଅନୁଭୂତି ଭୁଲି ସେ ସାଇତିଲେ ପ୍ରେମର ଅଫୁରନ୍ତ ଫଲ୍‌ଗୁ ।

 

କିଛିଦିନ ପରେ ସେ ଚିନ୍ତାକଲେ ନିକଟରେ କୌଣସି ଚାକିରି କରିବେ । ବୃଦ୍ଧା ଜନ୍ମଦାତ୍ରୀ ତଥା ପ୍ରାଣପ୍ରିୟା ସଲୀଳାକୁ ଛାଡ଼ି ସେ ଯାଇପାରିବେ ନାହିଁ ନିଶ୍ଚିତ ମୃତ୍ୟୁର ମୁଖକୁ । ଦେଶ ପାଇଁ ପ୍ରାଣବଳୀ ଦେଇପାରିବେ ନାହିଁ ସେ । ମରିଥିଲେ ସେ ମରିପାରିଥାନ୍ତେ ସଲୀଳାକୁ ପାଇବା ପୂର୍ବରୁ କିମ୍ୱା ରୋଗଶଯ୍ୟାରେ ପଡ଼ିଥିବା ବୃଦ୍ଧା ଜନ୍ମଦାତ୍ରୀର ମୃତ୍ୟୁ ପରେ । କିନ୍ତୁ ନିଜ ଭିତରେ ଗୋଟିଏ ସୁ ର ସୃଷ୍ଟି କରିସାରିବା ପରେ ମୃତ୍ୟୁର ପ୍ରଶ୍ନ କାହିଁକି ? ସେ ମରିପାରିବେ ନାହିଁ-। ନିକଟରେ ସାଙ୍ଗେ ସାଙ୍ଗେ ଚାକିରିଟାଏ ମିଳିଗଲା । ଗୋଟିଏ ଗଭର୍ଣ୍ଣମେଣ୍ଟ୍‌ କଲେଜରେ ମାଥୁର୍‌ ଅଧ୍ୟାପକ ହେଲେ । ସେ ଶାନ୍ତ ସୁନ୍ଦର ଜୀବନ ଅତିବାହିତ କରିବାକୁ ଲାଗି ଗଲେ । ଛାତ୍ରଛାତ୍ରୀଙ୍କ ଗହଣରେ ମାଥୁର୍‌ ଦେଲେ ଲେକ୍‌ଚର । ଅନୁଭୂତିକୁ ସୁନ୍ଦର ଏବଂ ବଳିଷ୍ଠ ପରିପ୍ରକାଶରେ ସେ ଅଳ୍ପଦିନ ମଧ୍ୟରେ ସବୁ ଛାତ୍ରଛାତ୍ରୀଙ୍କ ମନ କିଣିନେଲେ—ମହାବିଦ୍ୟାଳୟ ମଧ୍ୟରେ ସେ ହେଲେ ସମସ୍ତଙ୍କର ପ୍ରିୟପାତ୍ର । ହେଲେ ଅଧ୍ୟକ୍ଷଙ୍କର ସ୍ୱାର୍ଥରେ ବାଧା ପକାଇଲା ତାଙ୍କର ଉପସ୍ଥିତି । ତାଙ୍କର ଗୋଟିଏ ଗୁଣ ହେଲା ସେ ଅନ୍ୟାୟକୁ ବରଦାସ୍ତ କରିପାରନ୍ତି ନାହିଁ । ତେଣୁ ସେ ଅଧ୍ୟକ୍ଷଙ୍କର ବହୁ ଅନ୍ୟାୟର ପ୍ରତିରୋଧ କଲେ । ଅଧ୍ୟକ୍ଷଙ୍କ ଉପରେ ବାରମ୍ୱାର ବିପଦ ଆସିଲା । ଦୁର୍ନୀତିର ବୀଜକୁ ସମୂଳେ ଧ୍ୱଂସ କରିବା ପାଇଁ ଯେପରି ଅଧ୍ୟାପକ ମାଥୁର୍‌ ପଣ କରିଥିଲେ; ମାତ୍ର ଶେଷରେ ଚାଲିଲା ମାଥୁର୍‌ଙ୍କ ବିରୁଦ୍ଧରେ ଘୋର ଷଡ଼ଯନ୍ତ୍ର । ମାଥୁର୍‌ ଚରିତ୍ରହୀନ ବୋଲି ପାମ୍ପ୍ଳେଟ୍‌ ଛପାଇ ମହାବିଦ୍ୟାଳୟ କାନ୍ଥବାଡ଼ରେ ମଡ଼ାଇ ଦିଆଗଲା । ଗୋଟିଏ ଖ୍ରୀଷ୍ଟିୟାନ ଛାତ୍ରୀ ସହ ତାଙ୍କର ପାପ ସମ୍ପର୍କ ଅଛି ବୋଲି ପ୍ରଚାର କରାଗଲା । ଯେଉଁ ଛାତ୍ରମାନେ ତାଙ୍କର ନିର୍ଦ୍ଦେଶରେ ଅନ୍ୟାୟର ପ୍ରତିରୋଧ କରୁଥିଲେ ସେମାନେ ତାଙ୍କର ମୁର୍ଦ୍ଦାବାଦ ଦେଲେ । ଶେଷରେ ବହୁ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ତାଙ୍କର କୁଶପୁତ୍ତଳିକା ଦାହ କରାଗଲା । କେହି ବିରୋଧ କଲେ ନାହିଁ । ମାଥୁର ଭାଙ୍ଗିପଡ଼ିଲେ । କୁଶପୁତ୍ତଳିକା ଦାହ ପରଦିନ ସେ ରିଜାଇନ୍‌ ଦେଇଦେଲେ । କେବଳ ଅଧ୍ୟାପକ ଚାକିରି ନୁହେଁ; ସବୁ ଚାକିରି ଉପରେ ତାଙ୍କର ଘୃଣାହେଲା । ସେହିଦିନ ମାଥୁର୍‌ ଲେକ୍‌ଚର୍‌ର ଦେଉଥିବା ଅଧ୍ୟାପକ ମାଥୁର୍‌ର ତଣ୍ଟି ଚିପିଦେଇ ଝାଡ଼ିଝୁଡ଼ିହେଇ ଆସି ଠିଆହେଲେ ସଲୀଳାଙ୍କ ଆଗରେ । ସେ କିଛି ପଚାରିବା ପୂର୍ବରୁ ମାଥୁର୍‌ ଆଗ ଉତ୍ତର ଦେଲେ ମୁଁ ଅଧ୍ୟାପକ ଚାକିରି ଛାଡ଼ିଦେଇଛି ସଲୀଳା ? ସଲୀଳା ହସିଲେ ଅଳ୍ପ । ତାପରେ କହିଲେ ତମ ଇଚ୍ଛା । ଏଇତକ କହି ସେ ରନ୍ଧନଶାଳାକୁ ଚାଲିଗଲେ । ମାଥୁର୍‌ କିଛି କହିଲେ ନାହିଁ । ଦୁଇଦିନ ପର୍ଯ୍ୟନ୍ତ କ୍ଳାନ୍ତ ହୋଇ ଶୋଇରହିଲେ ତାପରେ ଦିନେ ଉଠିଲେ ବୀରଦର୍ପରେ । ହସି ହସି କହିଲେ ସଲୀଳା, ତମେ ମନଦୁଃଖ କରିବ ନାହିଁ । ମୋର ପୁଣି ନବଜନ୍ମ ହୋଇଛି—ମୁଁ ଏଥର ଯୁଦ୍ଧକୁ ଯିବି ।

 

ସଲୀଳ ମନେ ମନେ ଚମକିପଡ଼ିଲେ ଯୁଦ୍ଧ କଥା ଶୁଣି । ଯୁଦ୍ଧକୁ ଯିବା ନିଶ୍ଚିତ ବୀରୋଚିତ ତଥା ପୌରୋଚିତ ତଥା ପୌରୁଷର କାର୍ଯ୍ୟ; କିନ୍ତୁ ଯୁଦ୍ଧ ସହିତ ମୃତ୍ୟୁର ଯେ ଅଭେଦ ସମ୍ପର୍କ ଏକଥା ସଲୀଳାଙ୍କୁ ବୁଝାଇବାର ଦରକାର ପଡ଼ିନଥିଲା । ତେଣୁ ସେ କିଛି ନକହି ହସିଦେଇଥିଲେ । ତାପରେ ସଲୀଳା କାନ୍ଦିଥିଲେ ମାଥୁର୍‌ଙ୍କୁ ନ ଜଣାଇ । ମାଥୁର୍‌ ପଚାରିଥିଲେ—ଛି, ପିଲାଙ୍କ ପରି କାନ୍ଦୁଛ ? ସଲୀଳାଙ୍କ ଆଖିରୁ ଲୁହପୋଛି ଦେଇଥିଲେ ସେ । କହିଥିଲେ ତୁମେ କାନ୍ଦିଲେ ଜାଣିଛ ମୋର ଯୁଦ୍ଧରେ ଅମଙ୍ଗଳ ହେବ । ବୋହି ଆସୁଥିବା ଲୁହକୁ ଚପେଇବାକୁ ଚେଷ୍ଟା କରୁଥିଲେ ସଲୀଳା ।

ଠିକ୍‌ ସେହିଦିନ ବ୍ରିଗେଡ଼ିୟର୍‌ ଶର୍ମା ସାହେବଙ୍କ ଠାରୁ ଚିଠି ପାଇଥିଲେ ମିଃ ମାଥୁର୍‌ ।

ଚିଠିରେ ଲେଖାଥିଲା—‘‘ଡିଅର୍‌ ମାଥୁର୍‍, ପକ୍ୱକେଶ ରୋଗଗ୍ରସ୍ତ ହୋଇ ତୁମେ କଣ ସେଇ ଅଚିହ୍ନା ମଶାଣି ପଦାରେ ମରିପାରିବ ? ତୁମେ କଣ ମରିପାରିବ ନାହିଁ ଏଇ ପବିତ୍ର ବୀରଭୂମିରେ ଯେଉଁଠି ଶହ ଶହ ବୀର ଦେଇଛନ୍ତି ପ୍ରାଣବଳି । ମୋର ଆଶା ଓ ବିଶ୍ୱାସ ନିର୍ଜୀବ ନିଷ୍ପନ୍ଦ ଜୀବନ ଛାଡ଼ି ତୁମେ ଫେରି ଆସ ତୁମର ପବିତ୍ର ରଣଭୂମିକୁ । ସ୍ତ୍ରୀର ପଣତକାନିରେ ବାନ୍ଧିହେବା ସାମୟିକ, ମାତ୍ର ଶତ୍ରୁର ରକ୍ତବୋଳି ପୁଣି ରଣଭୂମିରେ ମରିବା ଯେ ଚିରନ୍ତନ ଓ ବିରୋଚିତ କାର୍ଯ୍ୟ ମୋତେ କଣ ବୁଝାଇବାକୁ ପଡ଼ିବ ମେଜର୍‌ ମାଥୁର୍‌ । ଦେଶ ତୁମଠାରୁ ଅନେକ କିଛି ଚାହେଁ ।’’

ବ୍ରିଗେଡ଼ିୟର୍‌ ଶର୍ମାସାହେବଙ୍କ ଚିଠି ପଢ଼ି ମେଜର୍‌ ମାଥୁର୍‌ ଜୀଇଁଉଠିଲା ତାଙ୍କ ଭିତରେ । ତାପରେ ସେ ଦେଖିଲେ ସେ ପୁଣି ବୀରଦର୍ପରେ ଆଗେଇ ଯାଉଛନ୍ତି । ତାଙ୍କ ପାଇଁ ପାହାଡ଼, ବଣ ବାଧାବନ୍ଧନ କିଛି ନାହିଁ । ପୁଣି ଆସିଲା ମନରେ ସେଇ ଯୁଦ୍ଧର ଦୃଶ୍ୟାବଳୀ । କାନ୍ଧରେ ଗନ୍‌ ପକାଇ ଆଗେଇ ଯାଉଛନ୍ତି ସୋଲ୍‌ଜରମାନେ । ବ୍ରିଗେଡ଼ିୟର୍‌ ଶର୍ମାସାହେବ ଓହ୍ଲାଇ ଆସୁଛନ୍ତି ସେଇ ପାହାଡ଼ ଉପରୁ ବାଏନାକୁଲର୍‌ ଧରି ରେଜିରେଣ୍ଟ୍‌ ଆଡ଼େ । ନିଜର ପ୍ରାଣପ୍ରିୟା ପତ୍ନୀ ସଲୀଳା ଅଛନ୍ତି ତାଙ୍କ ଠାରୁ ବହୁଦୂରରେ ।

ତା’ପରେ ସେ ଯେଉଁଦିନ ଫେରିଲେ ରଣକ୍ଷେତ୍ରକୁ ସେତେବେଳେ ଦୁଇଟି ଶୁଷ୍କ ମୁହଁ ଏବଂ ଚାରୋଟି ଲୁହ ଛଳ ଛଳ ଆଖି ତାଙ୍କ ଆଗରେ ନିର୍ନିମେଷ ନୟନରେ ଚାହିଁରହିଥିଲା । ମନେଅଛି, ସଲୀଳା ପଚାରିଲେ ପ୍ରଶ୍ନଟିଏ ଆଉ କେବେ ଫେରିବ ?

ମେଜର୍‌ ମାଥୁର୍‌ ଉତ୍ତର ଦେଇଥିଲେ, ‘‘ଯୁଦ୍ଧକୁ ଯିଏ ଯାଏ, ସେ କେବେ ଫେରେ ସେ କଣ ନିଜେ କହିପାରିବ ସଲୀଳା ?’’

ସଲୀଳା କିଛି କହିପାରି ନଥିଲେ । ଶ୍ୱାସରୁଦ୍ଧ କଣ୍ଠରେ ସେ ଚାପି ଚାପି କହିଥିଲେ ‘‘ତମ ଆସିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଥିବି ।’’

ଜନ୍ମଦାତ୍ରୀଙ୍କ ପାଦରୁ ଧୂଳି ମଥାରେ ନେଲାବେଳେ ମା ତାଙ୍କର ଅନୁଭବ କରିଥିଲେ ‘‘କିଏ ଜଣେ ତାଙ୍କ ପାଖକୁ ଆସିଥିଲା କେତେ ଦିନ ପାଇଁ, ପୁଣି ଚାଲିଯାଉଚି କୁଆଡ଼େ ?’’ ସେ ପଚାରିବାର ଶକ୍ତି ହରାଇଥିଲେ । କିଏ କୁଆଡ଼େ ଯାଉଚି ପଚାରିବାକୁ ତାଙ୍କର ଶକ୍ତି ନାହିଁ ।

ଟେଣ୍ଟର ଗୋଟିଏ ନିରୋଳା ସ୍ଥାନରେ ଚେୟାରଟିଏ ପକେଇ ମାଥୁର୍‌ ସାହେବ ଭାବୁଥିଲେ ଅତୀତର ଘଟଣାରାଜି ସବୁ ଗୋଳିଆମିଶା ହୋଇ ମନର କୋଣ-ଅନୁକୋଣରେ ଚହଲିଉଠେ । ମାଥୁର୍‌ ସାହେବ କେବଳ ଚାହିଁ ରହିଥାନ୍ତି ।

ସେଦିନ ମେଜର୍‍ ମାଥୁର୍‌ ପ୍ରଥମ ସକାଳର କିରଣରେ ବସି ବ୍ରିଗେଡ଼ିୟର୍‌ ଶର୍ମାସାହେବଙ୍କର ଅପେକ୍ଷାରେ ଥିଲେ । ମାତ୍ର କିଛି ସମୟ ପରେ ତାଙ୍କ ପାଖେ ଖବର ପହଞ୍ଚିଲା ବ୍ରିଗେଡ଼ିୟର୍‌ ଶର୍ମା ଯାଇଛନ୍ତି ଚିଫ୍‌ମାର୍ଶାଲ୍‌ଙ୍କ ପାଖକୁ । ତାଙ୍କୁ ଜଣାଇଦିଆଗଲା ତାଙ୍କର ଟେଲିଗ୍ରାମ୍‌ ଆସିଛି । ମାଥୁର୍‌ ଆଶ୍ଚର୍ଯ୍ୟ ହେଲେ । ଏ ଟେଲିଗ୍ରାମ ନଚେତ୍‌ ତାଙ୍କ ଜୀବନରେ ଦ୍ୱିତୀୟ ଟେଲିଗ୍ରାମ୍‌-। ସେ କେବେ ଅନ୍ୟ କାହାରି ଠାରୁ ଟେଲିଗ୍ରାମ ପାଇନାହାନ୍ତି । ତାଙ୍କୁ ଟେଲିଗ୍ରାମ ଦିଆଗଲା । ସେ ପଢ଼ିଲେ ‘ମଦର ସିରିଅସ୍‌, ୱାଇଫ୍‌ ସିରିଅସ୍‌, କମ୍‌ସୁନ୍‌’’ ପ୍ରଥମ ଟେଲିଗ୍ରାମ ଠାରୁ ଦ୍ୱିତୀୟ ଟେଲିଗ୍ରାମ ତାଙ୍କୁ ଲାଗୁଥିଲା ଅତ୍ୟନ୍ତ ଜରୁରୀ । ମେଜର୍‌ ମାଥୁର୍‌ ଅନେକ ଦିନ ତଳେ ଛାଡ଼ିଆସିଥିଲେ ନବପରିଣୀତା ବଧୂ ସଲୀଳାକୁ ଏବଂ ତାଙ୍କର ବୃଦ୍ଧା ଜନ୍ମଦାତ୍ରୀକୁ । ରେଜିମେଣ୍ଟକୁ ଫେରିବାର ଦୃଶ୍ୟ ଭାସିଉଠିଲା ତାଙ୍କ ଆଗରେ । ଗୋଟିଏ ରକ୍ତହୀନ ଶ୍ଳଥାଚର୍ମ ବୃଦ୍ଧାର ମୁହଁ ଏବଂ ଅନ୍ୟ ଗୋଟିଏ ଜ୍ୟୋତିହୀନ ଶୁଷ୍କ ମୁହଁ ଯେପରି ତାଙ୍କର ଆସିବା ବାଟକୁ ଚାହିଁ ରହିଛନ୍ତି । ପ୍ରଥମ ଟେଲିଗ୍ରାମ ବୃଦ୍ଧା ମାତାଠାରୁ ପାଇ ସେ ଛୁଟି ପାଇଁ ବଣ୍ଡ୍‌ ଲେଖିଦେଇ ଯାଇଥିଲେ; କିନ୍ତୁ ପୁଣି ଥରେ ଯେ ସେଠାକୁ ଯିବାପାଇଁ ପରିସ୍ଥିତି ବାଧ୍ୟ କରିବ, ଏ କଥା ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ସେ ଭାବି ଆସିଥିଲେ ଆସନ୍ତା ଯୁଦ୍ଧ ପାଇଁ ତାଙ୍କୁ ପ୍ରସ୍ତୁତ ହେବାକୁ ହେବ ଓ ହୁଏତ ସେଇ ଯୁଦ୍ଧ ହିଁ ତାଙ୍କ ପାଇଁ ଶେଷ ସମର ହୋଇପାରେ । ବ୍ରିଗେଡ଼ିୟର୍‌ ଶର୍ମାସାହେବ ଶୁଣିଲେ । ହସିଲେ । ତାଙ୍କର ଫେରିବା ନେଇ କିଛି ପଚାରିଲେ ନାହିଁ । ତାଙ୍କୁ ରହିବା ପାଇଁ କିଛି ଅନୁରୋଧ କଲେନାହିଁ-। ଆଶ୍ଚର୍ଯ୍ୟ ଏଇ ଲୋକଟା ବ୍ରିଗେଡ଼ିୟର୍‌ । ଘରୁ ଟାଣିନେଲା ଏଇ ଲୋକଟାର ଚିଠି ପୁଣି ତାକୁ ରେଜିମେଣ୍ଟ୍‌କୁ; ଅଥଚ ତାଙ୍କଠାରୁ ବିଦାୟ ନେଇ ପ୍ଳେନରେ ଉଠିଲାବେଳେ ସେ କିଛି ହେଲେ କହିଲେ ନାହିଁ । କେବଳ ସ୍ମିତହସଟିଏ । ତାପରେ ଏରୋଡ଼୍ରମରେ ଠିଆହୋଇ ସେ ତାଙ୍କର ରୁମାଲ୍‌ ହଲେଇଲେ, ବିଦାୟ ନେଇଗଲେ ।

 

ପ୍ଳେନରେ ଉଡ଼ିଲାବେଳେ ତାଙ୍କର ମନ ଧାଉଁଥିଲା ସେଇ ପୁରୁଣା ଗ୍ରାମର ନିଜ ଭାଟିମାଟିକୁ । ବୃଦ୍ଧାଜନ୍ମଦାତ୍ରୀ ତାଙ୍କର ଚାହିଁ ରହିଥିବେ, ଆଉ ମାତ୍ର ଅଳ୍ପଦିନରେ ତାଙ୍କୁ କିଣିନେଇଥିବା ପ୍ରାଣପ୍ରିୟା ସଲୀଳା ଆଗେଇ ଆସିବେ ହସ ହସ ମୁଖରେ । ମେଜର୍‌ ମାଥୁର୍‌ ପୁଣି ଥରେ ମରିବ । ମରିଥିଲା ସେ, ସେଇଦିନ ଯେଉଁଦିନ ହୋମଧୂଆଁର କୁଣ୍ଡଳୀ ଭିତରେ ଏକ ଶାନ୍ତ ସଲଜ୍ଜ ହସ ହସ ମୁଖର ପରିଚୟ ପାଇଥିଲେ, ଯେଉଁଦିନ ଚତୁର୍ଥୀ ରାତିରେ ପ୍ରଥମ ପରିଚୟରେ ତାଙ୍କରି ଭିତରର ଅନ୍ୟ ପୁରୁଷଟି ହସିହସି ପଚାରିଥିଲା, ‘‘ତୁମେ ସଲୀଳାପରି ସ୍ୱଚ୍ଛ ଏବଂ ସୁନ୍ଦର ନା’’ ? କେତେଦିନ ପରେ ତାରି ଭିତରୁ ଜନ୍ମ ନେଇଥିଲା ଅଧ୍ୟାପକ ମିଃ ମାଥୁର୍‌ । ତାପରେ ପୁଣି ମୃତ୍ୟୁ । ପୁଣି ନବଜନ୍ମ । ଏଇ ମୃତ୍ୟୁ ଏବଂ ଜନ୍ମର ଘୂର୍ଣ୍ଣାୟମାନ ଚକ୍ର ଭିତରେ ମେଜର୍‌ ମାଥୁର୍‌ ବଞ୍ଚିଛନ୍ତି ମରିଛନ୍ତି । ବଞ୍ଚିବା ଏବଂ ମରିବା ତାଙ୍କର ଶେଷ ହୋଇନାହିଁ । ମେଜର୍‌ ମାଥୁର୍‌ କେଉଁଦିନ ଚିରଦିନ ପାଇଁ ସମାଧି ନେବେ କିମ୍ୱା ଚିର ଅମରତ୍ୱ ବରଣ କରିବେ ସେଇଦିନକୁ ଅପେକ୍ଷା କରିବେ ସେ । କଣ ଭାବି ସେ ଘୁମେଇ ପଡ଼ିଲେ ।

 

କାହାର ସୁନ୍ଦର କଳ କଳ କଣ୍ଠର ଭାଷାରେ ମେଜର୍‌ ମାଥୁର୍‌ଙ୍କର ନିଦ୍ରାଭଙ୍ଗହେଲା । ତାଙ୍କ ପାଖରେ ଠିଆହୋଇ ରହିଥିଲେ ଜଣେ ସୌମ୍ୟବଦନା ସୁନ୍ଦରୀ ଏୟାର ହୋଷ୍ଟେଜ୍‌ । ପଚାରୁଥିଲେ, ‘‘ତୁମେ କଣ ଅସୁସ୍ଥ ମିଃ ମାଥୁର ?

 

‘‘ନାଁ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ମାଡ଼ାମ୍‌ । ଉତ୍ତର ଦେଲେ ସେ । ‘‘ଜଣାପଡ଼ୁଛି ଆପଣ ଭାରି ଚିନ୍ତିତ ଅଛନ୍ତି ? କଣ ଘରକଥା ଭାବୁଛନ୍ତି ? ଏୟାର୍‌ ହୋଷ୍ଟେଜ୍‌ଙ୍କର ପ୍ରଶ୍ନ । ମେଜର୍‌ ମାଥୁର୍‌ ହସିଲେ । ଅନେକ ଦିନପରେ ଘରକଥା ପଚାରିବା ବ୍ୟକ୍ତି ଭିତରେ ବୋଧହୁଏ ପ୍ରଥମରେ ସେ ଏଇ ନାରୀଙ୍କଠାରୁ ଶୁଣୁଛନ୍ତି । ଉତ୍ତରଦେଲେ ସେ ‘‘ହଁ ମାଡ଼ାମ୍‌, ଅନେକ ଦିନପରେ ସୀମାନ୍ତରୁ ଫେରୁଛି-। ଘରକଥା କିଛି କିଛି ଭାବିବାକୁ ଚେଷ୍ଟା କରୁଥିଲି ।

 

‘‘ଘରେ ଆପଣଙ୍କର ଆଉ କିଏ ସବୁ ଅଛନ୍ତି ? ପ୍ରଶ୍ନକର୍ତ୍ତ୍ରୀଙ୍କ ମୁହଁରେ ଅତ୍ୟନ୍ତ କୌତୂହଳ ।’’

 

‘‘ମା ଏବଂ ମୋର ମୋର ସ୍ତ୍ରୀ । ମା ବିଶେଷ ବୃଦ୍ଧା । ଅତନ୍ତଃ ବର୍ଷେ ଦୁଇବର୍ଷ ଭିତରେ ତାଙ୍କର ଶେଷକୃତ୍ୟ କରିବାକୁ ହିଁ ପଡ଼ିବ । ଆଉ ସ୍ତ୍ରୀ......’’

 

‘‘ଓଃ ଆପଣଙ୍କର ୱାଇଫ୍‌ କଥା କହୁଛନ୍ତି ! ସେ ବୋଧେ ଖୁବ୍‌ ଭଲ ହୋଇଥିବେ ।’’ ମୁହଁରେ ସାମାନ୍ୟ ଭୟ, ସାମାନ୍ୟ ହସ, ସାମାନ୍ୟ କୌତୂହଳ ଆଣି ଏୟାରହୋଷ୍ଟେଜ୍‌ ଜଣକ କହିଲେ ।

 

ମେଜର୍‌ ମାଥୁର କଥାର ଧାରା ବଦଳାଇଲେ । ପଚାରିଲେ, ‘‘ଭୁବନେଶ୍ୱର ଆଉ କେତେ ବାଟ ରହିଲା ମାଡ଼ାମ୍‌ ?’’

 

‘‘ଆମେ ଆଉ ପନ୍ଦର ମିନିଟ୍‌ ଭିତରେ ପହଞ୍ଚିବା । ତାଙ୍କର ୱାଚ୍‌କୁ ଚାହିଁ ଉତ୍ତରଦେଲେ ସେ । ମେଜର୍‌ ମାଥୁର୍‌ ଥରେ ବସିଥିବା ନାରୀ ଓ ପୁରୁଷମାନଙ୍କ ଉପରେ ଆଖି ବୁଲେଇଦେଇ ଶୋଇବାକୁ ଚେଷ୍ଟାକଲେ । ଏୟାରହୋଷ୍ଟେଜ୍‌ ଜଣକ ଟିକେ ତାଙ୍କ ଆଡ଼କୁ ତୀର୍ଯ୍ୟକ୍‌ ଚାହାଣିରେ ଚାହିଁ ଫେରିଗଲେ ଅନ୍ୟ ଜଣେ ଭଦ୍ରବ୍ୟକ୍ତିଙ୍କ ପାଖକୁ ।

 

ଏରୋଡ୍ରମରୁ ସେ କାରରେ ଚାଲିଲେ ତାଙ୍କର ଗାଁକୁ । ଘର ଭିତରେ ଧପ୍‌ ଧପ୍‌ ପଶିଗଲେ ସେ । ସଲୀଳା ଆସିଲ, ପଦଧୂଳି ନେଲେ । ମାଥୁର୍‌ ତାଙ୍କୁ ଚିହ୍ନି ପାରିଲେ ନାହିଁ ଯେମିତି-। ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗିଯାଇଛି ପୂରାପୂରି ।

 

ମା କେମିତି ଅଛନ୍ତି ସଲୀଲା ? ତାଙ୍କର ପ୍ରଶ୍ନ । ଆସ୍ତେ ଉତ୍ତର ଦେଲେ ସେ—ସେ ସମ୍ପୂର୍ଣ୍ଣ ଅସୁସ୍ଥ କହି ସେ ଲୁଗାକାନିରେ ଆଖି ପୋଛିଲେ ।

 

ମାଥୁର୍‌ ମାଙ୍କୁ ଦେଖିଲେ ଗୋଟିଏ କଙ୍କାଳସାର ବୃଦ୍ଧାର ଅବୟବ ପଡ଼ିରହିଚି ଖଟ ଉପରେ । ସେଥିରେ ଜୀବନୀଶକ୍ତି ଅଛି କି ନାହିଁ ସେ ଜାଣିପାରିଲେ ନାହିଁ । ମାଥୁର୍‌ଙ୍କର ଅତୀତର ସ୍ମୃତି ଆସି ଠିଆହୁଏ ଆଗରେ । ଅରକ୍ଷଣୀୟା ସେହି ଗ୍ରାମ ସେବିକାଟି ଗୋଟିଏ ଛୋଟ ଶିଶୁକୁ ଛାତିରେ ଜାକି ଘୂରି ବୁଲୁଚି ଗ୍ରାମରୁ ଗ୍ରାମକୁ । ଛୋଟ ଶିଶୁଟି କାନ୍ଦିଉଠୁଛି ତୁହାକୁତୁହା । ଉପରେ ନିଆଁ ଆଉ ବର୍ଷା, ତଳେ ପଥର ଆଉ କଣ୍ଟା, ତାରି ଭିତରେ ଆଗେଇ ଚାଲିଚି ଶୁକ୍ଳ ବସନା ଗ୍ରାମ ସେବିକାଟି । ସେଇ ସେବିକାଟି ସଙ୍ଗେ ଛନ୍ଦା ମେଜର୍‍ ମାଥୁର୍‌ର ଦେହ ଆଉ ହୃଦୟ । ଦୁଇଟାଯାକ ଜୀବନ ନିଆଁ ଆଉ ବର୍ଷାରେ ଗଢ଼ା, ପଥର ଆଉ କଣ୍ଟାପାଇଁ ସାମ୍ନାସାମ୍ନି ।

 

ମେଜର୍‍ ମାଥୁର୍‌ ନିଜକୁ ଅତି କ୍ଷୁଦ୍ର ମନେକଲେ ସଲୀଳାଙ୍କ ନିକଟରେ । ସେ ଯୁଦ୍ଧରେ ଅନେକ ମଣିଷ ମାରିଛନ୍ତି; ହେଲେ କାହାରିକୁ ପ୍ରାଣଦାନ ଦେଇପାରି ନାହାନ୍ତି; କିନ୍ତୁ ସଲୀଳା ତାଙ୍କ ଆସିବା ପର୍ଯ୍ୟନ୍ତ ବଞ୍ଚେଇ ରଖିଛନ୍ତି ତାଙ୍କର ଜନ୍ମଦାତ୍ରୀକୁ । ଯିଏ କିଛି କରି ନାହିଁ ସଲୀଳାଙ୍କର । କେବଳ ଶାଶୁର ଦାବି ନେଇ ସେ ଚାହିଁଚି ବୋଧହୁଏ ସେବା, ସାହାଯ୍ୟ, ସହାନୁଭୂତି, ଆନ୍ତରିକତା ।

 

ମନେ ମନେ ସେ ଧନ୍ୟବାଦ ଦେଲେ ସଲୀଳାଙ୍କୁ ! ମେଜର୍‍ ମାଥୁର୍‌ ଡାକ୍ତର ଡକାଇଲେ । ହେଲେ ସେ ଆସିବା ପରଦିନ ମା ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କଲେ । ସତେ ଯେପରି ସେଇ ନିର୍ଜୀବ ଡୋଳା ଦୁଇଟା ଅନେଇ ରହିଥିଲା ପୁଅକୁ ଥରେ ଦେଖିବା ପାଇଁ । ଶେଷ ମୁହୂର୍ତ୍ତରେ ବୃଦ୍ଧାଙ୍କ ଶୂନ୍ୟ ହୃଦୟ ବୋଧହୁଏ ପୂର୍ଣ୍ଣ ହୋଇପାରିଥିଲା ମେଜର୍‌ ମାଥୁର୍‌ଙ୍କର ଉପସ୍ଥିତି ଯୋଗୁ ।

 

କେତେଦିନ ପରେ ଦିନେ ମେଜର୍‌ ମାଥୁର୍‌ ଅନୁରୋଧ କଲେ ସଲୀଳାଙ୍କ ଆଗରେ ଚତୁର୍ଥୀ ରାତିର ନବପରିଣୀତା ବଧୂ ପରି ସେ ପୁଣି ବଧୂବେଶ ସାଜିବାକୁ । ପୁଣି ପାଦରେ ଅଳତା ଦେବେ ଓ ମୁଣ୍ଡରେ ସିନ୍ଦୂର ବିନ୍ଦୁ ଦେବେ । ସୁନ୍ଦର ବସ୍ତ୍ର ପିନ୍ଧି ସେ ମୁହଁରେ ପଣତ ଝୁଲାଇବେ । ସଲୀଳା ମାଥୁର୍‌ଙ୍କର କଥାରେ ଆଶ୍ଚର୍ଯ୍ୟ ହେଲେ ନାହିଁ । ଦିନେ ଦିନେ ଏମିତି ତାଙ୍କର ଆଶ୍ଚର୍ଯ୍ୟ ରକମର ଅନୁରୋଧ ବାହାରେ ତାଙ୍କ ପାଖରେ । ସଲୀଳା ମାଥୁର୍‌ଙ୍କ ଖୁସିପାଇଁ ଇଚ୍ଛା ଥାଉ ବା ଇଚ୍ଛା ବିରୁଦ୍ଧରେ ହେଉ ସବୁ କରିଛନ୍ତି । ମାଥୁର୍‌ଙ୍କର ଖୁସିପାଇଁ ହଉପଛେ କଷ୍ଟ, ସେ ସେହି କଷ୍ଟକୁ ହସି ହସି ସହିଯିବେ । ତାଙ୍କର ହସ ଦେଖିଲେ ସଲୀଳା ଭୁଲିଯାଆନ୍ତି ନିଜର ଦୁଃଖ, ନିଜର ବେଦନା, ନିଜର କ୍ଳାନ୍ତି । ସଲୀଳା ‘‘ପତି ପରମ ଗୁରୁ’’ ଏହି ମହା ମନ୍ତ୍ର ଘୋଷି ଆସିଥିଲେ ବାପଘରୁ । ସେହି ମହାମନ୍ତ୍ରକୁ କେବଳ ନ ଘୋଷି ସେ ମନ ଓ ପ୍ରାଣରେ କାର୍ଯ୍ୟରେ ଲଗାଇ ଚାଲିଥିଲେ । ସେଥିପାଇଁ ମାଥୁର୍‌ଙ୍କର ବହୁ ଶିଶୁ ସୁଲଭ ଗୁଣକୁ ମଧ୍ୟ ତାଙ୍କୁ ସହିବାକୁ ପଡ଼ୁଥିଲା । ମାଥୁର୍‌ ସେଦିନ ଏଇ ଆଶ୍ଚର୍ଯ୍ୟ ଅନୁରୋଧ କରିଥିଲେ । ସଲୀଳା ହସି ହସି କହିଥିଲେ, ‘‘ଛିଃ ତୁମର ସେଇ ପିଲାଳିଆମି ଆଜିପର୍ଯ୍ୟନ୍ତ ଗଲା ନାହିଁ ? ବଡ଼ ହେଲେ ଏସବୁ ଛାଡ଼ିବାକୁ ହୁଏ ।

 

ମାଥୁର୍‌ ଆଶ୍ଚର୍ଯ୍ୟ ହେଲେ । ପତ୍ନୀ ତାଙ୍କର ଉପଦେଶ ଦେଉଛନ୍ତି ତାଙ୍କୁ । କେଉଁ ବୟସରେ କଣ କଣ କରିବାକୁ ହୁଏ କହୁଛନ୍ତି । ମଣିଷର ପ୍ରକୃତି ବୟସର ସୀମାକୁ ଅପେକ୍ଷା କରେ ନାହିଁ । ସବୁ ବୟସର ଊର୍ଦ୍ଧ୍ୱରେ ଅଛି ସେଇ ଶିହରଣ ଓ ଉତ୍ତେଜନା—ଯାହା ଚିରନ୍ତନ ଓ ସୁନ୍ଦର । ମଣିଷ ମନର କୋଣରେ ସେଇ ମଧୁର ଅନୁଭୂତି ସାଇତି ହୋଇ ରହିଯାଏ । ଯାହା ଯେ କୌଣସି ବୟସ ବେଳେ ବାହାରେ । ସେତେବେଳେ କାହା କଥାର ଅବଦାନ ମନ ଉପରେ ପ୍ରଭାବ ପକାଇପାରେ ନାହିଁ । ମାଥୁର୍‌ଙ୍କ ମନରେ ସ୍ତ୍ରୀଙ୍କ କଥା କିଛି ପ୍ରଭାବ ପକାଇଲା ନାହିଁ । ଓଲଟି ନିଆଁ ଉପରେ ଘିଅ ପଡ଼ିଲେ ନିଆଁ ଯେପରି ଜୋରରେ ଜଳିଉଠେ, ସେହିପରି ପ୍ରଥମ ରାତ୍ରିର ମଧୁର ସ୍ମୃତିର ଶିହରଣ ତାଙ୍କ ମନରେ ବେଶି ବେଶି ଫୁଟି ଉଠିଲା ।

 

ଶେଷରେ ସଲୀଳା ତାଙ୍କ କଥାରେ ହଁ ଭରିଲେ । ସେ ପ୍ରଥମ ରାତ୍ରିର ବଧୂ ପରି ବଧୂ ବେଶ ସାଜିବେ । ପାଦରେ ଅଳତା ଦେବେ ଓ ସିନ୍ଦୂର ଦେବେ ମଥାରେ । ମାଥୁର୍‌ଙ୍କ ଆନନ୍ଦ ପାଇଁ ସେ ସବୁକିଛି କରିପାରିବେ, ଯେପରି ତାଙ୍କର ଖୁସି । ମାଥୁର୍‌ ତାଙ୍କ ମୁହଁକୁ ଚାହିଁ ହସିଦେଲେ । ସଲୀଳାଙ୍କ ପ୍ରତ୍ୟୁତ୍ତର ଥିଲା ବି ସେମିତି ସ୍ମିତ ହସଟିଏ ।

 

ସେଦିନ ମାଥୁରସାହେବ ବଜାରରୁ ବିଭିନ୍ନ ରଙ୍ଗର ଫୁଲମାଳ ଅଣେଇଲେ । ଯେଉଁଘରେ ତାଙ୍କର ଚତୁର୍ଥୀ ପାଳନ ହୋଇଥିଲା, ସେହି ଘରଟିକୁ ସେ ନିଜ ହାତରେ ସଜେଇଦେଲେ । ମଙ୍ଗଳ ପ୍ରଦୀପ ଜାଳିବା ପାଇଁ ଗୋଟିଏ ନୂଆ ପ୍ରଦୀପ କିଣିଲେ । ବେଳେବେଳେ ସଲୀଳା ଆସି ସେ ଘରବାଟେ ଚାଲିଯାଉଛନ୍ତି ଓ ଚୁପଚୁପି ହସିଦେଉଥାନ୍ତି ମାଥୁର୍‌ଙ୍କ ମୁହଁକୁ ଚାହିଁ । ମାଥୁର୍‍ ଯେମିତି ତାଙ୍କ କାମରେ ନିମଗ୍ନ ଥା’ନ୍ତି ।

 

ମାଥୁର୍‌ ଭୁଲିଯାଇଥିଲେ ତାଙ୍କର ପ୍ରଥମ ମଧୁଶଯ୍ୟାର ସ୍ମୃତି । ଆଜିଦିନ ହିଁ ତାଙ୍କର ପ୍ରଥମ ମଧୁଶଯ୍ୟା । ଏ ଜୀବନର ବହୁ ସାଇତା ଗୋପନପେଡ଼ିର କଥା ମାଥୁର୍‌ ସାହେବ ଖୋଲିବେ ସଲୀଳାଙ୍କ ଆଗରେ । ସଲୀଳା ତାଙ୍କ ମଧୁର ଅନୁଭୂତିକୁ ଗ୍ରହଣ କରି ରୋମାଞ୍ଚିତ ହେବେ । ବିଭୋର ହେବେ ସୁଖ ସ୍ୱପ୍ନରେ ।

 

ସେଦିନ ଥିଲା ମାଥୁର୍‌ଙ୍କ ପାଇଁ ଏକ ରମଣୀୟ ରାତ୍ର ଯାହା ତାଙ୍କ ମନରେ କାମନାର ସହସ୍ର ଦିପାଳୀ ଜାଳୁଥିଲା ।

 

ରାତ୍ରିର ନୀରବତା ଭିତରେ ମଙ୍ଗଳପ୍ରଦୀପର ଝିରି ଝିରି ଆଲୁଅରେ ବଧୁବେଶ ସାଜି ଆସିଲେ ସଲୀଳା । ମଥା ଉପରେ ପଣତ ଥିଲା; କିନ୍ତୁ ପଣତ ତାଙ୍କର ମୁଖକୁ ଗୋପନ କରି ନଥିଲା । ସଲୀଳାଙ୍କ ମୁହଁର ସଲଜ୍ଜ ହସରେ ମାଥୁର୍‌ ମୁଗ୍ଧ ହେଲେ ।

 

‘‘ତୁମେ ସଲୀଳା ପରି ସ୍ୱଚ୍ଛ ଆଉ ସୁନ୍ଦର ନା’’ ? ମନେପଡ଼ିଲା ମାଥୁର୍‌ଙ୍କର ସେଇ ଧାଡ଼ିଟି । ଯେଉଁ ଧାଡ଼ିଟିର ଉଚ୍ଚାରଣରେ ସେ ଗଭୀର ପରିତୃପ୍ତି ଲାଭକରନ୍ତି । ସେ ପୁଣି ଥରେ ସେଇ ପ୍ରଶ୍ନ ପଚାରିଲେ ସଲୀଳାଙ୍କୁ । ସଲୀଳା କଣ କହିବାକୁ ଚେଷ୍ଟା କଲେ ।

 

‘‘କୁହ !’’ ମାଥୁର୍‌ଙ୍କର ଅନୁରୋଧ ।

 

‘‘ସଲୀଳା ସ୍ୱଚ୍ଛ କି ସୁନ୍ଦର ତା’ କ’ଣ ସଲୀଳା ଜାଣେ ? ତୃଷାର୍ତ୍ତ ବ୍ୟକ୍ତି ଜାଣେ ନାହିଁ ? ମାଥୁର୍‌ ହସିଦେଲେ । ତାପରେ ଗାଇଉଠିଲେ ଓମର୍‌ ଖାୟାମ୍‌ଙ୍କ କବିତାରୁ ପଦେ । ସଲୀଳା ବୁଝିଲେ ଗୀତର ଅର୍ଥ । ତାଙ୍କର ମନ ଓ ପ୍ରାଣକୁ ଆଲୋଡ଼ିତ କରୁଥିଲା ଶବ୍ଦର ସ୍ପର୍ଶ ଓ ଯାଦୁକରୀ ଶକ୍ତି ।

 

ମାଥୁର୍‌ ଆଲିଙ୍ଗନ କଲେ ସଲୀଳାଙ୍କୁ । ତାଙ୍କ ଓଠରେ ଚୁମ୍ୱନ ଟାଣିଦେଲେ । ତାଙ୍କର ଘନକୃଷ୍ଣ କେଶକୁ ଦୁଇଥର ସାଉଁଳାଇ ଦେଲେ ।

 

ତା ପରେ ସେ ଅନୁଭବ କଲେ ତାଙ୍କ ଭିତରେ ଗର୍ଜ୍ଜନ କରୁଥିବା ବାଘଟା ଆଉ ଗର୍ଜ୍ଜୁନାହିଁ’ । ଦୁଇ ଓଠରେ ଜିଭଚାଟି ଜିଭକୁ ଏପାଖ ସେପାଖ ବୁଲାଉ ନାହିଁ । କି ଦୁଇ ପଞ୍ଝାରୁ ନଖ ବାହାର କରି ଶୀକାର ଉପରେ ଝାମ୍ପ ମାରୁନାହିଁ । ଆଖିପତା ବନ୍ଦକରି ତାଙ୍କ ଭିତରର ବାଘଟା ଶୋଇବାକୁ ଚେଷ୍ଟା କରୁଛି ।

 

ମାଥୁର୍‌ସାହେବ ସଲୀଳାଙ୍କୁ ଛାଡ଼ି ଫେରିଆସିଲେ ଶଯ୍ୟାକୁ । ଅର୍ଦ୍ଧନିମିଳିତ ଚକ୍ଷୁରେ ସେ ଶୋଇରହିଲେ । ସେ ଅନୁଭବ କଲେ ତାଙ୍କ ପୌରୁଷ ଉପରେ ଗୋଟାଏ ବିରାଟ ପଥର ଚାପା ପଡ଼ିଯାଇଛି । ସେ ଚାପା ଯେପରି ଆଉ ଉଠିବାର ନୁହେଁ । ସଲୀଳା ତାଙ୍କ ଶଯ୍ୟାପାଖରେ ବସିପଡ଼ିଲେ । ହଠାତ୍‌ କାକୁସ୍ଥ ହୋଇ ପଚାରିଲେ, ‘‘ଏଁ ? କ’ଣ ହେଲା ତୁମର ? କ’ଣ ହେଲା ? କ’ଣ ଦେହ ଅସୁସ୍ଥ ଲାଗୁଛି ?

 

ସଲୀଳା ପଚାରିଗଲେ ଗୋଟିକ ପରେ ଗୋଟିଏ ପ୍ରଶ୍ନ । ମାଥୁର୍‌ ସାହେବ କିଛି ଉତ୍ତର ଦେଲେ ନାହିଁ, କି ଉତ୍ତର ଦେବେ ସେ ଖୋଜିଖୋଜି ଭାଷା ପାଇଲେ ନାହିଁ । କିଛି ସମୟ ପରେ କହିଲେ ତୁମେ ଯାଅ ସଲୀଳା । ମୋତେ ଟିକେ ଶୋଇବାକୁ ଦିଅ । ସେ ଶୋଇପଡ଼ିଲେ ନିଦ୍ରାରେ-। ସଲୀଳା ଉଠିଆସିଲେ ମାଥୁର୍‌ ସାହେବଙ୍କ ପାଖରୁ । ଦେହରୁ ସବୁ ଅଳଙ୍କାର ଖୋଲିଦେଲେ-। ବଧୁ ବେଶ ବଦଳାଇଦେଲେ ସେ । ମାଥୁର୍‌ଙ୍କର କୋଠରୀର ଦ୍ୱାର ଆଉଜାଇଦେଲେ । ଆସିଲେ ସେ ଅନ୍ୟ ଗୋଟିଏ କୋଠରୀକୁ । ସେ କାନ୍ଦିବାକୁ ଲାଗିଲେ । ଶ୍ରାବଣର ବର୍ଷାପରି ତାଙ୍କ ଆଖିରୁ ଅବିରତ ଲୁହ ଝରିବାକୁ ଲାଗିଲା ।

 

ନାରୀ ଏବଂ ପୁରୁଷର ମିଳନ ମୂଳରେ ରହିଥାଏ ବାଇବେଲ୍‌ର ଆଦମ୍‌ ଏବଂ ଇଭ୍‌ର ଆଦିମ ପିପାସା । ସେହି ପିପାସା ପୂର୍ଣ୍ଣହେଲେ ନାରୀ ସ୍ୱାମୀ ସୋହାଗିନୀ ହୁଏ । ସ୍ୱାମୀର ସହଧର୍ମିଣୀ ଓ ସହକର୍ମିଣୀ ହୁଏ । ମାତ୍ର ପିପାସା ପୂର୍ଣ୍ଣ ନହେଲେ ଜୀବନ ନଈରେ ଜୁଆର ଆସେ ନାହିଁ । ଭଟ୍ଟା ପଡ଼ିଯାଏ । ଭଟ୍ଟା ପଡ଼ିଥିବା ଜୀବନ-ନଈରେ ଜୁଆର ଆଣିବା ପାଇଁ ନାରୀ ଖୋଜେ ପୁରୁଷ । ପୁରୁଷ ଖୋଜେ ନାରୀ । ସମାଜ ସ୍ୱୀକୃତି ନଦେଲେ ପୁରୁଷ ଲମ୍ପଟ ଓ ନାରୀ ହୁଏ ଅସତୀ-। ଏହି ସାର୍ବଜନୀନ ସତ୍ୟର ଶିକାର ହୋଇଥିଲେ ମେଜର୍‍ ସାହେବଙ୍କ ପତ୍ନୀ ସଲୀଳା ମାଥୁର୍‌-। ଜୀବନର ସେ ସବୁବେଳପାଇଁ ସ୍ୱାମୀଙ୍କୁ ପଣତରେ ବାନ୍ଧିବାକୁ ଚେଷ୍ଟା କରିନାହାନ୍ତି । କିନ୍ତୁ ଦ୍ୱିତୀୟ ଚତୁର୍ଥୀ ରାତିର ମିଳନ ଚରମ ବିଫଳତାରେ ପରିଣତ ହେଲା ପରେ ସେ ଭାଙ୍ଗିପଡ଼ିଲେ । କଣ ନେଇ ଜୀବନରେ ସେ ସୁଖ ସ୍ୱପ୍ନ ଦେଖିବେ ? କାହାକୁ ଆଶ୍ରୟକରି ବଞ୍ଚି ରହିବେ ? ସମାଜ କହୁଥିବା ତାଙ୍କର ସ୍ୱାମୀଟିଏ ଅଛି । ମାତ୍ର ତାଙ୍କର ପୁରୁଷଟିଏ ନାହିଁ । ନାରୀ ଚାହେଁନା ଧନ, ରୂପ, ଚାହେଁ ତାର ମନର ଉଜାଣି ନଈରେ ଗୋଟାଏ କଠିନ ବନ୍ଧୁର ସ୍ପର୍ଶ ଯିଏ ତାକୁ ଆଶ୍ଳେଷରେ ଭିଡ଼ିଧରିବ । ଯିଏ ତାର ମନର ଭଣ୍ଡାରରେ ହୀରାମୋତିମାଣିକ୍ୟର ଭଣ୍ଡାର ସଜାଡ଼ିଦେବ ସମାଜରେ ତାକୁ ମାତୃତ୍ୱ ଦେବ, ପରିଚିତା କରିବ ସେ ଜନନୀ, ଜାୟା, କିନ୍ତୁ ମେଜର୍‍ ସାହେବ-?

 

ସେ ସଲୀଳାଙ୍କର ସ୍ୱାମୀ । ନାରୀର ପୁରୁଷ ନୁହଁନ୍ତି । ସଲୀଳା ମାଥୁର୍‌ଙ୍କ ଆଗରେ ଦୁଇଟା କଥା ଭାରି ସ୍ପଷ୍ଟ ଦେଖାଯାଏ । ଗୋଟିଏ ହିନ୍ଦୁନାରୀର ଆଦର୍ଶ କଥା, ଅନ୍ୟ ଗୋଟିଏ ତାଙ୍କ ନାରୀତ୍ୱର ସମ୍ମାନ । ଯାହା ନିରାଟ ବାସ୍ତବ, ନାରୀ ପାଇଁ । ଆଦର୍ଶ ତା ଆଗରେ ସର୍ବଦା ତୁଚ୍ଛ ହୋଇପଡ଼େ ।

 

ସେ ଭାବନ୍ତି ଆଦର୍ଶକୁ ନେଇ ବଞ୍ଚିବେ କି ? ସମାଜରେ ସେ ସମ୍ମାନ ପାଇବେ ଆଦର୍ଶ ପତ୍ନୀଭାବରେ । ଆଦର୍ଶ ଗୃହିଣୀ ହିସାବରେ, କିନ୍ତୁ ବଦଳରେ କଣ ସେ ପାଇବେ ? କଣ ଲାଭ ହେବ ତାଙ୍କର ? ଖାଲି ଶୁଷ୍କ ଆଦର୍ଶର ଖୋଳପା ଭିତରେ ସେ ଅଭିନୟ କରିଯିବେ ଯାତ୍ରାର ଗୋଟିଏ ଜୋକର୍‌ ପରି । ଯାହାର କାମ ଖାଲିହସିବା ଆଉ ହସାଇବା । ତାର ଦୁଃଖ କେହି ବୁଝିବାକୁ ଆସିବେ ନାହିଁ । କେହି ବୁଝିବେ ନାହିଁ ଜୋକର୍‌ ସତରେ କାନ୍ଦେ ବୋଲି । ଭାବନାର ଦୋଳିରେ ଦୋଳାୟିତ ହେଉଥାଆନ୍ତି ସଲୀଳା ମାଥୁର୍‌ । ମନଭିତରେ ଆଦର୍ଶ ଯେତିକି ପ୍ରଭାବ ପକାଏ ବାସ୍ତବ ପ୍ରଭାବ ପକାଏ ତାଠାରୁ ଢେରବେଶୀ । ଭାବନ୍ତି ସେ ଅନ୍ୟ ପୁରୁଷର ହାତଧରି ବାସ୍ତବକୁ ଆଦରିନେବେ, ନହେଲେ ସ୍ୱାମୀଙ୍କ ସହିତ ବ୍ୟର୍ଥମିଳନକୁ ସେ କେତେଦିନ ଆଦରି ନେଉଥିବେ ? କେତେଦିନ ଧରି ନିଜ ଭିତରେ ଜଳୁଥିବେ ?

 

ସଲୀଳା ଦିନେ ଶେଷ ସିଦ୍ଧାନ୍ତରେ ପହଞ୍ଚିଲେ । ସେ ଘର ଛାଡ଼ି ଚାଲିଯିବେ । କିନ୍ତୁ କେଉଁଠାକୁ ଯିବେ ? ଜୀବନରେ ପୁଣି ଏକ ମସ୍ତବଡ଼ ଭୁଲ୍‌କରି ବସିବେ ନାହିଁ ତ ? ଭବିଷ୍ୟତରେ ଯଦି ତାଙ୍କୁ ଅନୁତାପରେ ଜଳିବାକୁ ହୁଏ, ଯଦି ହୁଏ ତାଙ୍କପାଇଁ ମାଥୁର୍‌ ସାହେବଙ୍କର ଜୀବନର ଅବସାନ ? ସଲୀଳା ଦୁଇ ପାପୁଲିରେ ମୁଣ୍ଡକୁ ଚିପି ଧରନ୍ତି । ଆଖିରୁ ବ୍ୟର୍ଥତା ଓ ନୈରାଶ୍ୟର ଲୁହ ଝର ଝର ହେଇ ଝରିପଡ଼େ ।

 

କିନ୍ତୁ ଶେଷରେ ତାଙ୍କରି ମନ ଭିତରେ ଦିନେ ଆଦର୍ଶର ଅପମୃତ୍ୟୁ ହେଲା । ବାସ୍ତବର ସ୍ୱାଗତମ୍‌କୁ ଏଡ଼ାଇ ପାରିଲେ ନାହିଁ ସଲୀଳା ମାଥୁର୍‌ । ସେ ଘର ଛାଡ଼ିବେ । ସେଦିନ ସେ ଗୋଟିଏ ଟ୍ରଙ୍କରେ କିଛି ଲୁଗାପଟା ରଖିଲେ ଯାହା ସେ ଆଣିଥିଲେ ତାଙ୍କର ନିଜଘରୁ । ଭାଇ ପଠାଇଥିବା ମୁଦି ଓ ହାର ରଖିଲେ ଟ୍ରଙ୍କରେ । ମେଜର୍‍ ସାହେବ କରିଥିବା ଜିନିଷରୁ କିଛି ଛୁଇଁଲେ ନାହିଁ ସେ । ତାପରେ ତାଙ୍କର ପ୍ୟାଡ୍‌ ନେଇ ଚିଠି ଲେଖିଲେ ସ୍ୱାମୀଙ୍କର ପାଇଁ । ଅପେକ୍ଷା କଲେ ନିର୍ଜନ ନିଶୀଥକୁ ।

 

ସେଦିନ ସଲୀଳାଙ୍କ ଜୀବନରେ ସ୍ୱାମୀଙ୍କ ସହିତ ଶେଷ ଦେଖା । ନିଜେ ସୁନ୍ଦର ସୁନ୍ଦର ଖାଦ୍ୟ ପ୍ରସ୍ତୁତ କଲେ ସ୍ୱାମୀଙ୍କ ପାଇଁ । ପାଖରେ ବସି ନିଜ ହାତରେ ତାଙ୍କୁ ଖୁଆଇଦେଲେ । ତାଙ୍କର ମୁହଁ ନିଜ ହାତରେ ଧୋଇଦେଲେ । ମେଜର୍‌ ମାଥୁର୍‌ ସେଦିନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଆଜି କ’ଣ କିଛି ପର୍ବର ଦିନ ?

 

ସଲୀଳା ତାଙ୍କ ମୁହଁକୁ ଚାହିଁ ଅଳ୍ପ ହସିଲେ । ଭାବିଥିଲେ କହିଥାନ୍ତେ ‘‘ହଁ ମେଜର୍‍, ଆଜି ଆମ ମିଳନର ଶେଷ ପର୍ବ ।’’ ଦିନେ ହେଲେ ସଲୀଳା ସ୍ୱାମୀଙ୍କ ପାଖରେ କିଛି ଲୁଚାଇ ନାହାନ୍ତି । ଆଜି ସେ ଅପରାଧ କରିଚାଲିଛନ୍ତି ନିଜର ଆଦର୍ଶକୁ ହତ୍ୟାକରି ।

 

ମେଜର୍‍ ସାହେବ ଶୋଇପଡ଼ିଲେ ଚରମ ତୃପ୍ତିରେ । ସଲୀଳା ତାଙ୍କର ପାଦ ଚିପିଦେଲେ । ତାପରେ ତାଙ୍କର ପାଦର ଧୂଳି ନେଇ ମୁଣ୍ଡରେ ମାରିଲେ । ପରକ୍ଷଣରେ ତାଙ୍କର ପାଦରେ ଚୁମ୍ୱନ ଦେଲେ ସେ । ଲେଖିଥିବା ଚିଠିଟି ତାଙ୍କର ପଦତଳେ ଥୋଇ ଦେଲେ । ଈଷତ୍‌ ନୀଳାଭ ଆଲୋକରେ ସେ ମେଜର୍‍ସା ହେବଙ୍କ ମୁହଁକୁ ଚାହିଁଲେ, ଦେଖିଲେ ଗୋଟିଏ ଛଳନାହୀନ ଗଭୀର ପରିତୃପ୍ତିର ମୁହଁ; କିନ୍ତୁ କାହିଁକି ସେ ମୁହଁରେ ଏତେ ପରିତୃପ୍ତର ଚିହ୍ନ ? ସଲୀଳା ଲୁହ ରୋକିବାକୁ ଚେଷ୍ଟା କରୁଥିଲେ; କିନ୍ତୁ ଲୁହ ବାଧା ମାନିଲା ନାହିଁ । ଶେଷରେ ଯାଉ ଯାଉ ପଛକୁ ଫେରିଚାହିଁଲେ । ତାପରେ ସଲୀଳା ଅନ୍ଧାରରେ ହଜିଗଲେ ।

 

ସକାଳୁ ଉଠି ମେଜର୍‌ ମାଥୁର୍‌ ଆଶ୍ଚର୍ଯ୍ୟ ହେଲେ । ଏତେ ଡେରି ହେଲାଣି, ଅଥଚ ତାଙ୍କ ପାଇଁ ସଲୀଳା କଫି ଆଣି ଟେବୁଲ ଉପରେ ରଖି ନାହାନ୍ତି । ଘର ଭିତରେ ତାଙ୍କର କାଚର ଝଣ୍‌ ଝଣ୍‌ ଶବ୍ଦ ଶୁଭୁନାହିଁ । ସେ ଶଯ୍ୟାତ୍ୟାଗ କରି ଦେଖିଲେ ଚିଠିଟିଏ ଥୁଆହୋଇଛି ଖଟ ଉପରେ । ଉପରେ ଲେଖାହୋଇଛି ତାଙ୍କର ନାମ ‘‘ମେଜର୍‍ ସାହେବ’’ । ସେ ଚିଠିଟି ଖୋଲି ତରତର ହୋଇ ପଢ଼ିବାକୁ ଲାଗିଲେ ।

 

ମୋର ପ୍ରିୟ ମେଜର୍‍ ସାହେବ,

 

ମୁଁ ତୁମର ସେଇ ହତଭାଗିନୀ ସଲୀଳା, ଯିଏ ଆଜି ବିଦାୟ ନେଇ ନେଇଯାଉଛି ତୁମ ଠାରୁ ସବୁଦିନ ପାଇଁ । ତୁମଠାରୁ ବିଦାୟ ନେଲି, କିନ୍ତୁ ମୁଁ ସଂସାରରୁ ବିଦାୟ ନେବି ନାହିଁ । ଜୀବନର ଚରମ ବ୍ୟର୍ଥତାରେ ମୁଁ ବଞ୍ଚିରହିବି ଆଖିରୁ ଲୁହଢ଼ାଳି । ଦୂରରେ ହେଉ ପଛକେ କେବଳ ମୁଁ ବଞ୍ଚିରହିବି ତୁମରି ପାଇଁ । ତୁମଠାରୁ ବିଦାୟ ନେଉଚି, ମୁଁ ସହିପାରୁନି । ପରିସ୍ଥିତି ମୋତେ ବାଧ୍ୟ କରୁଚି । ବାସ୍ତବତା ମୋର ଆଦର୍ଶକୁ ଭାଙ୍ଗିଦେଇଚି । ମୁଁ ଜାଣେ ତୁମେ ଆଘାତ ପାଇବ, କ’ଣ କରିବି ? ବାସ୍ତବତା ଖୋଜି ମୁଁ ରାତ୍ରିରେ ଲୁଚି ପଳେଇ ଯାଉଚି, ସେଥିପାଇଁ ତୁମେ ମୋତେ ଘୃଣା କରିବ । ସ୍ୱେଚ୍ଛାଚାରିଣୀ ଓ ଚରିତ୍ରହୀନା ବୋଲି ଆଖ୍ୟା ଦେବ । ସ୍ୱାମୀଠାରୁ ଦୂରେଇ ଏ ଚିଠି ଦେବା ଏକ ପ୍ରତାରଣା ଓ ପ୍ରହସନ ବୋଲି ଭାବିବ; ମାତ୍ର କହିଲ ଦେଖି, ମୋର ପଳାଇ ଆସିବା ଛଡ଼ା କଣ ଉପାୟ ଥିଲା ? ମୁଁ ତୁମ ପାଖେ ଆନନ୍ଦରେ ଥିଲି; ମାତ୍ର ମୁଁ ଅଣନିଶ୍ୱାସୀ ହୋଇପଡ଼ୁଥିଲି ଦିନକୁ ଦିନ । ଧୈର୍ଯ୍ୟ ମୋର ନଥିଲା । ଯେଉଁଦିନ ଦେଖିଲି ତୁମ ପୁରୁଷତ୍ୱର ପରାଜୟ ଘଟିଛି, ମୁଁ ଭାଙ୍ଗିପଡ଼ିଲି । ଗୋଟାଏ ଉନ୍ମାଦନାରେ ମୁଁ ପଳେଇ ଯିବିବୋଲି ଠିକ୍‌କଲା । ଆଜି ସେଇ ଦିନଟା । ଅତୀତ ମୋର ନଥିଲା, ବର୍ତ୍ତମାନ ମୋର ତାହିଁ, ଭବିଷ୍ୟତ ମୋ ପାଇଁ ମୃଗତୃଷ୍ଣା, କଣନେଇ ବଞ୍ଚିବି ମୁଁ ? ତୁମେ ମୋତେ ଅଭିଶାପ ଦିଅ, ମୋର ମୃତ୍ୟୁପାଇଁ ଈଶ୍ୱରଙ୍କ ପାଖେ ପ୍ରାର୍ଥନା କର । ଶେଷରେ, ହେ ମୋର ପ୍ରିୟ ମେଜର୍‍ ସାହେବ ! ମୋତେ ଖୋଜିବ ନହିଁ । ସଲୀଳା ବୋଲି କିଏ ଥିଲା ବୋଲି ମନରୁ ଭୁଲିଯିବ । ମନରୁ ପୋଛିଦେବ ସଲୀଳାର ସକଳ ସ୍ମୃତି । ଆଗରେ ଭାରି ଅନ୍ଧାର, ଏଇ ରାତିରେ ହିଁ ମୋତେ ଯିବାକୁ ହେବ । ସକଳ ମମତା ଆଉ ବନ୍ଧନ କାଟି ଯାଉଛି ତୁମଠାରୁ । ବିଦାୟ । ।। ଇତି ।।

 

ତୁମର ହତଭାଗିନୀ

‘ସଲୀଳା’

 

ମେଜର୍‌ ମାଥୁର୍‍ଙ୍କର ହାତରୁ ଚିଠିଟି ଖସିପଡ଼ିଲା ତଳେ । ସେ ଜୀବନରେ କେବେ କାନ୍ଦି ନ ଥିଲେ । କେବେ ତାଙ୍କର ଅନୁଶୋଚନା ନଥିଲା । ନଥିଲା କୌଣସିଥିରେ ଅବଶୋଷ । କେବେ ହତାଶରେ ଭାଙ୍ଗି ପଡ଼ି ନଥିଲେ । ଆଜି ସେ ଅନୁଭବ କଲେ ଲୁହ ଆଖିକୁ କେମିତି ଆସେ-? ଅନୁଶୋଚନାର ଅର୍ଥ କଣ ? ଅବଶୋଷର ମୂଳ କାରଣ କେଉଁଠି ? ହତାଶ ଆସିଲେ ମନ ଉପରେ କି ପ୍ରଭାବ ବିଛେଇ ହୋଇପଡ଼େ । ମର୍ମେ ମର୍ମେ ଆଡ଼ା ଅନୁଭବ କଲେ ମେଜର୍‍ ସାହେବ-

 

ତାପରେ ମେଜର୍‍ ସାହେବ ଘର ଭିତରକୁ ପଶିଗଲେ । ଆଖିରେ ଲୁହ ଜକେଇ ଥିଲା । ବିନ୍ଦୁ ବିନ୍ଦୁ ହୋଇ ତଳେ ଖସିବାକୁ ଆଉ ବେଶୀ ଡେରି ନାହିଁ ଯେମିତି ! ମେଜର୍‍ ସାହେବ ଆଲବମ୍‌ରୁ ସଲୀଳାଙ୍କ ଫଟୋ କାଢ଼ିଲେ । ଛାତିରେ ଜାକି ଧରିଲେ ସେ । କିଛି ସମୟ ନିରୀକ୍ଷଣ କରି ତାଙ୍କ ଫଟୋରେ ଚୁମ୍ୱନ ଦେବାକୁ ଲାଗିଲେ । ଆଖିର ଲୁହରେ ସଲୀଳାଙ୍କ ଫଟୋ ଓଦା ହୋଇଗଲା । ଫଟୋଟିକୁ ପୁଣି ଯଥା ସ୍ଥାନରେ ପୋଛି ରଖିଦେଲେ । ଘର ଭିତରୁ ବାହାରି ଆସିଲେ ବେଜର୍‌ ମାଥୁର୍‌ । ବସିପଡ଼ିଲେ ଶୂନ୍ୟ ଚେୟାର ଉପରେ । ଆଉଜି ପଡ଼ିଲେ ପୁଣି । ମନେପଡ଼ିଲା ରେଜିମେଣ୍ଟରେ ବ୍ରିଗେଡ଼ିୟର୍‌ ଶର୍ମା ସାହେବଙ୍କ କଥା । ‘‘ତୁମେ ମହାଭାତର ସେଇ ବୃହନ୍ନଳାବେଶୀ ଅର୍ଜ୍ଜୁନଙ୍କୁ ଜାଣ ମିଷ୍ଟର ମାଥୁର୍‌ ? ସେ ମନକୁ ମନ ପ୍ରଶ୍ନ ପଚାରୁଛନ୍ତି । ଚେୟାର୍‌ ଉପରୁ ଉଠିବାକୁ ଚେଷ୍ଟାକଲେ ସେ; କିନ୍ତୁ ସେ ଯେ ଏତେ କ୍ଳାନ୍ତ, ଉଠିବାକୁ ତାଙ୍କର ଶକ୍ତି ନାହିଁ ।

 

ଜୀବନର ଦୋ’ଛକିରେ ସେ ଯେମିତି ମଝିଲେ ଠିଆହୋଇ ରହିଛନ୍ତି । ଆଖି ଆଗରେ ତାଙ୍କର ଅନ୍ଧାର ଆଉ ଆଲୁଅ । ଆଲୁଅରେ ସେ ଅନ୍ଧ । ଅନ୍ଧାରରେ ତାଙ୍କ ଆଖିରେ ଜ୍ୟୋତି ନାହିଁ । ସେ ନିର୍ବାକ୍‌, ନିଷ୍ପନ୍ଦ । କେଉଁଆଡ଼କୁ ସେ ଯିବେ ? କାହିଁ ତାଙ୍କର ପଥ ?

 

ବହୁ ସମୟ ପରେ ମୁଣ୍ଡ ଭିତରେ ଘୂରୁଥିବା ପୃଥିବୀଟା ବନ୍ଦ ହେଲା । ମେଜର୍‍ ମାଥୁର ଠିଆହେଲେ ଶୂନ୍ୟକୁ ଦୃଷ୍ଟିରଖି । ଅପଲକ ନୟନରେ ସେ ଚାହିଁ ଥା’ନ୍ତି ।

 

ମଣିଷ ଯେତେବେଳେ କାନ୍ଦି କାନ୍ଦି ଆଖିରୁ ଲୁହ ସାରିଦିଏ, ସେତେବେଳେ ସେ ଅବୁଝା କଥା ବୁଝିଯାଏ । ତାପରେ ଜୀବନ ତା ପାଇଁ ଭାରି ସହଜ ହୋଇଯାଏ । ଦୁଃଖଗୁଡ଼ାକ ପାଣି ଫାଟିଯାଏ । ହତାଶ ଭିତରେ ମଣିଷ ବଞ୍ଚେ ଆଉ ଗୋଟାଏ ରୂପରେ । ମୃତ୍ୟୁମୁଖରୁ ଫେରିଥିବା ମଣିଷ ଦାର୍ଶନିକ ପାଲଟିଯାଏ । ସବୁ ସେଇ ଶେଷ ପରିସୀମାରେ ହିଁ ହୁଏ ।

 

ମେଜର୍‍ ମାଥୁରଙ୍କ ଆଖିରେ ତ ଲୁହ ନଥାଏ । ସେ ହସିଦେଲେ ଅଳ୍ପ । ତାପରେ କହିଲେ ‘‘ତୁମେ ଠିକ୍‌ କରିଛ ସଲୀଳା ? ତୁମେ ଠିକ୍‌ କରିଛ । ସଲୀଳା ଚାଲିଯିବା ପରେ ମେଜର୍‍ ମାଥୁର୍‌ ହେଲେ ନିଃସଙ୍ଗ । ଭୁଲିଯିବାକୁ ଚେଷ୍ଟା କଲେ ସଲୀଳାଙ୍କର ସ୍ନେହ, ପ୍ରେମ, ସହାନୁଭୂତି ଆଉ ଆଦର । ହେଲେ ମନମନ୍ଦିରର କେଉଁ କୋଣରେ ସଲୀଳା ପାଲଟି ଯାଇଥିଲେ ଦେବୀମୂର୍ତ୍ତି । ଯାହାଙ୍କୁ ମେଜର୍‍ ସାହେବ ନିତି ଦେଖୁଥିଲେ ନିଜ ହୃଦୟ ଭିତରେ । ନିଜର ପ୍ରେମର ନୈବେଦ୍ୟ ଦେଇ ସେ ପୂଜା କରୁଥିଲେ ସଲୀଳାଙ୍କୁ । ସେ ଜାଣିପାରୁଥିଲେ ପ୍ରଥମ ବିବାହିତା ପତ୍ନୀ ସୁନ୍ଦରୀ ବା ଅସୁନ୍ଦରୀ ହେଉ, ଚରିତ୍ରହୀନା ବା ଚରିତ୍ରବତୀ ହେଉ ସେ ସ୍ୱାମୀର ମନ ଏପରି ଭାବେ ଅଧିକାର କରି ନେଇଥାଏ ଯେ ତାକୁ ଭୁଲିବା ସମ୍ଭବ ହୁଏ ନାହିଁ । ତେଣୁ ଚେଷ୍ଟାକରି ତାଙ୍କୁ ଭୁଲିପାରୁ ନଥିଲେ ମେଜର୍‍ ସାହେବ ।

 

କ୍ଳାନ୍ତ ଅବସନ୍ନ ମନ ଓ ଶରୀର ନେଇ କେତେଦିନ ଏପରି ରହିବେ ମେଜର୍‍ ସାହେବ-? ଦିନେ ବଜାରରୁ ଫେରିଆସିଲେ ସେ । ସାଙ୍ଗରେ ଆଣିଥିଲେ ଦୁଇଟା ହ୍ୱିସ୍କି ବୋତଲ । ସେଦିନ ଦୁଇଟାଯାକ ବୋତଲ ଖାଲି କରିଦେଇ ଶୋଇପଡ଼ିଲେ ଶାନ୍ତିରେ । ଆଖିକୁ କିଛି ସମୟ ପାଇଁ ଆସିଲା ନିଦ । ତା’ପରଦିନ ଉଠି କାର୍‌ ନେଇ ମେଜର୍‍ସାହେବ ସହର ବୁଲିବାକୁ ଚାଲିଗଲେ-। କାର୍‌ ଭିତରେ ସିଗାରେଟ୍‌ ଲଗେଇଲେ ସେ । ମୁଣ୍ଡ ଭିତରେ ଗ୍ଳୋବ ପୃଥିବୀଟା ଘୂରି ଚାଲିବ-। ଛାତି ଭିତରେ ରଚ୍‌ ରଚ୍‌ କରି କାଟି ଚାଲିଚି କଣ ଗୋଟାଏ ?

 

ଅଶାନ୍ତିର କମ୍ପାସ୍‌ ଫୁଟେଇଦିଏ ମନର ଛାପା କାଗଜକୁ । ମେଜର୍‍ ସାହେବ କାର୍‌ ନେଇ ଚାଲିଯାଆନ୍ତି ସହରର ଶେଷସୀମାକୁ । ସେଠାରେ ପାହାଡ଼ ଉପରକୁ ମୁଣ୍ଡଟେକି ଚିନ୍ତାମଗ୍ନ ଥାଏ । ମେଜର୍‍ ସାହେବ ଜଙ୍ଗଲର ଗୋଟିଏ ପଥର ମୁଣ୍ଡିଆ ଉପରେ ବସି ଆଉଜି ପଡ଼ନ୍ତି ଗୋଟିଏ ଗଛର ଗଣ୍ଡିକୁ । ଶୂନ୍ୟ ଦୃଷ୍ଟିରେ ସେ ଚାହାନ୍ତି ଭାସିଯାଉଥିବା ଏକ ନିଃସଙ୍ଗ ମେଘକୁ । ପାହାଡ଼ ଆଉ ମେଘ ସହିତ ଏକାତ୍ମ ହୋଇଯାଆନ୍ତି ମେଜର୍‍ ସାହେବ । ତାପରେ କାର୍‌ ଛୁଟାଇ ଫେରିଆସନ୍ତି ସେ । ଆଲୁଅ ଜଳାନ୍ତି ନାହିଁ ତାଙ୍କର ପ୍ରକୋଷ୍ଠରେ । ଅନ୍ଧାରରେ ନିଜକୁ ଦେଖିବାକୁ ଚେଷ୍ଟା କରନ୍ତି । ନିଜର ପରିଚୟ ଖୋଜିବାକୁ ଚେଷ୍ଟା କରନ୍ତି, ଅନ୍ଧାରରେ ଏହି ସବୁ ସୁଖ ଉଭାଇଥିବା ମଣିଷଟି, ହଜିବାର ଦୁଃଖରେ ଭାଙ୍ଗିପଡ଼ୁଥିବା ମଣିଷଟି ଆଉ ଶେଷ ସୀମାରେ ପହଞ୍ଚିଛି ଭାବି ବଞ୍ଚିବାକୁ ଆଶା କରୁଥିବା ମଣିଷଟି ଖୋଜେ ଟିକିଏ ଶାନ୍ତି । କିନ୍ତୁ ଶାନ୍ତି କାହିଁ ? କାହିଁ ଶାନ୍ତି ?

 

ମେଜର୍‍ ସାହେବ ଆଣିଲେ ଗୋଟାକ ପରେ ଗୋଟାଏ ବୋତଲ । ଆଜି ରମ୍‌, କାଲି ବିଅର୍‌, ତା’ ପରଦିନ ହ୍ୱିସ୍କି । ପୁଣି ଫରେନ୍‌ ଲିକର୍‌ । କୋଉଦିନ କିଛି ନ ମିଳିଲେ ଗୁମାନ୍‌ ସିଂ ଦେଶୀ ମଦ ଦେଇଯାଏ । ବୋତଲ ପରେ ବୋତଲ ଧାଡ଼ି ହୋଇ ସଜେଇ ଦିଆ ହେଲା ଆଲମାରିରେ । ମେଜର୍‍ ସାହେବ ପ୍ରତ୍ୟେକ ଦିନ ଆଲମାରି ଖୋଲନ୍ତି । ବୋତଲ ପରେ ବୋତଲ ସଂଖ୍ୟା ବଢ଼ିଚାଲେ । ଦିନେ ମେଜର୍‍ ସାହେବ ପାଇଲେ ଖଣ୍ଡେ ନିମନ୍ତ୍ରଣ କାର୍ଡ଼ ! ଖୋଲିଲେ ସେ । ସୁନ୍ଦର ନୀଳ ଓ ଗୋଲାପି କାଗଜରେ ସୁନେଲି ଅକ୍ଷରର ସୁନ୍ଦର ଧାଡ଼ିଗୁଡ଼ିକ । ‘‘ନିଉ ଲାଇଫ୍‌ କ୍ଳବ୍‌’’ର ନିମନ୍ତ୍ରଣ । ପ୍ରଖ୍ୟାତ ନର୍ତ୍ତକୀ ସୁନ୍ଦରୀ ଲେଡି ମିସ୍‌ ଡିଏନା ଆସୁଛନ୍ତି ନୃତ୍ୟ ପ୍ରଦର୍ଶନ କରିବାକୁ । ମେଜର୍‍ ସାହେବ ତାଙ୍କ ନାମ ଶୁଣିଥିଲେ ବ୍ରିଗେଡ଼ିୟର ଶର୍ମାଙ୍କ ଠାରୁ । ଏହି ଫ୍ରାନ୍‌ସ ସୁନ୍ଦରୀଙ୍କର ଚମତ୍କାର ନୃତ୍ୟକଳା ପ୍ରଦର୍ଶନରେ ନିଜେ ଶର୍ମା ସାହେବ ଆଶ୍ଚର୍ଯ୍ୟ ହୋଇଥିଲେ ଫ୍ରାନ୍‌ସରେ ଥିଲାବେଳେ । ନିଜେ ସେ ତାଙ୍କୁ ପୁରସ୍କୃତ କରିଛନ୍ତି ଓ ତାଙ୍କୁ ଫ୍ରାନ୍‌ସର ଜିୱେଲ୍‌ ବୋଲି ଆଖ୍ୟା ଦେଇଛନ୍ତି । ମେଜର୍‍ ସାହେବ ଠିକ୍‌ କଲା ଆଜି ସଂଧ୍ୟାର ଆସରକୁ ସେ ଯିବେ, ନିଶ୍ଚୟ ଯିବେ ।

 

ସନ୍ଧ୍ୟା ଆସନ୍ନ ପ୍ରାୟ । ମେଜର୍‍ ସାହେବ ପିନ୍ଧିଲେ ଚକୋଲେଟ୍‌ ରଙ୍ଗର ସୁଟ୍‌ । ସୁଟ୍‌କୁ ମ୍ୟାଚ କଲା ଭଳି ସେଇ ଚକୋଲେଟ୍‌ ରଙ୍ଗର ସାର୍ଟ । ଟାଇଟାକୁ ବେକରେ ଭିଡ଼ିଦେଲେ । ତାଙ୍କର କଳା ବୁଟ୍‌କୁ ପାଲିସ୍‌ ଦେଇ ପିନ୍ଧିଲେ ସେ । ଦର୍ପଣ ଆଗରେ ମେଜର୍‍ ସାହେବ ଠିଆହେଲେ । ବାହାରର ସୁନ୍ଦର ରୂପରେ ସେ ପୁଲକିତ ହେଲେ । ହେଲେ ଦର୍ପଣରେ ଭିତର ରୂପ ଫୁଟେ ନାହିଁ । ମେଜର୍‍ ସାହେବ ଭିତରେ ରହିଚି ଗୋଟିଏ ଶାନ୍ତ ମେଣ୍ଢାଛୁଆ । ଯାହାକୁ ଆଘାତ କଲେ ପ୍ରତିରୋଧ କରିବାର ଶକ୍ତି ତାର ନାହିଁ । ନଂପୁସକତ୍ୱ ଭିତରେ ପୌରୁଷର ତଣ୍ଟିଚିପି ହୋଇଯାଏ । ଭିତରେ ମେଜର୍‌ର ଶକ୍ତିଟା ଚିତ୍କାର ଛାଡ଼େ । ବୃହନ୍ନଳା ଭିତରେ ଅର୍ଜ୍ଜୁନର ଶକ୍ତିଟା ଆତ୍ମହତ୍ୟା କରେ । ବାହାରର ରୂପରେ ମଣିଷ ଚିହ୍ନେ ଗୋଟାଏ ରୂପ, ଯାହା ସେଇ ଚିହ୍ନା ମଣିଷର ସମ୍ପୂର୍ଣ୍ଣ ନିଜସ୍ୱ ନୁହେଁ । ତା ଭିତରେ ଥାଏ ଅନ୍ୟ ରୂପଟି; ଯାହା ନୈରାଶ୍ୟ ଓ ଅସହାୟତାର ନଈ ଭିତରେ ଉବୁଟୁବୁ ହେଉଥାଏ ଚିରଦିନ ।

 

ମେଜର୍‍ ସାହେବଙ୍କ ମନରେ ଭାବୁଥିବା କଥାଗୁଡ଼ିକ ଲେଖି ହୋଇଯାଏ ପଥର ଉପରେ ଗାର ପରି । ସେ ବୁଟ୍‌ ପିନ୍ଧି ତଳକୁ ଓହ୍ଲାଇ ଆସନ୍ତି । କାର୍‌ଟା ଛୁଟି ଚାଲେ ନିଉଲାଇଫ୍‍ କ୍ଳବ ପାଖକୁ ।

 

ମର୍କୋରୀ ଆଲୁଅରେ ସୁସଜ୍ଜିତ ନିଉଲାଇଫ୍‌ କ୍ଳବ । ମେଜର୍‍ ଭାବନ୍ତି କ୍ଳବଟାର ନୂଆ ଜୀବନ ଆରମ୍ଭ ହୋଇଛି । ଅନ୍ତତଃ ନାମକରଣ ଦୃଷ୍ଟିରୁ ସେ ମଧ୍ୟ ଏଠାରେ ନୂଆ ଜୀବନ ପାଇପାରିବେ । ବୋଧହୁଏ ଏଠାକୁ ଯେଉଁମାନେ ଆସିବେ ନିଉଲାଇଫ୍‌ କ୍ଳବରେ ସେମାନେ ନୂଆ ଜୀବନ ନେଇ କରି ଯିବେ । ମେଜର୍‍ ସାହେବ ହସିଦେଲେ ଓ କାର୍‌ରୁ ଓହ୍ଲାଇ ଆସିଲେ । କ୍ଳବର ଦ୍ୱାରଦେଶରେ ଥିବା ଡୋରମ୍ୟାନ୍‌ ଜଣକ ତାଙ୍କୁ ସାଲ୍ୟୁଟ୍‌ ଜଣାଇଲା । ସେ ଧପ୍‌ ଧପ୍‌ ପଶିଗଲେ ।

 

ଭିତରେ ଆଲୋକର ଦିଆଲୀ । ନାରୀ ଆଉ ପୁରୁଷ । କିଏ ବିବାହିତ କି ଅବିବାହିତ ଜାଣିବାର ଉପାୟ ନାହିଁ । ମେଜର୍‍ ସାହେବ ବସିଲେ । ସବୁ ଅତିଥିଙ୍କ ପରି ତାଙ୍କୁ ସମ୍ମାନିତ କରାଗଲା । ଆଗରେ ମଞ୍ଚର ମାୟା । ଭେଲଭେଟ୍‌ କନାର ଡ୍ରପ୍‌ ପଡ଼ିଚି ଆଗରେ । ମେଜର୍‍ ସାହେବ ସିଗାରେଟ୍‌ ଟାଣିଲେ । କିଛି ସମୟ ପରେ ଶୁଭିଲା ପିଆନୋର ସୁକୋମଳ ମ୍ୟୁଜିକ୍‌ । ଗୃହଟିର ଶ୍ୱେତ ଆଲୋକକୁ ଲିଭାଇ ଦିଆଗଲା । ଜଳିଉଠିଲା ନୀଳାଭ ଆଲୋକ । ସାତଟି ରଙ୍ଗର ଆଲୋକ ଭିତରେ ମଞ୍ଚ ଉପରେ ଆବିର୍ଭୂତା ହେଲେ ନୃତ୍ୟପଟ୍ଟୟସୀ ଫ୍ରାନ୍‌ସ ସୁନ୍ଦରୀ ଲେଡ଼ି ମିସ୍‌ ଡିଏନା । ପିଆନୋର ତାଳେ ତାଳେ ମଞ୍ଚ ଉପରେ ବିଜୁଳିଟିଏ ଏପଟ ସେପଟ ଛିଟିକି ପଡ଼ୁଥାଏ । ଉପଭୋଗ କରୁଥାନ୍ତି ଦର୍ଶକମାନେ । ମଝିରେ ମଝିରେ ମୃଦୁ ହାସ୍ୟରୋଳ ଭିତରେ ଆସ୍ତେ ଆସ୍ତେ କରତାଳୀର ଶବ୍ଦ । ନାରୀମାନଙ୍କ ଭିତରେ ସୁକୋମଳ ଗୁଞ୍ଜରଣ ଖେଳିବୁଲୁ ଥାଏ । ଏହିପରି ଏକ ସନ୍ଧ୍ୟାର ଆସରକୁ ଅତ୍ୟନ୍ତଭ୍ୟ ଉପଭୋଗ୍ୟ କରାଇ ମଞ୍ଚରୁ ବିଦାୟ ନେଲେ ଲେଡି ମିସ୍‌ ଡିଏନା । ଆଗରେ ଝୁଲିପଡ଼ିଲା ଡ୍ରପ୍‌ ।

 

ସବୁ ଦର୍ଶକଙ୍କ ପରି ଓହ୍ଲାଇ ଆସିଲେ ମେଜର୍‍ ମାଥୁର୍‌ । ଆସି ନିଜର କାର୍‌ ପାଖରେ ଠିଆହେଲେ । ଦୂରରେ ସେହିପରି ସୁସଜ୍ଜିତା ହୋଇ ମିସ୍‌ ଡିଏନା ବହୁ ପୁରୁଷ ଓ ନାରୀମାନଙ୍କ ସହିତ ହାତ ମିଳାଇ ହସୁଥାନ୍ତି । ମେଜର୍‍ ମାଥୁର୍‌ ଭାବିଲେ ସେ ଯିବେ କି ? ନୃତ୍ୟ ଭଲ ଲାଗିଛି । ଜଣାଇଦେବି ତାଙ୍କୁ ଅଭିନନ୍ଦନ ? କିନ୍ତୁ ସେତେବେଳେ ନିଜ ଭିତରେ ଶାନ୍ତ ମେଣ୍ଢାଛୁଆଟି ଆସି ଆଖିବୁଜି ଶୋଇବାକୁ ଚେଷ୍ଟା କରୁଥିଲା, ନିଜର ଉତ୍କଣ୍ଠାକୁ ଚାପିଦେଲେ ସେ । କାର୍‌ ଭିତରେ ଷ୍ଟିଅରିଂ ଧରି ସେ ସିଟ୍‌କୁ ଆଉଜି ବସିଛନ୍ତି । ଆଖିକୁ ନିଦ ଆସିଯାଇଛି । କାହାର ସୁକୋମଳ କଣ୍ଠରେ ନିଦ ଭାଙ୍ଗିଲା ତାଙ୍କର । କିଏ ? ସେହି ଫ୍ରାନ୍‌ସ ସୁନ୍ଦରୀ ମିସ୍‌ ଡିଏନା ତାଙ୍କରି ଆଗରେ । ସ୍ୱପ୍ନ ନୁହେଁ ତ ? ଆଖି ମକଚି ଭଲଭାବେ ତାଙ୍କୁ ନିରୀକ୍ଷଣ କଲେ ସେ ।

‘‘କଣ ନିଦ ଆଖିକୁ ବିଶ୍ୱାସ ଲାଗୁନାହିଁ ମେଜର୍‌ ସାହେବ ? ‘‘ମୋଟେ ନୁହେଁ । ଅନୁପଲଭ୍ୟ ପଦାର୍ଥ ହଠାତ୍‌ ଉପଲଭ୍ୟ ହେଲେ ନିଜକୁ ବି ବିଶ୍ୱାସ କରିହୁଏନା ମିସ୍‌ । ସାଙ୍ଗେ ସାଙ୍ଗେ କ୍ଷମା ମାଗିନେଇ ହସିଉଠିଲେ ମେଜର୍‍ ସାହେବ ।’’ ମୋର ନୃତ୍ୟ କଣ ଭଲ ଲାଗିଲା ନାହିଁ ସାହେବ ? ଆପଣଙ୍କୁ ମୁଁ ଜାଣିଚି ଶର୍ମାଙ୍କ ଠାରୁ । ଆପଣଙ୍କ ଅଭିମତ ମୋର ବହୁ କାମରେ ଲାଗିବ । ମୁଁ ଜାଣିଚି ଇଣ୍ଡିୟାନ୍‌ମାନେ ଏହି କଳାକୁ ସମ୍ମାନ ଦିଅନ୍ତି । ନୟନର ଚମତ୍କାର ଠାଣି, ଅଙ୍ଗଭଙ୍ଗୀର ଚଞ୍ଚଳତା ପ୍ରଦର୍ଶନ କରି କହିଲେ ମିସ୍‌ ଡିଏନା ।

‘‘ମୁଁ ଦୁଃଖିତ ମିସ୍‌ ଡିଏନା । ତୁମର ନୃତ୍ୟ ଅତ୍ୟନ୍ତ ଭଲଲାଗିଥିଲେ ବି ମୁଁ ତୁମକୁ ଅଭିନନ୍ଦନ ଜଣାଇ ପାରିନାହିଁ ।’’

‘‘ଅଡିଟୋରିଅମ୍‌ରୁ ଓହ୍ଲାଇଲା ପରେ ମୁଁ ଆପଣଙ୍କୁ ଦେଖିଚି । ଆପଣଙ୍କ ଫଟୋ ମିଳାଇ ମୁଁ ଚିହ୍ନିଚି ଆଉ ଦେଖିଚି ଆପଣ ଆଜି ଭାର କ୍ଳାନ୍ତ । ଆପଣଙ୍କ ମୁଖ ଦେଖି ଯେ କହିବି ମୋର ନୃତ୍ୟ ଭଲଲାଗି ନାହିଁ ଆପଣଙ୍କୁ । ଅଳ୍ପ ହସିଲେ ମେଜର୍‍ ସାହେବ । ତାପରେ କହିଲେ ଶୂନ୍ୟକୁ ଦୃଷ୍ଟି ରଖି ‘‘ମୁଁ ଆଜି କେବଳ କ୍ଳାନ୍ତ ନୁହେଁ, ମୁଁ ଚିରଦିନ କ୍ଳାନ୍ତ ମିସ୍‌ ଡିଏନା ।

ମିସ୍‌ ଡିଏନା କିଛି ବୁଝିପାରିଲେ ନାହିଁ । କାହାର ପର୍ସନାଲ୍‌ ଅଫାୟାର୍ସ ଭିତରେ ସେ ମୁଣ୍ଡ ଖେଳାନ୍ତି ନାହିଁ । ଏହା ତାଙ୍କର ପ୍ରକୃତି । ତେଣୁ ଆଉ କିଛି ନ ପଚାରି ସେ କହିଲେ, କାଲି ସନ୍ଧ୍ୟାରେ ମୁଁ ମେଜର୍‍ ସାହେବଙ୍କୁ ନିମନ୍ତ୍ରଣ କରିପାରେ କି ?

ହାଏ ନଟ୍‌ ? ସାଙ୍ଗେ ସାଙ୍ଗେ କହିଲେ ମେଜର୍‍ ସାହେବ ।

ମୁଁ ଖୁସି, ଆଉ ମୁଁ ନିଶ୍ଚୟ ଯିବି ।

ମିସ୍‌ ଡିଏନା ମେଜର୍‍ଙ୍କ ଡାହାଣ ହାତ ପାପୁଲିରେ ଏକ ଚୁମ୍ୱନ ଦେଇ କହିଲେ, ତାହେଲେ ମୁଁ ଆସୁଚି ଡିଅର ? କାଲି ନିଶ୍ଚୟ ମୁଁ ମେଜର୍‍ ସାହେବଙ୍କୁ ମୋ କୋଠରୀରେ ପାଉଚି ତାହେଲେ । ବଢ଼େଇଦେଲେ ଗୋଟିଏ ସୁନେଲି ରଙ୍ଗର ପ୍ଲେଟ୍‌ । ସେଥିରେ ମିସ୍‌ ଡିଏନାଙ୍କର ଠିକଣା ଲେଖାଥିଲା ।

ମେଜର୍‍ ସାହେବ ତାଙ୍କୁ ହାତ ହଲାଇ ବିଦାୟ ଦେଲେ । ମିସ୍‌ ଡିଏନା କାରରେ ଉଠିଲାବେଳେ ତାଙ୍କରି ନୀଳ ନୟନ ଯୁଗଳକୁ କିଛି ସମୟ ପାଇଁ ନଚାଇ ନଚାଇ କାରରେ ଚାଲିଗଲେ ।

ମେଜର୍‍ ସାହେବ ଭାବୁଥିଲେ କେବଳ ତାଙ୍କର କଥା ଆଉ ନିଜ କଥା । ମିସ୍‌ ଡିଏନାଙ୍କ ସହିତ ସମ୍ପର୍କ ତାଙ୍କର ବଢ଼ିଚି, କିନ୍ତୁ ବଢ଼ିବ ନାହିଁ । କାରଣ ସମ୍ପର୍କର ଗାରଟା ମଝିରେ ଗୋଟିଏ ଡ୍ୟାମ୍‌ ସୃଷ୍ଟି ହୋଇଯିବ ।

ମେଜର୍‍ ସାହେବ ପୂର୍ବଦିନ ଭଳି ଗ୍ରୀନ୍‌ରଙ୍ଗର ସୁଟ୍‌ ଓ ସାର୍ଟ ପିନ୍ଧିଲେ । କଳା ରାଙ୍ଗର ଟାଇଟିଏ ବେକରେ ଝୁଲାଇଦେଲେ । ଫୁରୁ ଫୁରୁ କେଶକୁ ଦୁଇଥର ଡ୍ରେସିଂ କରିଦେଲେ । ଛାତିର ବୋତାମ ପାଖରେ ଖୋସିଦେଲେ ଗୋଟିଏ ସୁନ୍ଦର ଗୋଲାପ ଫୁଲ । କାର୍‌ ଧରି ଘରୁ ବାହାରି ଗଲେ ମିସ୍‌ ଡିଏନାଙ୍କ ପାଖକୁ ।

ହୋଟେଲ ଇଣ୍ଡିଆର ପଚିଶ ନମ୍ୱର ରୁମରେ ରହୁଥିଲେ ଲେଡି ମିସ୍‌ ଡିଏନା । ସେ ଜାଣିଥିଲେ ଆସିବେ ଆଜି ଅତିଥି ମେଜର୍‍ ସାହେବ । ତେଣୁ ନିଜକୁ ସେ ପୂର୍ବଠାରୁ ମାତ୍ରାଧିକ ପରିମାଣରେ ସଜେଇ ଦେଇଥିଲେ । ବାଦାମୀ ରଙ୍ଗର କେଶଗୁଡ଼ିକ ସେ ଉଲଗ୍ନ ପିଠି ଉପରେ ଝୁଲେଇ ଦେଇଥିଲେ । ଇଣ୍ଡିୟାନମାନେ ପସନ୍ଦ କରନ୍ତି ଜାଣି ସେ ନୀଳ ଆଖିତଳେ କଳା ଗାରଟିଏ ଟାଣିଦେଲେ । ଓଠରେ ଦେଲେ ଲିପ୍‌ଷ୍ଟିକ୍‌ । ସୁନ୍ଦର ଝୀନବସ୍ତ୍ରଟିଏ ପରିଧାନ କଲେ ଇଣ୍ଡିୟାନ୍‌ମାନଙ୍କ ପରି । କିଛି ଗୋଲାପ ଗୁଚ୍ଛ ଉପରେ ଲଭ୍‌ ଇନ୍‍ ପ୍ୟାରିସ୍‌ର ଡ୍ରପ୍‌ ପକାଇଦେଲେ-। ସେ ମେଜର୍‍ ସାହେବଙ୍କୁ ତାଙ୍କର ପ୍ରଥମ ଅର୍ଘ୍ୟ ଜଣାଇବେ । ଲେଡି ମିସ୍‌ ଡିଏନା ମେଜର୍‍ ସାହେବଙ୍କ ପଥ ଚାହିଁ ବସିଥିଲେ ।

ମେଜର୍‍ ସାହେବ ପହଞ୍ଚିଲେ । ଓହ୍ଲାଇ ପଡ଼ିଲେ କାରରୁ । କୋଠା ଉପରକୁ ଗୋଲାପଗୁଚ୍ଛ ହଲାଇ ସମ୍ୱର୍ଦ୍ଧନା ଜଣାଇଲେ ମିସ୍‌ ଡାଏନା । ତା’ପରେ ତଳକୁ ଓହ୍ଲାଇ ଆସି ପାଛୋଟି ନେଲେ ମେଜର୍‍ ସାହେବଙ୍କୁ ।

ସେତେବେଳେ ରାତି ନଅ । ନୀଳାଭ ଆଲୋକରେ ଆଲୋକିତ ହୋଟେଲ ଇଣ୍ଡିଆର ଏକ କୋଠରୀ ଭିତରେ ସେ ଓ ଫ୍ରାନ୍‌ସ ସୁନ୍ଦରୀ ଲେଡି ମିସ୍‌ ଡିଏନା । ଫ୍ରାନ୍‌ସ, ଇଟାଲୀ, ପ୍ୟାରିସ୍‌ର ସୌନ୍ଦର୍ଯ୍ୟ ବିଷୟରେ ପ୍ରଶ୍ନ ପଚାରୁଥିଲେ ମେଜର୍‍ ସାହେବ ଏବଂ ଗୋଟି ଗୋଟି କରି ଉତ୍ତର ଦେଇଥିଲେ ମିସ୍‌ ଡିଏନା । ମେଜର୍‍ ସାହେବ ଲକ୍ଷ୍ୟ କରୁଥିଲେ, ତାଙ୍କର ବକ୍ଷ ପ୍ରଦେଶରୁ ବସ୍ତ୍ର ଖସି ଆସୁଥିଲା; କିନ୍ତୁ ଦୂର ବିଦେଶର ଖବର ତନ୍ମୟ ହୋଇ ଶୁଣୁଥିଲେ ସେ । ମିସ୍‌ ଡିଏନା ତାଙ୍କ ପାଖକୁ କିଛି ସମୟ ପରେ ଆସିଲେ ଓ ତାଙ୍କୁ ଆଲିଙ୍ଗନ କଲେ । ତାଙ୍କର ଗଣ୍ଡଦେଶରେ ଚୁମ୍ବନ ଦେଲେ । ମେଜର ସାହେବ ଅନେକ ସମୟ ପରେ ଡିଏନାଙ୍କ କପାଳ ଦେଶରେ ଚୁମ୍ୱନଟିଏ ଦେଲେ । ଅନ୍ୟ କିଛି ପ୍ରତିକ୍ରିୟା ପ୍ରକାଶ ପାଇଲା ନାହିଁ ତାଙ୍କର । ନାରୀ ଯାହା ଚାହେଁ ପୁରୁଷଠାରୁ ମେଜର୍‍ ସାହେବ ତା ଦେଇପାରିଲେ ନାହିଁ । ଏକ ନିର୍ଜନ ପ୍ରକୋଷ୍ଠ ଭିତରେ ନାରୀତ୍ୱକୁ ପୁରୁଷତ୍ୱ ସମ୍ମାନ ଦେଇପାରିଲା ନାହିଁ ।

ମିସ୍‌ ଡିଏନା ମେଜର୍‍ ସାହେବଙ୍କୁ ଆଲିଙ୍ଗନରୁ ମୁକୁଳାଇ ଦେଇ ବସିଲେ ଚେୟାର ଉପରେ । ତଳକୁ ମୁହଁପୋତି ସେ ଗ୍ଲାସରେ ଢାଳିଲେ ହ୍ୱିସ୍କି । ବଢ଼େଇ ଦେଲେ ମେଜର୍‍ ସାହେବଙ୍କୁ-। ଢଳ ଢଳ କରି ପିଇଦେଲେ ସେ । ନିଜେ ମିସ୍‌ ଡିଏନା କିଛି ପିଇଲେ । ମିସ୍‌ ଡିଏନା ପଚାରିଲେ, କିଛି ସମୟ ପରେ—ତୁମେ ବିବାହିତ ବା ଅବିବାହିତା ମେଜର୍‍ ସାହେବ ?

ମୁଁ ବିବାହିତ, ଉତ୍ତରଦେଲେ ସେ ।

ପତ୍ନୀ ?

ସେ ମୋତେ ପରିତ୍ୟାଗ କରିଛନ୍ତି ।

 

ହସିଦେଲେ ଫିକ୍‌ କିନା ମିସ୍‌ ଡିଏନା । ‘‘ନାରୀର ଆଉ ଉପାୟ କ’ଣ ମେଜର୍‍ ସାହେବ-? ମୋର ଅନୁମାନ ସ୍ତ୍ରୀଙ୍କର ମନର କ୍ଷୁଧାକୁ ଯେତେବେଳେ ଆପଣ ପୂରଣ କରି ପାରି ନ ଥିବେ ଶେଷ ମୁହୂର୍ତ୍ତରେ ହିଁ ସେଇଆ ସେ କରିଥିବେ । ତାଙ୍କର ଅନ୍ୟ ଗତି କିଛି ନ ଥିବ । ଶୁଣିଚି ଆପଣଙ୍କ ଦେଶରେ ପୁରୁଷମାନେ ସତୀତ୍ୱ ଉପରେ ଖୁବ୍‌ ଜୋର୍‌ ଦିଅନ୍ତି; କିନ୍ତୁ ଆମ ଦେଶରେ ଏଇ ଅବସ୍ଥାରେ ପଡ଼ିଥିବା ଜଣେ ନାରୀ ପକ୍ଷରେ ବହୁ ପୁରୁଷ ଗ୍ରହଣ କରିବା ଆଦୌ ଦୋଷାବହ ନୁହେଁ-। ପୁରୁଷ ନିଜର ବିଫଳତା ଉପଲବ୍ଧି କଲା ପରେ ସ୍ତ୍ରୀ କୁ ଏ ବିଷୟରେ ପ୍ରଶ୍ରୟ ଦେବା ଉଚିତ୍‌-। ସ୍ୱାମୀତ୍ୱର ଦାବୀ ନେଇ ତାର ମନର କ୍ଷୁଧାକୁ ହତ୍ୟା କରିବା ଆଦୌ ଭଲ ନୁହେଁ । ଇଣ୍ଡିୟାନ୍‌ ମାଇଥୋଲଜିରେ ଏହିପରି ବହୁ ଉଦାହରଣ ରହିଚି । ବହୁ ନାରୀ ଅନ୍ୟ ପୁରୁଷର ମିଳନରେ ସେମାନଙ୍କ ସନ୍ତାନ ସୃଷ୍ଟି କରିଛନ୍ତି । ନିଜେ ସ୍ୱାମୀ ଓ ଭାରତୀୟ ପରମ୍ପରା ମଧ୍ୟ ଏହାକୁ ସ୍ୱୀକର କରିଛି । ନା କ’ଣ କହୁଛନ୍ତି ?

 

ଶୁଣି ଖୁସି ହେଲି, ମିସ୍‌ ଡିଏନା ଇଣ୍ଡିୟାନ୍‌ ମାଇଥୋଲଜି ବିଷୟରେ ବି ଜ୍ଞାନ ଅର୍ଜନ କରିଚ; କିନ୍ତୁ ଭାରତୀୟ ନାରୀ ପକ୍ଷରେ ଆଦର୍ଶ କଣ ବଡ଼ କଥା ନୁହେଁ ? ସତୀତ୍ୱ କ’ଣ ପାଇଁ ବଡ଼ ନୁହେଁ ? ପଚାରିଲେ ମେଜର୍‍ ସାହେବ ।

 

ଏ ଆଦର୍ଶ ଏକ ଇମାଜିନେସନ୍‌ । ସତୀତ୍ୱ ନାରୀର ମନକୁ ଚାପି ଧରିଥିବା ଇଲାଷ୍ଟିକ୍‌ ରବର । ମନ କ୍ଷୁଧାର ପ୍ରବଳ ହେଲେ ଏଇ ଇଲାଷ୍ଟିକ୍‌ ରବର ଢିଲା ହୋଇଯାଏ ।

 

‘‘ମିସ୍‌ ଡିଏନା, ଜୀବନରେ ଯଦି ସେକ୍‌ସକୁ ବଡ଼ ବୋଲି ଭାବୁଥାଅ, ତାହାହେଲେ ଧରିନିଅ ମୁଁ ସେ ସବୁରୁ ଚିରଦିନ ପାଇଁ ବଞ୍ଚିତ । ତମେ ନାରୀ । ତମ ଆଗରେ ମୋର ପୁରୁଷତ୍ୱର ପରାଜୟ ଘଟିଚି । ତମେ ଜାଣିପାରୁଥିବ ମୋର ଅସହାୟତା । ମୋର ଦୁଃଖ, କାହିଁକି ସେଦିନ ତମ ଆଗକୁ ମୁଁ ଆଗେଇ ଯାଇ ନଥିଲି ତୁମକୁ ଅଭିନନ୍ଦନ ଜଣାଇବା ପାଇଁ । ତମର ରୂପର ନିଆଁରେ ଅନେକ ପତଙ୍ଗ ଆସି ପଡ଼ୁଥିଲାବେଳେ ମୁଁ ପଡ଼ିପାରି ନ ଥିଲି । ମୋତେ ଏଥର ବିଦାୟ ଦିଅ ମିସ୍‌ ଡିଏନା ।

 

‘‘ତମର ଅସହାୟତାରେ ମୋର ଦୟା ଆସୁଚି ମେଜର୍‍ ସାହେବ ?’’

 

କ୍ଷମା କରିବ ମିସ୍‌ ଡିଏନା । ଏ ପର୍ଯ୍ୟନ୍ତ ମେଜର୍‍ ସାହେବ କାହାରି ଦୟାର ପାତ୍ର ହୋଇନାହିଁ, କାହାର ଅନୁଗ୍ରହକୁ ମେଜର୍‍ ସାହେବ ସର୍ବଦା ଘୃଣା କରି ଆସିଚି । ମୁଁ ଜାଣେ ନାରୀସମାଜ ମୋର ଅସହାୟତା ଜାଣିବାପରେ ମା ପ୍ରତି ବ୍ୟଙ୍ଗ କିମ୍ବା ଦୟା ପ୍ରଦର୍ଶନ କରିପାରେ; ମାତ୍ର ମିଃ ମାଥୁର ଆଜି ସେ ଦିନର ମେଜର୍‍କୁ ଖୋଜି ଚାଲିଚି ନିଜ ଭିତରେ ସେଇଥିପାଇଁ ସେ ଆଜି କ୍ଳାନ୍ତ । ବିଦାୟ ।

 

ମୁଁ ଭାବିଥିଲି ମେଜର୍‍ ସାହେବ ଗୋଟାଏ ଲାୟନ୍‌ କିମ୍ବା ରୟାଲ୍ ବେଙ୍ଗଲ୍‌ ଟାଇଗର ହୋଇଥିବେ; କିନ୍ତୁ ଗୋଟିଏ ଛୋଟିଆ କ୍ୟାଟ୍‌ । ହସିଲେ ମିସ୍‌ ଡିଏନା ।

 

‘‘ସେହି ଛୋଟିଆ କ୍ୟାଟ୍‌ଟି ରୟାଲ୍‌ ବେଙ୍ଗଲ ଟାଇଗର୍‌କୁ ପାଇଗଲେ ସେ ମଧ୍ୟ ଦିନେ ତୁମକୁ ନିମନ୍ତ୍ରଣ କରିବ ଲେଡି ମିସ୍‌ ଡିଏନା । ସେତେବେଳେ ଫ୍ରାନ୍‌ସ ସୁନ୍ଦରୀଙ୍କର ମୋ ଘରେ ପାଦ ପକାଇବାରେ କିଛି ଆପତ୍ତି ଥିବ କି ? ‘‘ବୋଧହୁଏ ନଥିବ ।’’

 

କାରରେ ଫେରି ଆସିଲେ ଘରକୁ ମେଜର୍‍ ସାହେବ । ଏତେ ଅସହାୟତା, ଏତେ କ୍ଳାନ୍ତି ଭିତରେ ସେ ଯେମିତି ପୋତି ହୋଇପଡ଼ୁଛନ୍ତି । ନିଜକୁ ଖୋଜି ପାଉନାହାନ୍ତି ସେ ନିଜ ଭିତରେ । କାର୍‌ ଚାଲିଛି । ପବନର ସୁଅ ଛୁଟିଚି କାର୍‌ ଭିତରକୁ । ସାର୍ବର ଛାତି ପାଖର ଅଂଶରେ ଲାଗିଚି ଲଭ୍‌ଇନ୍‌ ପାରିସ୍‌ର ମନଲୋଭା ଗନ୍ଧ । ନାକରେ ବାଜୁଚି, ମନେପଡ଼ୁଚି ମିସ୍‌ ଡିଏନାଙ୍କ କଥା । ସେ ବ୍ୟଙ୍ଗ ଓ ଦୟାର ଭାବ ଦେଖାଇ ଚାଲିଛନ୍ତି ମୁହଁର ମଲାଟ ଉପରେ । ସେ ଅନୁଭବ କଲେ ନାରୀଠାରୁ ସ୍ନେହ ସହାନୁଭୂତି ନ ପାଇଲେ ପୁରୁଷର ଅସହାୟତା ବଢ଼ିଯାଏ ବେଶୀ ପରିମାଣରେ । ଯାହା ପୁରୁଷକୁ ଦୁର୍ବଳ କରିଦିଏ । କିନ୍ତୁ ସେ କ’ଣ ସତରେ ଏତେ ଦୁର୍ବଳ ହୋଇଯିବେ ? ବଞ୍ଚିବା ଲାଗି ତାଙ୍କ ଆଗରେ କଣ ଗୋଟାଏ ନୂଆ ପୃଥିବୀ ତିଆରି ହୋଇ ପାରିବ ନାହିଁ ? ତାଙ୍କ ଆଗରେ ନୂଆ ସୂର୍ଯ୍ୟ ଓ ନୂଆ ଚନ୍ଦ୍ରର ଆଲୋକ ପଡ଼ିବ ନାହିଁ ? ମନ ଭିତରେ ନିରାଶର ଅନ୍ଧାରରେ ଆଶାର ମହକ ଛୁଇଁ ଛୁଇଁ ଯାଏ । ଠାଆକୁ ଠାଆ । କାର୍‌ରୁ ଓହ୍ଲାନ୍ତି ମେଜର୍‍ ସାହେବ । କ୍ଳାନ୍ତିରେ ସେ ଚେୟାର୍‌ ଉପରେ ଆଉଜି ପଡ଼ନ୍ତି । ମୁହଁ ଉପରେ ବୁନ୍ଦା ବୁନ୍ଦା ସ୍ୱେଦ ଫୁଟିୁଉଠେ । ମନ ଭିତରେ କେତେବେଳେ କେମିତି ଅଶାନ୍ତିର ଇଗଲ୍‌ ତାର ଡେଣା ଫଡ଼୍‌ ଫଡ଼୍‌ କରୁଥାଏ । ଶାନ୍ତିର କପୋତର ମୁହୂର୍ତ୍ତକୁ ଅପମୃତ୍ୟୁ ଘଟିଚାଲିଥାଏ ଛାତି ଭିତରେ । ଉଠନ୍ତି ମେଜର୍‍ ସାହେବ, ଆଲବମ୍‌ର ବହୁ ପୃଷ୍ଠାରେ ରହିଥିବା ନାରୀ ଓ ପୁରୁଷର ବହୁ ଉଲଗ୍ନ ଫଟୋକୁ ଚିରିବାକୁ ଲାଗିଯାଆନ୍ତି ସେ । କାନ୍ଥରେ ବନ୍ଧା ହୋଇଥିବା କାଚଫ୍ରେମ୍‌ ବନ୍ଧା ଚିତ୍ରତାରକାଙ୍କର ଉଲଗ୍ନ ଓ ଅର୍ଦ୍ଧଉଲଗ୍ନ ତୈଳଚିତ୍ରକୁ ଭାଙ୍ଗି ଟୁକୁରା ଟୁକୁରା କରିଦିଅନ୍ତି । ମନେ ମନେ ପ୍ରଶ୍ନ ପଚାରନ୍ତି ନିଜକୁ ସେ କ’ଣ ନାରୀମାନଙ୍କ ପ୍ରତି ବିଦ୍ରୋହୀ ହୋଇ ଉଠିଛନ୍ତି ?

 

ମେଜର୍‍ ସାହେବ ଦେଖନ୍ତି ନିଜ ଭିତରେ ସେଇ ଇଗଲ୍ ପୁଣି ଉଡ଼ିଆସି ବସିପଡ଼ିଚି ତାର ଦୁଇ ଡେଣାକୁ ମେଲାଇ । ପକ୍ଷୀ ଫଡ଼୍‌ଫଡ଼୍‌ କରୁଚି । ସାହେବ ଲାଇଟ୍‌ ଅପ୍ କରିଦେଇ ଦୁଇ ପାପୁଲିରେ ମୁଣ୍ଡକୁ ଚିପିଧରନ୍ତି ।

 

ନିଃସଙ୍ଗତାର ଛାୟାକୁ ମନରୁ ଦୂରେଇଦେବା ପାଇଁ ମେଜର୍‍ ସାହେବ ଦିନେ ଗଲେ ମ୍ୟୁଜିକ୍‌ ଏମ୍ପୋରିୟମ୍‌ । ସେଠାରୁ କିଣିଲେ ଗୋଟିଏ ଦାମୀ ଶୀଟାର୍‌ । ପ୍ରତିଦିନ ସନ୍ଧ୍ୟାରେ ଶୀଟାର୍‌ ଟୁଂ ଟୁଂ କରି ସ୍ୱର ପକେଇ ଚାଲନ୍ତି ସେ । ମୁହେଁ ମୁହେଁ ଗାଆନ୍ତି ଓମର୍‌ ଖାୟାମ୍‌ଙ୍କ ସୁଲଳିତ ପ୍ରେମଗୀତଗୁଡ଼ିକ । ମନ ବିଭୋର ହୋଇଯାଏ ସିନ ଆତ୍ମାର ବିରହୀ କପୋତ ଗୁମୁରି ଉଠୁଥାଏ ତୁହାକୁ ତୁହା । ମୁଣ୍ଡର ଅସଞ୍ଜତ କେଶରାଶି, ଓ ମୁହଁ ଉପରେ ରୁକ୍ଷ ଦାଢ଼ୀଗୁଡ଼ାକ ବେଳେ ବେଳେ କୁଣ୍ଡେଇ ଉଠନ୍ତି । କବାଟ ବନ୍ଦ କରିଦେଇ ମେଜର୍‍ ସାହେବ ପକାନ୍ତି ପୁଣି ଲୟେଲା–ମଜନୁର ପ୍ରେମ ସଙ୍ଗୀତର ସ୍ୱର ଲହର ରାସ୍ତାର ପଥିକ ବୁଝେନା ତାଙ୍କର ଦୁଃଖ, ବଝେନା କିଏ ଜଣେ ନିଜର ଅସହାୟତାରେ ସନ୍ତୁଳି ସନ୍ତୁଳି ହୋଇ ନିଃଶବ୍ଦରେ ଶବ୍ଦର ଆକାଶ ଖୋଜୁଛି । ହଉ ପଛେ ସେ ଶୂନ୍ୟ, ହଉ ପଛେ ସେ ମୃଗତୃଷ୍ଣା, ତଥାପି ହୃଦୟର ନିଭୃତ ତନ୍ତ୍ରୀରେ ଜୀବନ କାନ୍ଦିଉଠେ କିଛି ପାଇବା ପାଇଁ ।

 

ସେଦିନ ସେ ପାଇଲେ ଗୋଟିଏ ନିମନ୍ତ୍ରଣ ଆଉ ଗୋଟିଏ କ୍ଲବରେ ସେ ଜୀବନକୁ ଉପଭୋଗ କରିବେ । ସେଠାରେ ତାଙ୍କୁ ନାଚିବାକୁ ହେବ । ଜୀବନକୁ ଉପଭୋଗ କରିବେ ବହୁ ନାରୀ ଓ ପୁରୁଷଙ୍କ ଗହଣରେ । ନାରୀମାନେ ମଦ ଖାଇବେ ଓ ନାଚିବେ ପୁରୁଷମାନେ ତାଙ୍କ ସାଙ୍ଗରେ ବି ସହଯୋଗ କରିବେ ।

 

ଜୀବନର ଅନ୍ୟ ନାମ ଦୁଃଖ ବା ନୈରାଶ୍ୟ ନୁହେଁ । ନୁହେଁ ତାର ଅନ୍ୟନାମ ବିଫଳତା ଓ ଅସହାୟତା, ନାମ ତାର ଫୂର୍ତ୍ତି ଓ ଆନନ୍ଦ । ସେହି ଆନନ୍ଦର ମାଦକତା ଭିତରେ ମେଜର୍‍ ସାହେବ କ୍ଷଣକ ପାଇଁ ହଉପଛେ ତାଙ୍କ ଭିତରେ ଜୀବନଟିଏ ଅଛି ବୋଲି ଅନୁଭବ କରିବେ । ପବିତ୍ର ଖ୍ରୀଷ୍ଟମାସ୍‌ ଦିନଟି ତାଙ୍କ ପାଇଁ ଏ ବର୍ଷର ଏକ ଆନନ୍ଦମୟ ଦିନ ହେବ ।

 

ଆସନ୍ତାକାଲି ଖ୍ରୀଷ୍ଟ୍‌ମାସ୍‌ । ଖ୍ରୀଷ୍ଟିୟାନ୍‌ ମହିଳା ଓ ପୁରୁଷମାନଙ୍କର ଏହି ଦିନଟି ଆନନ୍ଦର ଦିନ । ନିଜର ତ୍ରାଣକର୍ତ୍ତା ତଥା ପୃଥିବୀର ତ୍ରାଣକର୍ତ୍ତା ଯୀଶୁଙ୍କ ପାଖରେ ଏମାନେ ନିଜର ଭକ୍ତି ଢାଳିଦିଅନ୍ତି । ସହରର ମିଶନାରୀମାନଙ୍କ ତରଫରୁ କ୍ଲବରେ ଏ ନୃତ୍ୟ ଗୀତର ଆୟୋଜନ ହେଉଛି ଆଉ ସେଥିରେ ଯୋଗଦେବେ ମେଜର୍‍ ମାଥୁର୍‌ । ସେ ଅନୁଭବ କଲେ ସ୍ତ୍ରୀ ଛାଡ଼ିଗଲା ପରେ ସେ ଆଉ ଜଣଙ୍କର ହୋଇନାହିଁ । ସେ ହୋଇଚାଲିଚି ସବୁ ଜାତିର, ସବୁ ଗୋଷ୍ଠୀର, ସବୁ ସମ୍ପ୍ରଦାୟର । ସେ ଅନ୍ତତଃ ବଞ୍ଚି ରହିବେ ସେଇ ଅସହାୟ ତାଜ ଭିତରେ, ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ।

 

ତା ପରଦିନ ସଂଧ୍ୟାବେଳକୁ ସେ ବାହାରିପଡ଼ିଲେ କାରରେ । ବଢ଼ିଯାଇଥିବା ଦାଢ଼ିକୁ ସେ ଚିକ୍‌କଣ କରି କାଟିଦେଲେ । ମୁଣ୍ଡକୁ ଡ୍ରେସିଂ କରିଦେଲେ । କଳାରଙ୍ଗର ସୁଟ୍‌ ଓ ମ୍ୟାଚ୍‌ କଲାଭଳି କଳାରଙ୍ଗର ସାର୍ଟ ଉପରେ ପିନ୍ଧିଲେ ସୁନେଲି ରଙ୍ଗର ଟାଇ । କୋର୍ଟ ଗଳେଇ ସେ କାର୍‌ ନେଇ ବାହାରି ଗଲେ ।

 

କ୍ଲବ୍ ଭିତରେ ଆସରର ଚାଞ୍ଚଲ୍ୟ ଖେଳୁଚି । ଜୀବନର ମହକ ଓ ମାଦକତା ପୂରି ପୂରି ଉଠୁଚି, ପ୍ରାଣ ପ୍ରାଚୁର୍ଯ୍ୟରେ ବିଭୋର ଯୁଗ୍ମ ଡ୍ୟାନ୍‌ସରେ ଯୋଗ ଦେଇଥିବା ନାରୀ ଓ ପୁରୁଷମାନେ ଉନ୍ମତ୍ତ । ନାରୀର ଉଲଗ୍ନ ଅଙ୍ଗଲତା ଝୁଲିଝୁଲି ଘୂରୁଚି ପୁରୁଷର ସାଥିରେ । ବାହୁରେ ବାହୁ ଓ ଅଣ୍ଟାକୁ ଅଣ୍ଟା ଧରି ଦ୍ରୁତ ପଦଚାଳନା କରୁଛନ୍ତି ଉନ୍ମତ୍ତ ନର-ନାରୀ । ଟେବୁଲ ଉପରେ ହ୍ୱିସ୍କିର ଗନ୍ଧ ଖେଳିବୁଲୁଚି । ଜୀବନ ଏଠି ନୂଆ ହୋଇ ବଞ୍ଚି ଉଠୁଚି । ମେଜର୍‍ ସାହେବ ଆଗରେ ଦୁଇଟା ବୋତଲ । ଗୋଟାଏ ଉଠାଇ ନେଲେ ସେ । ପିଇଲେ ପରମ ତୃପ୍ତିରେ । ସିଗାରେଟ୍‌ ଟାଣି ସେ ଲକ୍ଷ୍ୟ କଲେ ଉନ୍ମତ୍ତ ହୋଇ ନୃତ୍ୟ ବିଭୋର ନାରୀ ଓ ପୁରୁଷମାନଙ୍କୁ । ନାରୀମାନଙ୍କର ମାଂସଳ ଛାତିରେ ଅତ୍ୟଳ୍ପ ପରଦା । ମନଭରା ଅଳସ ଅଳସ ଆଖିରେ ସେ ଜଡ଼ାଇ ଧରିଚି ନିଜର ଫ୍ରେଣ୍ଡ୍‌କୁ ମେଜର୍‍ ସାହେବ ସେଠାରୁ ମୁହଁ ବୁଲାଇ ନେଇ ଚାହିଁଲେ ଅନ୍ୟ ସ୍ଥାନକୁ । ମାଂସଳ ଯୌବନରୁ ପିଚିକି ଉଠୁଚି ବୟସର ଦାବୀ । ଅତୃପ୍ତ ପିପାସା ପୂର୍ଣ୍ଣ ପାଇଁ ବୟସ ଯାଚି ଦେଇଚି ରକ୍ତଭରା ଓଠ ଓ ଲବଣୀ କୋମଳ ଗଣ୍ଡ ଯୁଗଳ । ନୃତ୍ୟର ତାଳେ ତାଳେ ଯନ୍ତ୍ର ସଙ୍ଗୀତର ଧୀର ସ୍ୱର । ପୁଣି କିଛି ସେ ପାନ କଲେ ।

 

‘‘ହାଲୋ ଡିଅର୍‌ ମେଜର୍‍ ସାହେବ ? ମୋ ସାଙ୍ଗରେ ନାଚିବାରେ କିଛି ଆପତ୍ତି ଅଛି କି-? (will you agree to dance with me ?) —ମୋଟେ ନୁହେଁ ମିସ୍‌ । ସେ ସବୁରେ ମୁଁ ଅଭ୍ୟସ୍ତ । ଚଟାପଟ୍‌ ଉତ୍ତରଦେଲେ ମେଜର୍‍ ସାହେବ ସୁଲଳିତ କଣ୍ଠରେ ପଚାରୁଥିବା ଏବଂ ତାଙ୍କ କଣ୍ଠକୁ ସୁନ୍ଦର ସୁଗୋଲ ବାହୁରେ ଭିଡ଼ି ଧରିଥିବା ନାରୀଙ୍କୁ ବୁଲି ଚାହିଁଲେ ସେ । କିଏ ଏ-? ତାଙ୍କୁ କେଉଁଠି ଦେଖିଛନ୍ତି ତ କେଉଁଠି ?

 

‘‘ଓଃ ମୋର ପରିଚୟ । ମୁଁ ଲୀରା । ଇଣ୍ଡିୟାନ୍‌ ଏୟାର୍‌ ଲାଇନ୍‌ସ ବୋଇଂ 777ରେ ମୋତେ କେବେ ଦେଖି ନାହାନ୍ତି ? ମୁଁ ଆପଣଙ୍କର ପରିଚିତ ଏୟାର୍‌-ହୋଷ୍ଟେସ୍‌ ।

 

ସଙ୍ଗେ ସଙ୍ଗେ ହାତ ମିଳାଇଲେ ମେଜର୍‍ ସାହେବ । ପ୍ରଶ୍ନ କଲେ ଚାକିରି ବି କଣ ଛାଡ଼ିଦେଲ ? ଭଲ ଦରମାରେ ଥିବେ ତ ଆପଣ ?

 

‘‘ବମ୍ବେର ଜଣେ ପ୍ରଖ୍ୟାତ ଚଳଚ୍ଚିତ୍ର ମାଲିକଙ୍କର ମୁଁ ପୂତ୍ରବଧୂ ହେବାକୁ ଯାଉଚି ମେଜର୍‍ ସାହେବ । ସେ ଆମେରିକାରୁ ଫେରିଲେ ଆମର ବିବାହ ସମ୍ପନ୍ନ ହେବ । ତାଙ୍କର ଇଚ୍ଛା ଆମର ମ୍ୟାରେଜ୍‌ ହେବ ପ୍ୟାରିସରେ ଓ ହନିମୁନ୍ ନାଇଟ୍‌ ହେବ ହଲିଉଡରେ । ଶଶ୍ୱୁରଙ୍କ ଇଚ୍ଛାନୁଯାୟୀ ଚାକିରି ଛାଡ଼ିଦେଲି । ଶଶ୍ୱୁର ଭାରି ସ୍ୱାଧୀନଚେତା ଲୋକ । କାହାରି ଅଧୀନରେ ରହିବାକୁ ତାଙ୍କର ଭାରି ନାପସନ୍ଦ । ମୋର ଇଚ୍ଛା ଜୀବନ ଭରି ଉପଭୋଗ ।’’

 

‘‘ଲକି । ଲକି ୟୁ ଆର୍‌ । ମୁଁ ତୁମକୁ ପ୍ରଚୁର ଅଭିନନ୍ଦନ ଜଣାଉଚି ମିସ୍‌ ଲୀରା !

 

‘‘ମୋତେ କିନ୍ତୁ ଭୁଲି ଯିବେନି ମେଜର୍‍ ସାହେବ ?’’

 

‘‘ନୋ । ନେଭର୍‌ । ଭୁଲିବା ନ ଭୁଲିବା ସବୁ ତୁମର ମନ ଉପରେ ନିର୍ଭର କରେ । ମୋ ଉପରେ ନୁହେଁ । ତୁମର ପ୍ରିୟ ମେଜର୍‍ ସାହେବକୁ ଅନେକ ଭୁଲିଛନ୍ତି । ମାତ୍ର ସେ ଏପର୍ଯ୍ୟନ୍ତ କାହାକୁ ଭୁଲିନାହିଁ ଲୀରା । ଯେଉଁଠି ଯାହା ସହିତ ଅକସ୍ମାତ୍‌ ଭେଟ ହୋଇଚି ମେଜର୍‍ ସାହେବ ମନେରଖିଚି ତାର ସ୍ମୃତି । ମୋର ମନ ଗୋଟିଏ ଚିଡ଼ିଆଖାନା ପାଲଟିଯାଇଚି ଲୀରା, ସେଇ ଚିଡ଼ିଆଖାନା ଭିତରେ ରହିଚି କେତେ ପରିଚୟ ତାର କଳନା ନାହିଁ । ତାହା ଅଗଣନ ।

 

ଲୀରା କଥାର ପ୍ରସଙ୍ଗ ବଦଳାଇ କହିଲା, ‘‘ଏଥର ମୁଁ ପ୍ରସ୍ତୁତ ମେଜର୍‍ ସାହେବ ଆସ ମୋ ସହିତ ଡ୍ୟାନ୍‌ସରେ ଯୋଗ ଦିଅ ।

 

ମେଜର୍‍ ସାହେବ ଚେୟାରି ଛାଡ଼ି ଉଠିଗଲେ । ଲୀରା ଡାହାଣ ହାତରେ ତାଙ୍କର ଅଣ୍ଟାକୁ ଜାବୁଡ଼ି ଧରିଲା । ସେ ମଧ୍ୟ ଲୀରା ଅଣ୍ଟାକୁ ଜାବୁଡ଼ି ଧରି ନାଚିବାକୁ ଆରମ୍ଭ କଲେ । ବେଳେବେଳେ ଲୀରାର ଉଷ୍ମ ଓଠ ତାଙ୍କ ଓଠରେ ଲାଗୁଥିଲା । ସେ ଉନ୍ମତ୍ତା ଥିଲା ଓ ବାରମ୍ବାର ତାଙ୍କର ବଳିଷ୍ଠ ଦେହକୁ ଜଡ଼ାଇ ଧରିଥିଲା । ମାତ୍ର ତାର ଆଶା ନଦୀ ହଠାତ୍ ବୋହି ଆସି ଶୁଷ୍କ ହୋଇପଡ଼ୁଥିଲା ।

 

ଅନେକ ନାଚି ନାଚି କ୍ଳାନ୍ତ ହୋଇପଡ଼ିବା ପରେ ଲୀରା କହିଲା, ‘ମେଜର୍‍ ସାହେବ ଆଜି ମୋ ସହିତ ରାତ୍ରି ଯାପନରେ ଆପଣଙ୍କର କିଛି ଆପତ୍ତି ଅଛି କି ?

 

‘‘ମୋର କିଛି ଆପତ୍ତି ନାହିଁ ଏ ପ୍ରସ୍ତାବରେ, କିନ୍ତୁ ତୁମର ଆପତ୍ତି ଉଠିପାରେ ମିସ୍‌ ଲୀରା-। ‘‘ଆଶ୍ଚର୍ଯ୍ୟ ! ମୋର ଆପତ୍ତି କାହିଁକି ମେଜର୍‍ ସାହେବ ? ବରଂ ମୁଁ ଏଥିରେ ଖୁସିହେବି-। ଆଶ୍ଚର୍ଯ୍ୟରେ ନୟନ ବିସ୍ଫୋରିତ କରି ଲୀରା ଚାହିଁଥିଲା ।

 

‘‘ଅଭିନୟ କରିବା ସତ୍ୟକୁ ଗୋପନ ରଖି ତୁମ ସାଥେ ରାତ୍ରିଯାପନ କରି ପରିସ୍ଥିତିକୁ ଜଟିଳ କରିବାକୁ ଇଚ୍ଛା ନାହିଁ ମୋର । ତୁମ ନାରୀତ୍ୱକୁ ସମ୍ମାନ ଦେବାର ସମର୍ଥ ନାହିଁ ମୋର ।’’

 

ମେଜର୍‍ ସାହେବ, ହଠାତ୍‌ ଶବ୍ଦଟି ଛଟିକି ପଡ଼ିଲା ଲୀରା ମୁଖରୁ ।

 

‘‘ତୁମେ ଆଶ୍ଚର୍ଯ୍ୟ ହୁଅନାହିଁ ମିସ୍ ଲୀରା । ମଣିଷର ଭୋକ ଅଛି । ମନର ବି ଅଛି ଗୋଟାଏ ଲୋକ । ମେଜର୍‍ ସାହେବର ମନରେ ବି ସେଇ ଭୋକଟା ଅଛି । କିନ୍ତୁ ଲୋକ ପାଇଁ ଭଗବାନ୍‌ ମୋତେ ପାଟି ଦେଇ ନାହାନ୍ତି । ତେଣୁ ପାଖରେ ଖାଦ୍ୟ ଥିଲେ ବି ମୁଁ କାଦ୍ୟ ଠାରୁ ଦୂରେଇ ରହିଛି । ମନ ଭିତରେ ବାଘ ଗର୍ଜିଉଠିଛି ଝାମ୍ପ ମାରିବାକୁ ଚେଷ୍ଟା କରିଛି । କିନ୍ତୁ ସଙ୍ଗେ ସଙ୍ଗେ ମୋ ଭିତରେ ବାଘଟା ପାଲଟି ଯାଇଚି ନିରୀହ ଶାନ୍ତ ମେଣ୍ଢାଛୁଆଟିଏ । ସେ ଆଖି ମିଟି ମିଟି କରି ଘୂମେଇବାକୁ ଚେଷ୍ଟା କରିଛି ।

 

ମିସ୍‍ ଲୀରା ତାଙ୍କର କ୍ଷୁଦ୍ର ଘଣ୍ଟାଟିକୁ ଚାହିଁବାକୁ ଚେଷ୍ଟାକଲେ । ତାପରେ କହିଲେ ମୁଁ ବାସ୍ତବିକ୍‌ ଆପଣଙ୍କ ଏ ଅବସ୍ଥାରେ ଦୁଃଖିତ ମେଜର୍‍ ସାହେବ । ଆପଣ ନିଜକୁ ସୁସ୍ଥ କରନ୍ତୁ । ମୁଁ ଆସୁଛି । ‘‘ତୁମର ଉପଦେଶ ମୋର ବହୁଦିନ ଯାଏଁ ମନେରହିବ ମିସ୍‌ ଲୀରା; କିନ୍ତୁ ମୋର ଅନୁମାନ ସତ୍ୟ ଲୀରା, ଖୁବ୍‌ ଶୀଘ୍ର ସତ୍ୟ ପ୍ରକାଶରେ ମୁଁ କୁଣ୍ଠିତ ହେଲି ନାହିଁ । ଆଉ ସଙ୍ଗେ ସଙ୍ଗେ ତୁମେ ମୋ ଠାରୁ ବିଦାୟ ନେଇପାରିଚ ।’’

 

‘‘ଦୁଃଖ କରିବେ ନାହିଁ ମେଜର୍‍ ସାହେବ । ସେଥିପାଇଁ, କିନ୍ତୁ ବହୁତ ଡେରିରେ ମୁଁ ଆପଣଙ୍କର ଭିତର ପରିଚୟ ପାଇଲି । ନଚେତ୍‌ ମୋର ଭାବି ସ୍ୱାମୀଙ୍କର ଜଣେ ବନ୍ଧୁ ଆପଣଙ୍କୁ ଏ ବିଷୟରେ ଯଥେଷ୍ଟ ସାହାଯ୍ୟ କରିପାରିଥାନ୍ତେ । ‘‘ଆସୁଛି’’ କହି ସେ ଚାଲିଗଲେ । ବୋଧହୁଏ ମିସ୍‌ ଲୀରା ପଛକୁ ଚାହିଁବାକୁ ଆଉ ଉଚିତ ମନେକରେ ନାହିଁ ।

 

କ୍ଲବରୁ ମଦ୍ୟ ନିଶାରେ ଅବସନ୍ନ ଶରୀର ଉଲଗ୍ନ ମନ ନେଇ ଫେରିଆସିଲେ ମେଜର୍‍ ସାହେବ । କ୍ଳାନ୍ତିରେ ସେ ଭାଙ୍ଗିପଡ଼ୁଥିଲେ । ତନ୍ଦ୍ରାଭରା ନୟନରେ ସେ ଆଉ ଶୀଟାର ବଜେଇବାକୁ ଭଲ ମନେକଲେ ନାହିଁ । ଶୋଇବାକୁ ଚେଷ୍ଟାକଲେ ।

 

ମେଜର୍‍ ସାହେବ କେବଳ ଯେ ଗୀଟାର୍‌ ବଜେଇବାକୁ ଇଚ୍ଛା କରି ସମୟ କଟେଇବାକୁ ଚେଷ୍ଟା କଲେ ତା ନୁହେଁ, ବହୁ ପିଲାଦିନରୁ ତାଙ୍କର ଗୋଟିଏ କଳା ଥିଲା ଚିତ୍ର କରିବା । ବହୁ ଦିନପରେ ସେହି ଗୁଣଟି ଯେପରି ସ୍ମୃତିର ସମାଧି ତଳ ଅସହାୟତାର ହାବୁକା ଖାଇ ଉଠିଆସିଲା । କେଉଁଦିନ ହଠାତ୍‌ ଏମିତି କାରରେ ବୁଲୁବୁଲୁ ସେ ଗଲେ ଆର୍ଟ ଏମ୍ପୋରିୟମ୍‌ । ଫେରିଲେ ସାଥିରେ ଧରି ତୂଳୀ, କଲର, ପେନ୍‌ସିଲ୍‌ । ଆର୍ଟପେପର କିଣି ଆର୍ଟ କରି ବସିଲେ । ଆଗରୁ କଳା ଥିଲା । ପୁଣି ଥିଲା ମନରେ ସାହସ ଓ ଧୈର୍ଯ୍ୟ ଚିତ୍ର କରିବା ପାଇଁ ଯେଉଁ ଟିକକ ଧୈର୍ଯ୍ୟ ଓ ସହାନୁଭୂତି ମନର କୋଣରେ ସାଇଥି ହୋଇ ରହିଥିଲା ମେଜର୍‍ ସାହେବ ତାକୁ ପରିଶ୍ରମରେ ଲଗେଇଦେଲେ-। ଘଣ୍ଟା ଘଣ୍ଟା ବସିରହି ମେଜର୍‍ ସାହେବ ନୀରବ ଓ ନିର୍ଜନରେ ଚିତ୍ରକଳାର କୋଣାର୍କ ଗଢ଼ିଚାଲିଲେ-। ହାତର ନିଖୁଣତା ଓ କଳ୍ପନାର ଚମତ୍କାରିତାରେ ପ୍ରତିଟି ଚିତ୍ରରେ ଖେଳିଲା ଜୀବନ । ଅସ୍ତ୍ର ବିଦ୍ୟା ସାଙ୍ଗରେ ଗାନ୍ଧର୍ବ କଳାର ଅପୂର୍ବ ସମନ୍ୱୟ ହୋଇଥିଲା ତାଙ୍କଠାରେ । ଗୋଟିକ ପରେ ଗୋଟିଏ ପ୍ରାଣବନ୍ତ ଛବି କାନ୍ଥରେ ଟାଙ୍ଗି ଚାଲିଲେ ମେଜର୍‍ ସାହେବ । ଅନ୍ୟର ହାତ ତିଆରି ଛବିଗୁଡ଼ିକୁ ସବୁ ମୋଡ଼ିମାଡ଼ି ଟ୍ରଙ୍କରେ ଥୋଇଦେଲେ ସେ ।

 

ସନ୍ଧ୍ୟାବେଳକୁ ଫେରିଆସିଲେ ସେ ତୂଳୀ, ରଙ୍ଗ ଓ ପେନ୍‌ସିଲ୍‌ ଧରି ବସିଯାଆନ୍ତି ଆର୍ଟ କରିବା ପାଇଁ । ପ୍ରଥମେ ପ୍ରଥମେ ସେ ପୁରାଣର ବହୁ କିମ୍ବଦନ୍ତୀକୁ ରୂପ ଦେଇଥିଲେ; ମାତ୍ର ହଠାତ୍ ଦିନେ ସେ ପୁରୁଣା ଚିତ୍ରଗୁଡ଼ାକ ଏକ ଯୁବକ ସଂଘକୁ ଓ ହାଇସ୍କୁଲକୁ ଦାନ କରିଦେଲେ । ଜୀବନର ନିର୍ମମ ବାସ୍ତବତା, ବହୁ ବାସ୍ତବ ଅପ୍ରିୟ କଥାକୁ ତୂଳୀରେ ରୂପଦେଲେ କେମିତି ହୁଅନ୍ତା ? ମଣିଷ ବହୁ କଥାକୁ ଅଙ୍ଗରେ ଲିଭାଏ, ହେଲେ ସେଇ ମଣିଷର ଆଗରେ ନିଜକୁ ନିଜେ ଛଳନାକରେ । ଗୋପନ ରଖେ ମଣିଷ ଆଗରେ । ସେହି କଥା, ଯାହା ତାର ନିତି ମନର କୋଣ ଅନୁକୋଣରେ ପୋଖରୀର ଚୁନି ଚୁନି ଢେଉ ପରି କୂଳରେ ଲହଡ଼ିଖାଏ, ଯଦି ତାହା ଫୁଟିଉଠେ ତୂଳୀର ଯାଦୁକରୀ ସ୍ପର୍ଶରେ କେମିତି ହୁଅନ୍ତା ତାହାହେଲେ ?

 

ସେଦିନ ଭାବାନ୍ତର ଦେଖାହେଲା ମେଜର୍‍ ମାଥୁର୍‌ଙ୍କ ମନରେ । ସେ ଅନୁଭୂତି ଓ ଅଭିଜ୍ଞତାକୁ ବାସ୍ତବ ରୂପ ଦେବେ । ସେଦିନ ରାତିରେ ସେ କିଛି ହ୍ୱିସ୍କି ପିଇଲେ । ଦିନର ଗୁଡ଼ାଏ ଅସହାୟତା ଓ କ୍ଳାନ୍ତି ଯାହା ବରଫ ପରି ଜମାଟ ବାନ୍ଧିଥିଲା ମଥା ଭିତରେ ତାକୁ ପାଣି ଫଟେଇ ଦେଇ ସେ ତୂଳୀ, କଲର୍‌ ଓ ପେନ୍‌ସିଲ୍‌ ଧରି ବସିଲେ ।

 

ଆରମ୍ଭ କଲେ ଗୋଟିଏ ଚିତ୍ର । ପେନ୍‌ସିଲ୍‌ ଧରି ଆର୍ଟପେପର ଉପରେ ଏପଟ ସେପଟ ଗାର ଟାଣିଲେ ମେଜର୍‍ ସାହେବ । ସାଧନା ଚାଲିଲା ସିଦ୍ଧିର ସଙ୍ଗୀନୀ ହେବା ପାଇଁ । ସେ ଗୋଟିଏ ରେଜିମେଣ୍ଟର ଦୃଶ୍ୟ । ଉପରେ ସୁଉଚ୍ଚ ପାହାଡ଼ ପର୍ବତ । କେତେ ପକ୍ଷୀ ଉଡ଼ିଚାଲିଛନ୍ତି ଗୋଲ ହୋଇ ପାହାଡ଼ ଫାଙ୍କରୁ ଉଠୁଥିବା ଲାଲ ସୂର୍ଯ୍ୟ ଆଡ଼କୁ । ଆଉ କାନ୍ଧରେ ସଙ୍ଗୀନ୍‌, ହାତରେ ବାଏନା କୁଲର୍‌ ଧରି ଜଣେ ସୋଲ୍‌ଜର ଉଠିଯାଉଛି ପାହାଡ଼ ଉପରକୁ । ତଳେ ସବୁ ଛୋଟ ଛୋଟ ଖାମ୍ବ । ସେ ତା ଉପରେ ରଙ୍ଗ ମଡ଼େଇ ଦେଲେ । ଚିତ୍ରଟିର ତଳେ ଲେଖିଦେଲି ‘‘ସୂର୍ଯ୍ୟ ସନ୍ଧାନ’’ ।

 

ପୁଣି ଦିନେ ହଠାତ୍ ବାହାରୁ କଳ୍ପନା ବୋଝେଇ କରି ଆସିଲେ ମେଜର୍‍ ସାହେବ । ଖାଇଦେଇ ବସିଗଲେ ପୁଣି ତୂଳୀଧରି । ଅସଂଜତ ତଥା ଲମ୍ବି ଆସିଥିବା କେଶକୁ ଦି’ଥର କୁଣ୍ଡେଇ ଦେଲେ । ଝାଳେଇ ଯାଇଥିବା ମୁହଁକୁ ଦୁଇଥର ଟାୱେଲରେ ପୋଛିଦେଲେ । ପେନ୍‌ସିଲ୍‌ ଗାର ଏପଟରୁ ସେପଟ ଚଳେଇ ଚାଲିଥାନ୍ତି ସେ । ଛବି ଫୁଟିଲା, ରଙ୍ଗ ଦେଲେ ମେଜର୍‍ ସାହେବ । ସେ ଏକ ମଧୁଶଯ୍ୟାର ଦୃଶ୍ୟ । ପୁଷ୍ପଗୁଚ୍ଛର କେରା ଲମ୍ବିଯାଇଛି ଉପରୁ ତଳକୁ । ସୁସଜ୍ଜିତା, ନବଯୌବନା ଏକ ବଧୂର ସଲଜ୍ଜ ହସ ଓ ମାଦକଭରା ମୁହଁଟିରେ ଜ୍ୟୋତିର ଝଲକ । କାହାର ପ୍ରତୀକ୍ଷାରେ ବଧୂଟି ଅପେକ୍ଷାରତା । ପାଖରେ ଜଣେ ଯୁବକ । ମୁହଁ ସୁନ୍ଦର ହସ ହସ । ତା ତଳେ ସେ ଲେଖି ଦେଲେ ‘‘ମିଳନ ପାଇଁ ରାତିଟିଏ’’ ।

 

ଚିତ୍ର ବନ୍ଦକରି ମେଜର୍‍ ସାହେବ କ୍ଳାନ୍ତ ଓ ଅବସନ୍ନ ଦେହକୁ ଲୋଟାଇ ଦେଲେ ଶଯ୍ୟାରେ । ମନେପଡ଼ିଲା ଅତୀତର ବହୁ ସ୍ମୃତି । ସେଇ ସ୍ମୃତିର ଦୋଳିରେ ମେଜର୍‍ ସାହେବ ଅନେକ ଝୁଲିଛନ୍ତି । ତାଙ୍କର ବିଶ୍ରାମ ନାହିଁ, ସେଥିପାଇଁ ସେ କ୍ଳାନ୍ତ ନୁହଁନ୍ତି । ଅତୀତ କିମ୍ବା ବର୍ତ୍ତମାନ ସ୍ମୃତିକୁ ଜାବୁଡ଼ି ଧରି ମେଜର୍‍ ସାହେବ ଆନନ୍ଦ ପାଆନ୍ତି । ସେ ସ୍ମୃତି ଯେତେ ତିକ୍ତ ବା କଣ୍ଟାପୂର୍ଣ୍ଣ ହେଉ । କଣ୍ଟାବୁଦା ଖାଇ ନିଜ ଓଠରୁ ଝରୁଥିବା ରକ୍ତକୁ ନିଜେ ଚାଟିବାକୁ ଭଲପାଉଥିବା ସାହାରାର ଓଟ ପରି ସେ ଯେମିତି ଭାରି ଆନନ୍ଦ ପାଆନ୍ତି । ନିଜେ ଆନନ୍ଦ ହେବାରେ ନୁହେଁ, ଦୁଃଖର ନିଆଁରେ ସିଝିବାରେ ହତାଶାର ଭଉଁରୀ ଭିତରେ ଉବୁଟୁବୁ ହେବାରେ ଓ ନିଜେ ନିଜକୁ ଛୁରୀକାଘାତ କରି ଯନ୍ତ୍ରଣାକ୍ତ ହେବାରେ ବି ବୋଧେ ଗୋଟିଏ ଆନନ୍ଦ ଅଛି । ଯାହା ପ୍ରତି ରାତ୍ରିର ନୀରବତା ଭିତରେ ଏକ ନିର୍ଜନ ପ୍ରକୋଷ୍ଠ ଭିତରେ ଅଙ୍ଗେ ଲିଭେଇ ଚାଲନ୍ତି ମେଜର୍‍ ସାହେବ ।

 

ସେ ଶୋଇବାକୁ ଚେଷ୍ଟା କରୁଥିଲେ । ମାତ୍ର ନିଦ ଯେମିତି ତାଙ୍କ ଆଖିରୁ ଦୂରେଇ ଯାଇଥିଲା । ସେ ହଠାତ୍‌ ବେଡ୍‍ ଛାଡ଼ି ଉଠିପଡ଼ିଲେ ଓ ଲାଇଟ୍‌ ଜଳେଇଲେ । ଆଲମାରୀରୁ ହ୍ୱିସ୍କି ବୋତଲ ଆଣି ଗ୍ଲାସରେ ଢାଳିଲେ ଓ କିଛି ପିଇଲେ । ପୁଣି ଭାବିଲେ ସେ ଶୀଟାର୍‌ କିଛି ସମୟ ବଜେଇବେ କି ? ରାତ୍ରିର ନୀରବତାକୁ ଦୂରେଇ ସେ କବି ନଜରୁଲ୍‌ଙ୍କ ସଂଗୀତକୁ ସ୍ୱର ରୂପ ଦେବାକୁ ଚେଷ୍ଟା କଲେ ।

 

ପାଖ-କ୍ୱାର୍ଟରରେ ରହୁଥିବା ଡକ୍ଟର ରାଓ ଓ ତାଙ୍କ ମିସେସ୍‌ ଶୋଇ ନଥିଲେ । ତାଙ୍କ ଝର୍କା ବାଟ ଦେଇ ଆଲୋକ ବାହାରକୁ ଆସି ରାସ୍ତାରେ ପଡ଼ୁଥିଲା । ସେମାନେ ବୋଧହୁଏ ତାଙ୍କର ଘରୋଇ ସମସ୍ୟା ବିଷୟରେ କଥାବାର୍ତ୍ତା ହେଉଥିଲେ । ମିସେସ୍‌ ରାଓ ଥିଲେ ଅସମ୍ଭବ ଧରଣର ମୋଟି । ତାଙ୍କ ପେଟ ଓ ପିଠି ସବୁ ଏକ ପ୍ରକାର ଲାଗି ଗଲାପରି ଦେଖାଯାଉଥିଲା । ଗାଲ ଓହଳି ପଡ଼ିଥିଲା ଓ ବେକ ଦେଖାଯାଉ ନଥିଲା । ଡଃ ରାଓ ଫେରି ଆସିଲେ ମିସେସ୍‌ ରାଓ ତାଙ୍କ ସାଙ୍ଗରେ କଳି କରୁଥିଲେ । ପ୍ରାୟ ପ୍ରତ୍ୟେକ ଦିନ ମେଜର୍‍ ମାଥୁର୍‌ ସେମାନଙ୍କର କଳି ଶୁଣିବାକୁ ପାଉଥିଲେ । ବହୁଦିନ ପରେ ସେ ଜାଣିଲେ ରାଓ ଦମ୍ପତ୍ତି ସନ୍ତାନହୀନ । ବିବାହର ଆଠୋଟି ବସନ୍ତ ବିତିଲା ପରେ ବି ମିସେସ୍‌ ରାଓଙ୍କର କୋଳ ଶୂନ୍ୟ । ମିସେସ୍‌ ରାଓଙ୍କର ତାହା ହିଁ ଅସନ୍ତୁଷ୍ଟର କାରଣ । ନିଜେ ଡକ୍ଟର ରାଓ ଅନେକ ଚିକିତ୍ସା ଓ ଅସ୍ତ୍ରୋପଚାର ମିସେସ୍‌ ରାଓଙ୍କ ଦେହରେ କରାଇଛନ୍ତି; କିନ୍ତୁ କିଛି ଫଳ ହୋଇ ନାହିଁ । ମେଜର୍‌ ମାଥୁର୍‌ ତାଙ୍କ ବିଷୟରେ ଭାବିଛନ୍ତି । ଏଥିପାଇଁ ଦାୟୀ କିଏ ? ନିଜେ ଡଃ ରାଓ ତାଙ୍କ ପରି ଏକ ନିଷ୍ଫଳ ପୌରୁଷ ନୁହଁନ୍ତି ତ ? କିଏ ଜାଣେ ଦିନେ ତାଙ୍କ ପଞ୍ଜୁରୀକୁ ଶୂନ୍ୟକରି ମିସେସ୍‌ ରାଓ ଅନ୍ୟଠି ନିଡ଼ ନ ରଚିବେ ବୋଲି ? ଡକ୍ଟର ରାଓଙ୍କର ପୌରୁଷକୁ ଉପହାସକରି ଅନ୍ୟ ପୁରୁଷଙ୍କ ହାତଧରି ଅନ୍ତର୍ଦ୍ଧାନ ହୋଇ ନ ଯିବେ ବୋଲି ? ଆହାଃ ଏଇ ହତଭାଗ୍ୟ ଡଃ ରାଓ ସ୍ତ୍ରୀକୁ ନେଇ କାରରେ ସିନେମା ଦେଖିବାକୁ ଗଲାବେଳେ କିମ୍ବା ନିରୋଳା କୋଠରୀରେ ସ୍ତ୍ରୀ ଠାରୁ ମଧୁର ଚୁମ୍ବନ ଗ୍ରହଣ କରୁଥିବା ବେଳେ କଦାପି କଣ ଭାବିପାରିଥିବ ଯେ ଯେଉଁ ସ୍ତ୍ରୀଟି ତାଙ୍କୁ ଏତେ ଭଲ ପାଉଚି, ତା ପାଇଁ ସମସ୍ତ ସମର୍ପଣ ବୋଲି ଚତୁର୍ଥୀ ରାତ୍ରି ଠାରୁ ଆଜି ପର୍ଯ୍ୟନ୍ତ କହିଚାଲିଚି, ତା ଭିତରେ ତାର ମନର ହରିଣୀଟି ଖାଲି ଛଟପଟ ହେଉଚି ବିବାହର ଫାଶ ଭିତରେ ପଡ଼ି, ଶୁଷ୍କ ଆଦର୍ଶର ଦ୍ୱାହି ଦେଇ ନିଜକୁ ନିଜେ ରକ୍ତାକ୍ତ କରୁଚି ।

 

ମନେପଡ଼େ ସ୍ତ୍ରୀ ସଲୀଳାଙ୍କ କଥା । ସେ ଠିକ୍‌ କରିଛନ୍ତି । ଶୁଷ୍କ ଆଦର୍ଶ ଭିତରେ ବାନ୍ଧି ହୋଇ ନାହାନ୍ତି । ନିଜର ବାଟ ନିଜେ ଖୋଜି ନେଇଛନ୍ତି । ନିଜେ ନିଜକୁ ଛଳନାକରି ପ୍ରତାରଣା କରି ନିଜ ଭିତରେ ଜଳିବା ଠାରୁ ଦୁଃଖ ବୋଧେ ବେଶୀ କିଛି ନାହିଁ । ସଲୀଳାଙ୍କ ବିବେକ ଆଦର୍ଶକୁ ଗ୍ରହଣ କରିପାରି ନାହିଁ । ତେଣୁ କେଉଁ ଏକ ନିରୋଳା ମୁହୂର୍ତ୍ତରେ ଚିଠିଟାଏ ଲେଖି ସେ ତାଙ୍କ ପାଖରୁ ଉଠି ଚାଲିଯାଇଛନ୍ତି । ବୁଝେଇଛନ୍ତି ତାଙ୍କୁ ଭୁଲିଯିବାକୁ । ତାଙ୍କର ସ୍ମୃତିକୁ ପୋଛି ଲିଭେଇ ଦେବାକୁ । ସଲୀଳା ଆଜି ସୁନ୍ଦର ଜୀବନ କଟାଉଥିବେ ନୂତନ ସ୍ୱାମୀଙ୍କର ପରିବାର ଭିତରେ । ପୁତ୍ର କନ୍ୟାର ଜନନୀ ହୋଇଥିବେ । ସେମାନଙ୍କର ହସ ଦେଖି ଦୁଃଖ ଭୁଲୁଥିବେ । ପାଶୋରି ଯାଇଥିବେ ମେଜର୍‌ ମାଥୁର୍‌ଙ୍କୁ । ଅତୀତର ମନକୁ ମଶାଣି କରି ତା ଉପରେ ମାଥୁର୍‌ଙ୍କର ସମାଧି ରଚିଥିବେ ସେ । ଆଉ ତାଙ୍କର ନୂଆ ସ୍ୱାମୀକୁ ମନର ମନ୍ଦିରରେ ଫୁଲ ତୁଳସୀ ଧରି ପୂଜା କରି ଚାଲିଥିବେ ସେ । ସଲୀଳା ଆଦର୍ଶ ଗୃହିଣୀ ନ ହୋଇଥିଲେ ବି ବାସ୍ତବ ନାରୀ ହୋଇ ପାରିଛନ୍ତି ତ-? ସେଥିପାଇଁ ମେଜର୍‍ ମାଥୁର୍‌ ଦୁଃଖ କରିବେ କାହିଁକି ? ଅନୁଶୋଚନାର ବା ମୂଲ୍ୟ କଣ-? ସେ ହାତ ଯୋଡ଼ିଲେ ଭଗବାନଙ୍କ ଉଦ୍ଦେଶ୍ୟରେ । ‘‘ହେ ମଙ୍ଗଳମୟ, ସଲୀଳାଙ୍କର ସଂସାରକୁ ସୁଖୀ କର । ପୂର୍ଣ୍ଣ କରିଦିଅ ତାଙ୍କର ସଂସାର, ଆଲୋକରେ ଭରିଦିଅ ତାଙ୍କର ନୂତନ ଜୀବନ-।’’

 

ସେ ପୁଣି ଚିତ୍ର କରିବେ କି ? ନିଦ ହେଉନାହିଁ, କିଛି ସମୟ କଟାଇ ହୁଅନ୍ତା ତ ? ପାଖ ଘରୁ ଡକ୍ଟର ରାଓ ଓ ମିସେସ୍‌ ରାଓଙ୍କର ଟୁପ୍‌ ଟୁପ୍‌ କଥାବାର୍ତ୍ତା ଶୁଭୁଚି ।

 

ମେଜର୍‍ ମାଥୁର୍‌ ଲୋକଟା କ’ଣ ପାଗଳ ହୋଇଗଲା ?

 

: ପାଗଳ ନ ହେଇଥିଲେ ଏମିତି କାହିଁକି ହୁଅନ୍ତା ?

 

ସ୍ତ୍ରୀଟା ଛାଡ଼ି ପଳେଇଲା । ଲୋକଟା ଭାରି ଦୁଃଖୀ, ସେହି ଦିନୁ ଦେଖିଲଣି କେମିତି ଶୁଖି ଶୁଖି ଯାଉଚି ? ଆଚ୍ଛା କହିଲ ଭଲା, ସ୍ତ୍ରୀର ତାର ତ ଭଲ ପଡ଼ୁଥିଲା, ଛାଡ଼ି ପଳେଇଲା କାହିଁକି ?

 

: ଜାଣିଚ, କେତେକ କହୁଛନ୍ତି ଲୋକଟା କୁଆଡ଼େ ତାର ପୁଂସତ୍ୱ ହରେଇଚି । ଇ ମାଁ । ସତେ ?

 

ହଁ, ତାପରେ ଲୋକଟା ଅସମ୍ଭବ ପାଲଟି ଯାଇଚି । ରୀତିମତ ପ୍ରଚୁର ମଦ ଖାଉଚି । ମୁଁ ଦେଖିଚି କାଚ ଆଲମାରୀ ଭିତରେ ପ୍ରଚୁର ରମ୍ ଆଉ ହ୍ୱିସ୍କି ବୋତଲ ।

 

ଆଉ ଜାଣିଚ ? ତମେ ବେଳେ ବେଳେ ଶୁଣିଥିବ କି ନାହିଁ ଲୋକଟା ସୁନ୍ଦର ଗୀଟାର୍‌ ବଜଉଚି । ଭାରି ସୁନ୍ଦର । ଯେତେ ହତାଶ ସଙ୍ଗୀତର ସ୍ୱର ସବୁ ଗୀଟାରରେ ଦେବାକୁ ଚେଷ୍ଟା କରୁଚି ।

 

: ଆଉ ତମେ ଜାଣିଚ, ମୁଁ ଅଫିସ୍‌କୁ ଗଲାବେଳେ ଦେଖେ ଲୋକଟା ମୁଣ୍ଡ ତଳକୁ ପୋତି ଆର୍ଟ କରୁଚି । ଭାରି ସୁନ୍ଦର ଆର୍ଟ । ଲୋକଟା ଏତେ ସୁନ୍ଦର ବିଦ୍ୟା ଜାଣେ । ଅଥଚ.....

 

: ଅଥଚ ଭଗବାନ ତାକୁ ଏତେ ଦୁଃଖ ଦେଲେ । ମିସେସ୍‌ ରାଓ ଓ ଡଃ ରାଓଙ୍କର କଥାବାର୍ତ୍ତା ବନ୍ଦ ହୋଇଗଲା । ସେମାନେ ଲାଇଟ୍‌ ଲିଭାଇ ଦେଲେ ବୋଧହୁଏ ।

 

ଇୟୁରେକା, ଇୟୁରେକା ! ଆଉ ଗୋଟିଏ ସୁନ୍ଦର ଚିତ୍ରର କଳ୍ପନା । ମେଜର୍‍ ମାଥୁର୍‌ ଧରିଲେ ତୂଳୀ, ଆର୍ଟ ପେପର୍‌ ଉପରେ ପେନ୍‌ ସିଲ୍‌ ଗାର୍‌ ଟାଣି ଚାଲିଗଲ ।

 

ତାଙ୍କର ଜୀବନ ସରିନାହିଁ । ଯେମିତି ଲମ୍ବିଯାଇଛି ଜୀବନ କେଉଁଠୁ କେଉଁଯାଏ । ସେ ଜୀବନରେ ଆସିଛି ସଫଳତା ଆଉ ବିଫଳତା । ସଫଳତାରେ ସେ ଆନନ୍ଦ ହୋଇଥିଲେ । ବିଫଳତାରେ ସେ ଭାଙ୍ଗି ପଡ଼ିବେ କାହିଁକି ? ଆର୍ଟ କଲାବେଳେ ଯେମିତି ନୂଆ ପ୍ରେରଣା ଗଦ୍‌ଗଦେଇ ଉଠେ ଭିତରୁ । ଏଇ ନିରାଶା ଭିତରେ ଯେମିତି କେବେ ସ୍ୱପ୍ନର ନଗରୀ ଛାଆଁକୁ ଛାଆଁ ତିଆରି ହୋଇଯାଏ । ମେଜର୍‍ ସାହେବ ଅନେଇ ରହନ୍ତି ନିଜକୁ ନିଜେ ଆଶ୍ଚର୍ଯ୍ୟ ହୋଇ ।

 

ସେ ଚିତ୍ରଟି ଗୋଟିଏ ନାରୀର ପରିବାରରୁ ବିଦାୟର ଚିତ୍ର । ଆଲୁଳାୟିତ କେଶ ଘୋଡ଼େଇ ପକେଇଚି ନାରୀଟିର ସମ୍ପୂର୍ଣ୍ଣ ମୁଖମଣ୍ଡଳ, ହାତଟିରେ ଚିଠିଟିଏ ରଖି ଦେଇଚି ଟେବୁଲ୍ ଉପରେ । ପାଖରେ ଶୟନରତ ଗୋଟିଏ ପୁରୁଷ, ବୋଧହୁଏ ଯୁବତୀଟିର ସ୍ୱାମୀ ହେବ । ନାରୀଟିର ଝାପ୍‌ସା ମୁଖରେ ଭୟ, ସନ୍ଦେହ, ବିଷାଦ ଓ ଅନୁତାପ । ତା ତଳେ ମେଜର୍‍ ସାହେବ ଲେଖିଦେଲେ ‘‘ସାବିତ୍ରୀ ସେ ଅନ୍ୟ ଜଣେ ।’’

 

ଏତିକିବେଳେ ପୁଣି ଖୋଲିଲା ଡକ୍ଟର ରାଓଙ୍କର ଝରକା । ମେଜର୍‌ ମାଥୁର୍‌ ଦେଖିଲେ ତାଙ୍କ ସ୍ତ୍ରୀ ବାହାରକୁ ଅନେକ ରହିଛନ୍ତି । ତାଙ୍କ ମୁଖରେ ଯୁଗଯୁଗର ହତାଶା । ଯାହା ଦିନେ ସେ ଆବିଷ୍କାର କରିଥିଲେ ସଲୀଳାଙ୍କ ମୁଖରୁ ।

 

ସମସ୍ତଙ୍କ ଜୀବନରେ ବେଳେବେଳେ ବହୁ ଅପ୍ରତ୍ୟାଶିତ ଓ ଆକସ୍ମିକତା ଘଟିଥାଏ । ଏହି ଆକସ୍ମିକତାକୁ ଭାଗ୍ୟବାଦୀ ମଣିଷ କହେ ଭାଗ୍ୟ, ଆଉ ବାସ୍ତବବାଦୀ ମଣିଷ କହେ ଆକ୍‌ସିଡେଣ୍ଟ । ଭାଗ୍ୟର ଦ୍ୱାହି ଦେଇ ମଣିଷ ବଞ୍ଚିଯାଏ, ନିଜକୁ ନିଜେ ଟିକେ ଭୁଲେଇ । ନିଜକୁ ଭୁଲେଇବାର ଓ ସାନ୍ତ୍ୱନା ଦେବାର ଏହି ସହଜ ବାଟ ହିଁ ଭାଗ୍ୟ । ତେଣୁ ଚରମ ବାସ୍ତବତାକୁ ମାନିନେଲେ ମଧ୍ୟ ଭାଗ୍ୟ ଓ ଭଗବାନ ମଣିଷକୁ କ୍ଷଣିକ ପାଇଁ ହେଉ ମଧ୍ୟ ବଞ୍ଚେଇ ଦିଅନ୍ତି । ନହେଲେ ପୃଥିବୀରେ ମୃତ୍ୟୁ ଓ ଆତ୍ମହତ୍ୟା ସଂଖ୍ୟା ଚରମ ସୀମାରେ ପହଞ୍ଚି ଯାଇଥାନ୍ତା ।

 

ନିଜେ ମେଜର୍‍ ମାଥୁର୍‌ କହନ୍ତି ଆକସ୍ମିକତା ଉପରେ ବିଶ୍ୱାସ ନ ରଖିଲେ ଜୀବନର ଅର୍ଥ କିଛି ହୁଏନା । ଆକସ୍ମିକତାକୁ ବିଶ୍ୱାସ ନ କରୁଥିବା ଲୋକ ବା ଆସ୍ଥା ରଖୁ ନ ଥିବା ଲୋକର ପ୍ରତି ସେକେଣ୍ଡରେ ଅପମୃତ୍ୟୁ ହୋଇ ଚାଲିଯାଏ । ତେଣୁ ଆକ୍‌ସିଡେଣ୍ଟ ଜୀବନର ଗୋଟାଏ ରୋମାନ୍‌ସ-। ଏହି ଥିଓରି ଉପରେ ବିଶ୍ୱାସ କରୁଥିବା ମେଜର୍‍ ମାଥୁର୍ ବହୁ ପ୍ରାକ୍‌ଟିକାଲ୍‌ ତାଙ୍କ ଜୀବନରେ ଅଙ୍ଗେ ଲିଭେଇ ଥିଲେ । ବ୍ରିଗେଡ଼ିୟର ଶର୍ମା ସାହେବଙ୍କୁ କହୁଥିଲେ ସବୁବେଳେ ଆକସ୍ମିକତାରେ ଗୋଟିଏ ନୂତନ ଚାର୍ମ ଥାଏ, ନୁହେଁ ସାର୍ ? ଏହି ଚାର୍ମକୁ ଯେପରି ସବୁବେଳେ ସ୍ୱାଗତ କରୁଥିଲେ ମେଜର୍‍ ସାହେବ ।

 

ସେଦିନ ମେଜର୍‍ ସାହେବ କାର୍‌ ନେଇ ଚାଲିଯାଇଥିଲେ ବନ୍ଧୁ ଡାକ୍ତର ଅବିନାଶ ଘରକୁ-। ଅବିନାଶ ନୂଆ ଚାକିରି ପାଇଛି ଏଇଠି । ଶୀଘ୍ର ବିବାହକୁ ସେ ପସନ୍ଦ କରେନାହିଁ । ତେଣୁ ଅଠେଇଶ ବର୍ଷରେ ପଦାର୍ପଣ କରିଥିଲେ ବି ସେ କହେ ବିବାହ ହେଉଚି ଏକ ସାମାଜିକ ବନ୍ଧନ ଯାହା ଯୌବନର ଅନେକ ଉଦ୍ଦାମତାକୁ ବାନ୍ଧି ଚାପି ରଖିଦିଏ । ଯେଉଁ ଉଦ୍ଦାମତା ଓ ଚପଳତାକୁ ନେଇ ଯୌବନ ଅନେକ କିଛି ସ୍ୱପ୍ନ ଦେଖି ପାରିଥାନ୍ତା ।’’ କର୍ତ୍ତବ୍ୟ ଓ ବନ୍ଧନର ବୋଝ ଉପଭୋଗ ଆଗରେ କଂକ୍ରିଟ୍‌ ପଥରବନ୍ଧ ପରି ଠିଆହୁଏ । ଯାହାକୁ ଅତିକ୍ରମ କରିବା ପାଇଁ ଲୋଡ଼ା ପଡ଼େ ଶକ୍ତି ଓ ସାମର୍ଥ୍ୟ, ଯାହା ଉପଭୋଗ ପାଇଁ ସଞ୍ଚିତ ହୋଇ ରହିଥାନ୍ତା ।

 

ଅବିନାଶ ଧନୀ ଘରର ସନ୍ତାନ । ସୁନ୍ଦର ସ୍ୱାସ୍ଥ୍ୟ ଓ ଗୌରବର୍ଣ୍ଣର ଦେହ । ସେ ସିଗାରେଟ ସ୍ମୋକର । ତେଣୁ ଆଖିତଳେ ତାର କଳାଦାଗ ବାରି ହୋଇଯାଏ । ଆଉ ସବୁଥିରେ କାଣ୍ଟଛାଣ୍ଟ । ନିଜେ ଡାକ୍ତର ହୋଇ ସିଗାରେଟ୍‌ ସେ ଛାଡ଼ି ପାରି ନାହିଁ । କହି ସବୁବେଳେ ପଇସା ସଞ୍ଚିରଖି ଲାଭ କଣ ? କିଛି ପଇସାକୁ ଏହିପରି ଧୂଆଁ କରି ଆକାଶକୁ ଉଡ଼େଇ ଦିଆଯାଇ ପାରେ । କାରଣ ସିଗାରେଟ୍‌ ଫୂର୍ତ୍ତି ଦିଏ । ଆଉ ଫୂର୍ତ୍ତି ଗ୍ରହଣ ମନ ଓ ମୁହଁର ଅଭ୍ୟାସ ।

 

ପ୍ରଥମେ ଏଠିକି ଆସିଲାବେଳେ ପ୍ରଥମ ପରିଚୟ ହୋଇଥିଲା ଜଣକ ସାଙ୍ଗେ, ସେ ଥିଲେ ମେଜର୍‍ ସାହେବ । ପରିଚୟ ହୋଇଥିଲା ଏକ ଆଶ୍ଚର୍ଯ୍ୟଜନକ ଭାବେ । ସେତେବେଳେ ମେଜର୍‍ ସାହେବ ଡ୍ରିଙ୍କ୍‌ ନିଶାରେ ବିଭୋର ହୋଇ କେଉଁ ଏକ ରୂପସୀର କକ୍ଷରୁ ଫେରୁଥିଲେ । ସବୁଥର ପରି ରୂପସୀର ପୁରସ୍କାର ସେ ବୋଧହୁଏ ପାଇଥିଲେ ତାଚ୍ଛଲ୍ୟ କିମ୍ବା ଉପହାସ କିମ୍ବା ଆନ୍ତରିକତାହୀନ ସହାନୁଭୂତିରୁ ଠୋପାଏ ।

 

କାର୍‌ର ସ୍ପିଡ଼୍‌ ଦେଇ ଛୁଟିଥିଲେ ମେଜର୍‍ ସାହେବ । ହଠାତ୍‌ ସ୍କୁଟରଟିଏ ତାଙ୍କ ଆଗରେ ରହିଗଲା । ସେ ଏତେ ଜୋରରେ ବ୍ରେକ ଦେଲେ ଯେ ପିଚୁରାସ୍ତା ଉପରେ ଦୁଇପଟେ ଦୁଇଟି କଳାରଙ୍ଗର ନଈ ପାରି ଗାର ପଡ଼ିଗଲା । ଆଉ ରାସ୍ତା ଉପରେ ହତୋତ୍ସାହ ହେଇ ସ୍କୁଟର ଧରି ଠିଆହୋଇ ରହିଥିଲା ଯୁବକଟି । ତା ମୁହଁରେ ରକ୍ତ ନ ଥିଲା । ଆଖିରେ ଜ୍ୟୋତି ନଥିଲା । ସେ କେବଳ ଚାହିଁ ରହିଥିଲା ନିର୍ଜୀବ ପରି ମେଜର୍‍ ମାଥୁର୍‌ଙ୍କୁ ।

 

ଉପସ୍ଥିତ ଜନତା କାର୍‌ ଓ ସ୍କୁଟରକୁ ଘେରି ଯାଇଥିଲେ । ଦୁଇ ତିନୋଟି ପୋଲିସ୍‌ ଆସିଯାଇଥିଲେ । ପବ୍ଲିକ୍‌ ଭିତରୁ ଶୁଭୁଥିଲା ମାଥୁର୍‌ଙ୍କୁ ଆକ୍ରମଣ ଉଦ୍ଦେଶ୍ୟରେ କେତେକ ଧ୍ୱନି । କେତେକ ଯୁବକ ସାର୍ଟ ଖୋଲିଦେଇ ସେମାନଙ୍କ ହାତର କଡ଼ାକୁ ଦୋହଲାଇ ଦେଇଥିଲେ ।

 

କାର୍‌ ଭିତରେ ବସିଥିଲେ ମେଜର୍‍ ମାଥୁର୍‌ । ଦୁଇ ମିନିଟ୍‌ ପବ୍ଲିକ୍‌କୁ ନାଟକୀୟ ଭଙ୍ଗୀରେ ଚାହିଁଲେ । ତା’ପରେ ସିଗାରେଟ୍‌ ଲଗେଇଲେ । ଦୁଇ ଥର ଧୁଆଁ ଛାଡ଼ିଲେ !

 

‘‘ଶଳାକୁ ଓହ୍ଲାଇ ଆଣ ବେ ।’’

 

‘‘ଶଳା ଗାଡ଼ି ଚଳେଇ ନଜାଣି ଫିଟ୍‌ଫାଟ୍‌ ହେଇ ବାହାରି ପଡ଼ିଚି ।’’ ପୂରା ରସିକ ।

 

ୟା ବୋପା ଦିହକରେ କାର୍‌ ଚଲଉଥିଲା ?

 

ଲୋକଟାର ଭାରି ଦିଲ୍‌ । ଚୁପ୍‌ଚାପ୍ ବସିଚି ।

 

ଦୁଇଟା ପୁଲିସ୍‌ ପବ୍ଲିକ୍‌ଙ୍କୁ ଆଡ଼େଇ ତାଙ୍କ ପାଖକୁ ଗଲେ ।

 

ମେଜର୍‍ ମାଥୁର ଡୋର୍‌ ଖୋଲି ବାହାରିଲେ ସିଗାରେଟ୍‌ ଟାଣି । ଉପସ୍ଥିତ ଜନତା ଯେମିତି ନୀରବ ଆଉ ନିଷ୍ପନ୍ଦ ।

 

ସେ ହସିଲେ ବଡ଼ ପାଟିରେ ।

 

ମେଜର୍‍ ମାଥୁର୍‌କୁ ବୋଧେ ଚିହ୍ନି ନାହାନ୍ତି ଏମାନେ । ଆଚ୍ଛା, ଯୁବକଟି ପାଖକୁ ଆଗେଇଗଲେ ସେ । ସିଗାରେଟ୍‌ଟାକୁ ତଳେ ଫୋପାଡ଼ି ଦେଲେ । ଲୋକମାନଙ୍କ ମଧ୍ୟରେ ଗୋଟିଏ ହୈଚୈ ସୃଷ୍ଟି ହୋଇଗଲା ?

 

ତୁମ ନାମ ?

 

‘‘ଡାକ୍ତର ଅବିନାଶ ରାୟ’’

 

ଧନ୍ୟବାଦ ! ବୋଧହୁଏ ଏଠାର ଡକ୍ଟର ।

 

ଯୁବକଟି ମୁଣ୍ଡ ହଲାଇଲା ।

 

କିଛି କ୍ଷତି ହେଇଚି ତମର ?

 

ନା ସାର୍‌ ।

 

ସ୍କୁଟର୍ ?

 

ପଛରେ ମାଡ଼ ହେଇଚି ।

 

ମାଥୁର୍‌ ବଢ଼େଇଦେଲେ ଶହେ ଟଙ୍କାର ଦୁଇଖଣ୍ଡ ନୋଟ୍‌ ?

 

ନା ସାର୍ କ୍ଷମା କରିବେ । ମୁଁ ସଜାଡ଼ିଦେବି ।

 

ମାଥୁର ହସିଲେ ।

 

ବ୍ରେକ୍‌ଟା ଭଲ କାମ କରିଚି ଅବିନାଶ ! ନ ହେଲେ ତୁମକୁ ବଞ୍ଚାଇ ପାରି ନ ଥାନ୍ତି । ଆସ ଯିବା କାରରେ ।

 

ନା ସାର୍‌ ମୋର ଭୁଲ୍‌ ହେଇଯାଇଚି । ମୁଁ ରଙ୍ଗ୍‌ ଲାଇନ୍‌କୁ ନେଇଯାଉଥିଲି । ସେଦିନୁ ଅବିନାଶ ତାଙ୍କର ବନ୍ଧୁ, ସାନଭାଇ, ସବୁ । ଯଦିଓ ସେ ମେଜର୍‍ ମାଥୁରଙ୍କଠାରୁ ସାତବର୍ଷ ସାନ ।

 

ଦ୍ରୁତଗତିରେ କାର୍‌ ଚଳେଇ ପହଞ୍ଚିଲେ ଅବିନାଶର ପ୍ଲଟ୍‌ ନଂ ୧୧୪ ରେ ।

 

ଲକି ଅବିନାଶର ପେଟ୍‌ ଡଗ୍‌ । ଆର୍ଜେଣ୍ଟିନାରୁ ତାର ଭିଣେଇ ଆଣିଥିଲେ, ଯାହା ଅବିନାଶ ପାଇଥିଲା ସ୍ନେହ ଉପହାର । ସେ ମାଥୁର୍‌ଙ୍କୁ ଚିହ୍ନିଚି । ତେଣୁ ତାକୁ କଷ୍ଟକରି ଗୃହମାଲିକଙ୍କୁ ଅନ୍ୟର ଉପସ୍ଥିତି ଜଣାଇବାକୁ ପଡ଼ିଲାନାହିଁ ।

 

ହ୍ୟାଲୋ ସାର୍‌ ! ୱେଲ୍ କମ୍‌-ୱେଲ୍‌କମ୍‌—

 

ପାହାଚ ତଳକୁ ସେ ହାତ ମିଳାଇବା ପାଇଁ ଓହ୍ଲାଇ ଆସିଲା ।

 

ହାତ ମିଳାଇଲେ ମେଜର୍‍ ସାହେବ ।

 

‘‘ବସନ୍ତୁ ସାର୍‌ ।’’

 

ବସିଲେ ମେଜର୍‍ ସାହେବ ?

 

ଟିକକ ପରେ ଆସିଲା କଫି । ପାନ କଲେ ଦୁଇଜଣଯାକ ।

 

କୁଆଡ଼େ ଆସିଲେ ସାର୍‌ । ଫୋନ୍‌ କରିଥିଲେ ମୁଁ ଯାଇଥାନ୍ତି ।

 

ଆରେ ନା ନା । ମୁଁ ବର୍ତ୍ତମାନ ସୁସ୍ଥ ଥାଉଁ ଥାଉଁ ତମକୁ କଷ୍ଟ ଦେବି କାହିଁକି ? ପ୍ରାୟ ମାଇଲ୍‌ ମାଇଲ୍‌ ଡ୍ରାଇଭିଂ କଲେ ବି ମୁଁ ଆଜିକାଲି କ୍ଳାନ୍ତ ହେବିନାହିଁ ।

 

ତା’ପରେ କିଛି ସମୟ ନୀରବତା ।

 

ନୀରବତା ଭିତରେ ଯେମିତି ଗୋଟିଏ ପ୍ରାଣ ଭାରି ଛଟପଟ ।

 

ଅନ୍ୟ ଗୋଟିଏ ପ୍ରାଣର ଅନ୍ୟକୁ ଜାଣିବାପାଇଁ ଉତ୍କଣ୍ଠା ।

 

କହନ୍ତୁ ସାର୍ ?

 

କଣ କହିବେ ମେଜର୍‍ ସାହେବ ? ଯେଉଁଥିପାଇଁ ଆସିଛନ୍ତି, ସେ କହିପାରିବେ ତ ଡାକ୍ତର ଅବିନାଶକୁ । ନିଜ ଭିତରର ପିଞ୍ଜରାରେ ଛଟପଟ ହେଉଥିବା ଗୋଟିଏ ନିଷ୍ଫଳ ପୁରୁଷତ୍ୱ, ଯାହା ଅନ୍ଧାର ଭିତରେ ସୂର୍ଯ୍ୟ ସନ୍ଧାନ କରୁଛି କହିପାରିବେ ତାରି କଥା । ଦେଖେଇ ପାରିବେ ତ ବାହାରେ ଯେଉଁ ସିଂହଟା ପଞ୍ଝାମାରି ଗର୍ଜନ କରେ ସେ ଏକ ନିରୀହ ଶାନ୍ତ ମେଣ୍ଢାଛୁଆଟିଏ ? ସେ ଗର୍ଜନଶୀଳ ଚାଳିଶା (Roaring Fourty) ନୁହଁନ୍ତି ନଦୀ କୂଳର ଧୀର ସୁଲୁ ସୁଲୁ ପବନ ।

 

କିନ୍ତୁ ଏ ଅସହାୟତାକୁ ନିଜ ଭିତରେ କେତେଦିନ ବଞ୍ଚାଇ ରଖିବେ ମେଜର୍‍ ସାହେବ ?

 

ତାଙ୍କୁ କହିବାକୁ ହେବ । ହି ଇଜ୍‌ ବାଉଣ୍ଡ ଟୁ.......

 

ଅବିନାଶ ଡାକ୍ତର । ସେ ରୋଗ ଚିହ୍ନି ଔଷଧ ଦିଏ, ଜର ମାପିବାକୁ ତାର ଥର୍ମୋମିଟର ଅଛି । ହେଲେ ଅସହାୟତା ମାପିବାକୁ ତାର ଥର୍ମୋମିଟର ନାହିଁ । ରୋଗର ଜୀବାଣୁ ଦେଖିବାକୁ ତାର ଅଛି ମାଇକ୍ରୋସ୍‌କୋପ୍‌ । ହେଲେ ଅଶାନ୍ତିର ଜୀବାଣକୁ ଦେଖିବାକୁ ତାର ମାଇକ୍ରୋସକୋପ୍ ତିଆରି ହୋଇନି ।

 

ତାଙ୍କର ଏ ଅସହାୟତା ଯଦି ଅବିନାଶକୁ କହିଲେ ନ କମିଯାଏ ? ଯଦି ସେ ରୋଗମୁକ୍ତ ନ ହୁଅନ୍ତି, ତାହାହେଲେ ? ଫଳ ହେବ ଏଇଆ, ଉପରେ ଯେଉଁ ସିଂହର ଛାଲଟା ସେ ପିନ୍ଧିଛନ୍ତି, ସେଟା ସାଙ୍ଗେ ସାଙ୍ଗେ ଖସିପଡ଼ିବ । ଆଉ ସମାଜରେ ସେ ସେହି ମେଣ୍ଢାଟିଏ ହେଇ ରହିଯିବେ । ତେଣୁ ଗୋପନରେ ଯଦି ନିଜକୁ ଲୁଚେଇ ସେ ସୁସ୍ଥ ହୋଇପାରନ୍ତି ?

 

କଥାବାର୍ତ୍ତା ପ୍ରସଙ୍ଗରେ ସେ ଅବିନାଶଠାରୁ ନିଜ କଥାକୁ ଲୁଚେଇଦେଲେ । ଜାଣିନେଲେ କେତୋଟି ପାୱାର୍‌ଫୁଲ୍ ଟାବଲେଟ୍‌ର ନାମ । ସେ ପ୍ରତିଦିନ ଅନ୍ତତଃ ଟାବଲେଟ୍‌ ଖାଇବେ ।

 

କାରରେ ଫେରିଲେ ମେଜର୍‍ ମାଥୁର୍‌ । ଏକ ସଫଳ ଅଭିନେତା ଭଳି ସେ ନିଜକୁ କଥା ପ୍ରସଙ୍ଗରେ ଛପେଇ ରଖି ମେଡ଼ିସିନ ଖାଇବେ ।

 

ପ୍ରଥମେ ସେ ଯାଇ ଘରେଥିବା ଆୟୁର୍ବେଦିକ୍ ଓ ହୋମିଓପାଥିକ୍‌ ଔଷଧ ନଷ୍ଟ କରିଦେବେ । ବହୁ କଷ୍ଟରେ ସେ ସବୁ ଦୁଇବର୍ଷ ହେଲା ଖାଇ ଫଳପ୍ରାପ୍ତ ହୋଇପାରି ନାହାନ୍ତି ।

 

ଆଗରେ ପଡ଼ିଲା ‘‘ବାର୍‌ ପାରାଡ଼ାଇଜ୍‌’’ ପ୍ରଚୁର ଆଲୋକ ଓ ପ୍ରଚୁର ହାସ୍ୟରୋଳ । ଲୋକଙ୍କ ଗହଳି ଏବଂ ଅସଂଖ୍ୟ କାର୍‌ ଓ ସ୍କୁଟର୍‌ର ପାର୍କିଂ ।

 

ସେ ବି ସେଠି ପାର୍କିଂ କଲେ । ଗୋଟାଏ କୋଲ୍‌ଡ୍‍ ଡ୍ରିଙ୍କ୍‌ ପିଇଦେଇ ସେ ଫେରିଆସିଲେ ସଙ୍ଗେ ସଙ୍ଗେ ।

 

ବାଟରେ ‘‘ମହାରାଜା ମେଡ଼ିସିନ୍‌ ହଲ୍‌’’ ।

 

କାର୍‌ରୁ ଓହ୍ଲାଇ ମେଜର୍‍ ମାଥୁର ପଶିଗଲେ ଭିତରକୁ ।

 

ହିରୋଇନ୍‍ ଇଞ୍ଜେକ୍‌ସନ ରଖିଚ ?

 

ଦୋକାନୀଟା କଣେଇ ଚାହିଁ କ’ଣ ଖୋଜିବାକୁ ଚେଷ୍ଟା କରୁଥିଲା ମାଥୁରଙ୍କଠାରୁ । ମାଥୁର ହସିଦେଲେ ଲୋକଟିକୁ ଚାହିଁ । ସେ ଅପ୍ରତିଭ ହୋଇପଡ଼ିଲା ।

 

ରଖିଚ ନା ନାହିଁ ?

 

ଅଛି ।

 

ଚାରିଟା ହିରୋଇନ୍‌ ଇଞ୍ଜେକ୍‌ସନ୍‌ ନେଇ ମେଜର୍‍ ମାଥୁର ଫେରିଆସିଲେ ଘରକୁ । ଘର ଭିତରେ ପଶି ନିଜ ଡାହାଣ ହାତରେ ଗୋଟିଏ ଇଞ୍ଜେକସନ୍‌ ନେଇଗଲେ । ଦେହରେ କିଛି ସମୟ ପାଇଁ ଆସିଥିବା ଆଳସ୍ୟକୁ ସେ ଦୂରେଇ ଦେବାକୁ ଚାହୁଁଥିଲେ । ତା’ପରେ ସେ ବେଡ୍‍ରେ ଆଉଜି ବସିଲେ କିଛି ସମୟ । ଏଥର ତାଙ୍କ ଆଖି ଭିତରେ ଅନ୍ଧାର ଘୋଟିଯିବ ଓ ସେ ରାତିରେ ତୁଳାପରି ହାଲୁକା ହେଇଯିବେ ।

 

ଜୀବନରେ ତାଙ୍କର ବହୁ ଅପ୍ରତ୍ୟାଶିତ ଘଟଣା ଭିତରୁ ସେଦିନ ରାତିରେ ସେଇ ଘଟଣାଟା ଘଟିଥିଲା ।

 

ଶ୍ୟାମଳୀ ହେଇ ସେଇ ସରୁଆ ଝିଅଟି ଉପରେ ସେମାନେ ଆକ୍ରମଣ କରିଥିଲେ । ସେମାନେ ସଂଖ୍ୟାରେ ଥିଲେ ଚାରିଜଣ । ସମସ୍ତେ ଥିଲେ ବଳୁଆ ଷଣ୍ଢା ଷଣ୍ଢା ପୁରୁଷ । ସେମାନେ ରାତ୍ରିର ନିବିଡ଼ତା ଭିତରେ ଝିଅଟିର ପିଛା ହସ୍ପିଟାଲଠାରୁ ଧରିଥିଲେ । ଝିଅଟିର ସାଥିରେ କେହି ରହୁନଥିଲେ । ମେଜର୍‍ ସାହେବ ସଦରର ଯେଉଁ ଗଳିରେ ରହୁଥିଲେ, ତାଙ୍କ ଫ୍ଲାଟ୍‌ ପାଖରୁ ପ୍ରାୟ ଦଶଟି କ୍ୱାର୍ଟର ଛାଡ଼ି ଝିଅଟି ରହୁଥିଲା । ସରୁ ଗୋଲ ମୁହଁ, କୁଞ୍ଚୁ କୁଞ୍ଚୁ କେଶ ଓ ସୁନ୍ଦର ନିଦୁଆ ନିଦୁଆ ଆଖି ଓ ନିଖୁଣ ଦେହଟି ତାର ଭାରି ସୁନ୍ଦର । ମେଜର୍‍ ସାହେବ ପରିଚୟ ନଥିଲେ ବି ତାକୁ ଅନେକ ଥର ଦେଖିଛନ୍ତି । ଝିଅଟି ବିଷୟରେ ସେ କିଛି କେବେ ଜାଣି ନାହାନ୍ତି । ଜାଣିବାକୁ ଚେଷ୍ଟା କରି ନାହାନ୍ତି । ତା ଛଡ଼ା ଝିଅଟି ଥିଲା ଗୋଟିଏ ଷ୍ଟାଫ୍‌ ନର୍ସ ।

 

ଝିଅଟି ସବୁଦିନ ତାର କ୍ୱାର୍ଟାରକୁ ଫେରିଆସେ ରାତି ନଅଟା ବା ଦଶଟା ଭିତରେ । ଦିନେ ଦିନେ ତାର ରାତି ଡିଉଟି ପଡ଼ିଗଲେ ସେ ଡାକ୍ତରଖାନାରେ ରହିଯାଇଥାଏ । ବେଶି ଡେରି ହେଲେ ସେ ବେଳେ ବେଳେ ସାଙ୍ଗରେ ଗୋଟିଏ ପିଅନ ବି ନେଇ ଆସିଥିବାର ଗଳିର ଅନ୍ୟାନ୍ୟ ଲୋକ ଦେଖିଛନ୍ତି ।

 

ସେଦିନ ଥିଲା ଅମାବାସ୍ୟା । ଆକାଶର ଗର୍ଭ ଭିତରେ ତାରମାନେ ହଜିଯାଇଥିଲେ । ଠାଏ ଠାଏ ଆକାଶରେ ମେଞ୍ଚାଏ ମେଞ୍ଚାଏ କଳା ବେଶି ଦେଖାଯାଉଥିଲା ଓ ଠାଏ ଠାଏ ଗୋଟାଏ ଗୋଟାଏ କଳା ନଈ ବହିଯାଇଥିଲା । ବର୍ଷା କିଛି ସମୟ ଝୁପୁଝୁପୁ ହୋଇ ଛାଡ଼ିଯାଇଥିଲା ଓ ପବନ ଅଳ୍ପ ଅଳ୍ପ ବହୁଥିଲା ।

 

ନିଜ ଡିଉଟି ସାରି ସାଙ୍ଗରେ ଗୋଟିଏ ରିକ୍‌ସାରେ ଝିଅଟି ଚାଲିଆସିଥିଲା । ଡାକ୍ତରାଖାନା ପିଅନ ରାମହରି ସେଦିନ ତା ଝିଅ ବାହାଘର କରିବାପାଇଁ ଗାଁକୁ ଛୁଟି ନେଇ ଚାଲିଯାଇଥିଲା । ଝିଅଟି ରହିବାପାଇଁ ସେଠି ମନସ୍ଥ କରିଥିଲେ ସୁଦ୍ଧା ପୁଣି କ’ଣ ଭାବି ସେ ଫେରିଆସୁଥିଲା ।

 

ରିକ୍‌ସା ଉପରୁ ଅନ୍ଧାର ଭିତରେ ଚାରିଛଅଟା ବଳିଷ୍ଠ ହାତ ତାକୁ ଟେକି ନେଇଥିଲା । ସେ ଚିତ୍କାର କରିଥିଲା ଓ ତିନି ଚାରିଟା ହାତକୁ ଦାନ୍ତରେ କାମୁଡ଼ି ଦେଇ ଥିଲା । କିଛି ସମୟ ପାଇଁ ଚାରିଟା ହାତ ତା ଦେହରୁ ଅଲଗା ହୋଇଯାଇଥିଲା ଓ ସେଇ ସୁଯୋଗରେ ସେ ପ୍ରାଣମୂର୍ଚ୍ଛା । ଦଉଡ଼ିବାକୁ ଲାଗିଥିଲା । ଚାରିଟା ଯାକ ବଳିଷ୍ଠ ପୁରୁଷ ତାର ପଛେ ପଛେ ଦଉଡ଼ୁଥିଲେ । ଖୁବ୍‌ ଅଳ୍ପ ସମୟରେ ଝିଅଟି ଗଳିରେ ପହଞ୍ଚିଯାଇ ଥିଲେ ମଧ୍ୟ ହଠାତ୍ ସେ କାହାଘର ଭିତରେ ପଶିପାରି ନ ଥିଲା । କାରଣ ସେତେବେଳକୁ ସମସ୍ତଙ୍କର ରୁମ୍‌ ବନ୍ଦ ହୋଇଯାଇଥିଲା ।

 

ମେଜର୍‍ ସାହେବଙ୍କର ଘର ପାଖରେ ଝିଅଟି ଗୋଟିଏ ପଥରକୁ ଆଉଜି ବସିଯାଇଥିଲା-। ସେ କ୍ଳାନ୍ତ ହୋଇପଡ଼ିଥିଲା ଯଦିଓ ନିଃଶ୍ୱାସ ପ୍ରଶ୍ୱାସ କିଛି ସମୟ ପାଇଁ ବନ୍ଦ କରିଦେବାକୁ ଚେଷ୍ଟା କରୁଥିଲା । କାରଣ ପ୍ରଶ୍ୱାସର ସ୍ୱର ସେମାନେ ବାରିପାରିବାର ସମ୍ଭବ ଥିଲା । ମୁହଁକୁ ମୁହଁ ଦିଶୁ ନଥିଲା ସେଇ ଅନ୍ଧାରରେ । ତେଣୁ ଚାରିଜଣଯାକ ଝିଅଟିର କିଛି ବାଟ ଆଗକୁ ଚାଲିଯାଇଥିଲେ-

 

ମେଜର୍‍ ମାଥୁର୍‌ଙ୍କର ଘର କବାଟ ଅଳ୍ପ ମେଲାଥିଲା । ଆଲୋକ ଗୋଟିଏ ସରୁ ଧାର ପରି ଆସି ବାହାରେ ପଡ଼ୁଥିଲା । ଝିଅଟି ଆଲୋକଟିକୁ ଦେଖି ଭରସା ପାଇଗଲା । ପଥରକୁ ଆଉଜିବା ସମୟରେ ସେ ତାର ଧଳା ଶାଢ଼ୀକୁ ଓହ୍ଲାଇ ପକାଇଲା । ଅନ୍ଧାରରେ ଧଳା ଶାଢ଼ୀ ସେ ସମୟରେ ତାର ଶତ୍ରୁ ହୋଇଯିବାର ବେଶି ସମ୍ଭାବନା ଥିଲା । ସେ କେବଳ ନୀଳ ରଙ୍ଗର ବ୍ଲାଉଜ୍ ଓ କଳା ରଙ୍ଗର ସାୟା ପିନ୍ଧିଥିଲା ।

 

ହଠାତ୍‌ ସେ ଯେତେବେଳେ ପଥର ପାଖରୁ ଉଠି ଠିଆହେଲେ ଚାରିଜଣଙ୍କ ମଧ୍ୟରୁ ଜଣେ ତାକୁ ଦେଖିପାରିଥିଲା । ସଙ୍ଗେ ସଙ୍ଗେ ସେମାନେ ତା ପାଖକୁ ଦଉଡ଼ି ଆସିଥିଲେ । ମେଜର୍‍ ମାଥୁର୍‌ଙ୍କ ଘର ଅଳ୍ପ ବାଟ ଥିଲା । ତେଣୁ ସେ ସଙ୍ଗେ ସଙ୍ଗେ ପଶିଯାଇ ଧଡ଼୍‌ କରି କବାଟଟି ଦେଇଦେଲା ଓ ସଙ୍ଗେ ସଙ୍ଗେ ଲାଇନ୍‌ ଅପ୍‌ କରିଦେଲା । ଅନ୍ଧାର ଭିତରେ ସେ ତାର ଲୁଗାଟି ପିନ୍ଧି ପକେଇଲା ଓ ଲାଇନ୍‌ ପୁଣି ଅନ୍‌ କରିଦେଲା ।

 

ମେଜର୍‍ ମାଥୁର୍‌ ଘୁମେଇ ପଡ଼ିଥିଲେ । ହିରୋଇନ୍‌ର ନିଶା ତାଙ୍କ ପ୍ରତିରକ୍ତ ବିନ୍ଦୁରେ ଭେଦିବାକୁ ଚେଷ୍ଟା କରୁଥିଲା ।

 

ଝିଅଟି ଘରର ଗୋଟିଏ କଣକୁ ଆଉଜି ଠିଆହୋଇଥିଲା ଓ ଭୟରେ ଜଡ଼ସଡ଼ ହେଇଯାଉଥିଲେ ।

 

ମେଜର୍‍ ମାଥୁର୍‌ ତାର ଉପସ୍ଥିତ ଜାଣିପାରି ନାହାନ୍ତି । ସେ ତାଙ୍କୁ ଉଠାଇବ କି ନାହିଁ କିଛି ଚିନ୍ତାକରି ପାରୁନଥିଲା ।

 

ବାହାରେ ଠିକ୍ କବାଟ ପାଖରେ ଚାପାଚାପା କଥାବାର୍ତ୍ତା ଶୁଣାଯାଉଥିଲା ।

 

‘‘ଶାଲା ଚିଡ଼ିୟା ଉଡ଼ିଗଲା ।’’

 

‘‘ମୁଁ ଆଗରୁ କହୁଥିଲି କ୍ଳୋରୋଫର୍ମଭିଜା ରୁମାଲଟାକୁ ମୁହଁରେ ଚାପି ଧରିବା ପାଇଁ ।’’

 

ସେତେବେଳେ ମନେପକେଇ ଦେଲୁ ନାହିଁ ।

 

କିଛି ସମୟ ନୀରବତା ।

Unknown

 

ହାତଟାରୁ ପୁଳାଏ ମାଉଁସ ଉଠାଇ ଦେଇଛି ।

 

ଦେଏଖେ ମୋ ହାତ । ଆସ୍ତେ ହାତ ମାର । ମୋର ବି ପୁଳାଏ ।

 

ଆଉ ଦିନେ ଟୋକୀଟାକୁ ଉଚିତ ଶାସ୍ତିଦେବା ।

 

ବାଘ ନଖରେ ତାର ମୁହଁକୁ ଛିଡ଼େଇ ପକେଇବା, ନହେଲେ ଉଲଗ୍ନ କରି ଗଛରେ ଟାଙ୍ଗିଦେବା । ନହେଲେ ଉଲଗ୍ନ କରି ତାର ଅଥାନରେ ତତଲା ଲୁହା ଛଡ଼ ଭର୍ତ୍ତି କରିଦେବା ।

 

ଈସ୍‌ କି ବୀଭତ୍ସ ଏମାନେ ! ଝିଅଟି ଆଙ୍ଗୁଳିରେ ତାର କାନ ବୁଜି ଧରିଲା । ସେମାନେ କିଛି ସମୟ ପରେ ଚାଲିଯାଇଥିଲେ ।

 

ମେଜର୍‍ ସାହେବ ! ମେଜର୍‍ ସାହେବ ! ଆସ୍ତେ ଆସ୍ତେ ଡାକିଲା ଝିଅଟି ।

 

କିଏ ? ମେଜର୍‍ ସାହେବ ଆଖିଖୋଲିଲେ । ତାଙ୍କ କୋଠରୀ ଭିତରେ ଝିଅଟିଏ ଠିଆହୋଇଛି । ଦେଖିଲେ କବାଟ ବନ୍ଦ ଅଛି । ରାତିରେ କବାଟ ସେ ବନ୍ଦ କରିଥିଲେ କି ନାହିଁ ତାଙ୍କର ମନେପଡ଼ିଲା ନାହିଁ ।

 

ତମକୁ କୋଉଠି ଦେଖିଛି କି ?

 

ହଁ ସାହେବ, ମୁଁ ଅରୁଣା । ଏଇ ଗଳିରେ ମୋର କ୍ୱାର୍ଟର । ବିପଦରେ ପଡ଼ି ଆପଣଙ୍କ ଘରକୁ ଚାଲିଆସିଚି ।

 

କିପରି ପଶି ଆସିଲ ? କବାଟ କଣ ମେଲା ଥିଲା ?

 

ହଁ ସାର୍‌, କବାଟ ଅଳ୍ପ ମେଲା ଥିଲା ।

 

ବିପଦ କଣ ? ବସ ସେଇଠି । କୁହ, ସେଇ ଚେୟାର୍‌ । ତମେ ଏପରି ଥରୁଚ କାହିଁକି ? କଣ ଭୟ ଲାଗୁଚି ? ନା ଭୟ କର ନାହିଁ । ମୋ ପାଖରେ ସମସ୍ତେ ନିର୍ଭୟ ହୁଅନ୍ତୁ ମୁଁ ଚାହେଁ ।

 

ମୁଁ ବଞ୍ଚିଯାଇଛି ସାର୍‌ । ଚାରିଜଣ ଦୁର୍ଦ୍ଧର୍ଷ ମୋର ପିଛା ଧରିଥିଲେ ।

 

ଏଁ ! ମେଜର୍‍ ସାହେବ ଘଟଣାଟା ଜାଣିବା ପାଇଁ ଉତ୍କଣ୍ଠିତ ହୋଇପଡ଼ିଲେ ।

 

ମୁଁ ଏଇ ହସ୍ପିଟାଲରେ ଗୋଟିଏ ଷ୍ଟାଫ୍‌ ନର୍ସ । । ଅଳ୍ପ ଦିନ ବଲାଙ୍ଗୀରରୁ ବଦଳି ହେଇ ଆସିଚି । ଯେଉଁ ଦିନମୋର ଦିନ ଡିଉଟି ଥାଏ, ସେଦିନ ଫେରୁ ଫେରୁରାତି ଦଶଟା ବାଜିଯାଏ ।

 

ଏତେ ରାତି ହୁଏ କାହିଁକି ? ମେଜର୍‍ ସାହେବ ପଚାରିଲେ । ଏ ପ୍ରଶ୍ନରେ ଟିକେ ଅପ୍ରତିଭ ହେଲା ଅରୁଣା । ତାପରେ ସ୍ୱାଭାବିକ ଅବସ୍ଥାକୁ ଫେରିଆସି କହିଲା, ରୋଗୀମାନେ ମତେ ଭାରି ଭଲ ପାଆନ୍ତି ସାର୍‍ । ମୋର ସେବା, ମୋର ହାତକୁ ସବୁବେଳେ ଚାହିଁ ଥଆନ୍ତି । ସବୁ ଓ୍ୟାଡରୁ ମୁହଁ ମାରି ଆସୁ ଆସୁ ଡେରି ହେଇଯାଏ ।

 

ଏ ଜାଗା ଭଲ ନୁହେଁ । ଏଠି ସାବଧାନ ହୋଇ ଚଳିବାକୁ ଚେଷ୍ଟା କର । ଏଥର ଶୀଘ୍ର ଫେରି ଆସିବାକୁ ଚେଷ୍ଟା କର । ହଁ ତା ପରେ ?

 

ଆଜି ବର୍ଷା ହୋଇଥିଲା । ଭାବିଥିଲି ରହିଯିବ ବୋଲି । ମାତ୍ର କାଲି କେତେକ କାମ ସାରିବାକୁ ହେବ ବୋଲି ଆଜି ରାତିରେ ଫେରିବାକୁ ବାଧ୍ୟ ହେଲି । ତେଣୁ ରାତିରେ ଗୋଟିଏ ରିକ୍‌ସା ଯୋଗାଡ଼ କରି ମୁଁ ଆସୁଥିଲି । ବାଟରେ ହଠାତ୍‌ ମୋତେ.....ଲୁଗା ମୁହଁରେ ଦେଇ ଅରୁଣା କାନ୍ଦିଉଠିଲା ।

 

ଛିଃ, ପିଲାଙ୍କ ପରି କାନ୍ଦୁଛ ?

 

ମେଜର୍‍ ମାଥୁର୍‍ ଉଠିଯାଇ ଅରୁଣାର ଆଖିରୁ ଲୁହ ପୋଛିଦେଲେ ।

 

କିଛି ସମୟ ପରେ ସେ ଆସ୍ତେ ଆସ୍ତେ ପୁଣି କହିଲା, ମୋତେ ସେମାନେ ନେଇ ଯାଉଥିଲା ବେଳେ ମୁଁ ସେମାନଙ୍କ ହାତ ଗୁଡ଼ାକୁ ପୁଳା ପୁଳା କରି କାମୁଡ଼ି ପକାଇଥିଲି । ଯେଉଁ ଦୁଇ ମିନିଟ୍‌ ପାଇଁ ମୁଁ ମୁକ୍ତ ହୋଇଥିଲି ସେଇ ସମୟରେ ମୁଁ ଦୌଡ଼ିବାକୁ ଲାଗିଥିଲି । ତାପରେ ସେମାନେ ମୋତେ ଛାଡ଼ି କିଛି ପାହୁଣ୍ଡ ଆଗେଇ ଯିବା ପରେ ମୁଁ ଆପଣଙ୍କ କବାଟ ଫାଙ୍କରୁ ଆଲୁଅ ଦେଖିପାରିଲି ଓ ମେଲାଥିବାର ଜାଣି ପଶି ଆସିଥିଲି ।

 

ବହୁ ଜୋରରେ ଦଉଡ଼ିଚ ତ ? ତମ ବାଁ ପଟ କାନରେ ପଟିଏ ରିଙ୍ଗ୍ ନାହିଁ ।

 

ଅରୁଣା ବାଁ ହାତ କାନରେ ମାରିଲା । ତା ମୁହଁରେ ହତାଶାର ବିନ୍ଦୁ ବିନ୍ଦୁ ସ୍ୱେଦ ।

 

ସେଥିପାଇଁ ଦୁଃଖ କର ନାହିଁ । ରିଙ୍ଗ୍‌ ହରାଇଲେ ବି ତୁମେ ତୁମର ସତୀତ୍ୱ ରଖିପାରିଚି-। ଈଶ୍ୱରଙ୍କୁ ଧନ୍ୟବାଦ ।

 

କିଛି ସମୟ ପରେ ମେଜର୍‍ ମାଥୁର୍‌ କହିଲେ ତୁମେ ବହୁତ କ୍ଳାନ୍ତ ହୋଇପଡ଼ିଚ ଅରୁଣା, ମୁଁ କଫି କରିଦେବି, ପିଇବ ?

 

ଠିକ୍ ଅଛି । ମୁଁ କରିଦେବି । ଷ୍ଟୋଭ୍‍ କଉଁଠି ଅଛି ? ତା ମୁହଁରେ ହସ ଦେଖାଗଲା ।

 

ସେ କଫି ବସାଇ କଣ ଚିନ୍ତା କରୁଥିଲା ଓ ବେଳେ ବେଳେ ତା ଆଖି ଓଦା ହେଇଆସୁଥିଲା । ମେଜର୍‍ ମାଥୁର୍‍ ଲକ୍ଷ୍ୟ କରୁଥିଲେ ତା ମୁହଁକୁ । ଫୁଟନ୍ତା ପଦ୍ମଫୁଲ ପରି ତାର ମୁହଁଟି ଭୟ, ଲଜ୍ଜା ଓ ଅବସାଦରେ ଝାଉଁଳି ପଡ଼ିଚି ।

 

ଅରୁଣା କଫି ଆଣିଦେଲା । କଫି ପିଉ ପିଉ ପଚାରିଲେ ମେଜର୍‍ ମାଥୁର, ସେମାନେ କୁଆଡ଼େ ଗଲେ ?

 

ସେମାନେ ସଙ୍ଗେ ସଙ୍ଗେ ଫେରିଯାଇଛନ୍ତି । ମୁହଁ ତଳକୁ କରି ସେ ଆସ୍ତେ ଆସ୍ତେ ଉତ୍ତର ଦେଲା ।

 

ଠିକ୍‌ ଅଛି । ବର୍ତ୍ତମାନ ରାତି ଦୁଇଟା, ତୁମ ଘରେ ଚାଲ ମୁଁ ତୁମକୁ ଛାଡ଼ି ଦେଇ ଆସିବି, କିଛି ଆପତ୍ତି ଅଛିକି ?

 

ହଠାତ୍‌ ଯେମିତି ତା ମୁହଁରେ କଳା ବଉଦର ଡେଣା ବେଢ଼େଇ ହେଇଗଲା ।

 

ସେ କାନ୍ଦିଉଠିଲା କଇଁ କଇଁ ହୋଇ ।

 

ଆଶ୍ଚର୍ଯ୍ୟ, କାନ୍ଦୁଛ କାହିଁକି ? ମୁଁ ତୁମକୁ ମୋଟେ ବୁଝିପାରୁ ନାହିଁ ।

 

ମୋର କେହି ନାହାନ୍ତି ସାହେବ । ମୁଁ ଭାରି ଅସହାୟ । ସେଠି ମୁଁ ଏକା ରହି ପାରିବିନି-। ସେମାନେ ମୋତେ ଜୀବନରେ ମାରିଦେବେ । ଧମକ ଦେଇଥିବା ମୁଁ ଶୁଣିଚି ।

 

ତୁମେ ସେଠାରେ ରୁହ । ମୁଁ ପୋଲିସର ବ୍ୟବସ୍ଥା କରିବି । ଯେପରି ତୁମ ଉପରେ କିଛି ବିପଦ ନ ଆସେ ।

 

ନା ସାହେବ ମୋତେ ଆପଣ ବଞ୍ଚାନ୍ତୁ । ପୋଲିସ୍‌ ଉପରେ ମୋର ବିଶ୍ୱାସ ନାହିଁ । ମୋତେ ସେମାନେ ନିଶ୍ଚୟ ଜୀବନରେ ମାରିଦେବେ ।

 

ବହୁତ ବୁଝେଇଲେ ମେଜର୍‍ ସାହେବ । ଅରୁଣା ବୁଝିଲା ନାହିଁ । ମେଜର୍‍ ସାହେବଙ୍କ ପ୍ରତି ପ୍ରଶ୍ନର ଉତ୍ତର ତା’ରି ଆଖି ଦେଉଥିଲା, ଲୁହରେ ।

 

ଶେଷରେ ତୁମେ କଣ ଚାହଁ, ପରିଷ୍କାର ଭାବେ କୁହ ?

 

ମୋତେ ଆପଣ ଆଶ୍ରୟ ଦିଅନ୍ତୁ । ଏଠାରୁ ବାହାର କରି ଦେଲେ ସୁଇସାଇଡ଼୍‌ ଛଡ଼ା ମୋର ଅନ୍ୟ ଉପାୟ ନାହିଁ ସାର୍‌, ମୋତେ ବଞ୍ଚାନ୍ତୁ ।

 

ତୁମେ ତୁମର ପରିବାର ଓ ଅତୀତ ଜୀବନର କଥା କିଛି କହିବ କି ?

 

କହିବି ସାର୍‌ ?

 

ବେଶ୍‌ ତୁମେ ଏଠି ରହିବାରେ କିଛି ଆପତ୍ତି ନାହିଁ ମୋର, ହେଲେ ଅନ୍ୟମାନେ ମୋ ସହିତ ତୁମକୁ ଦେଖିଲେ କାଳେ....

 

ତୁମ ଉପରେ ମୋ ପାଇଁ ବିପଦ ଆସିବ ସାର୍‌ ସତ ।

 

ମେଜର୍‍ ସାହେବ ହସିଲେ ।

 

ମୋ ପାଇଁ ମୁଁ ଚିନ୍ତିତ ନୁହେଁ ଅରୁଣା । ମୁଁ ଚିନ୍ତିତ ତମ ପାଇଁ । ଆଉ ତମ ମେଜର୍‍ ସାହେବ ଦୁନିଆରେ ଶତ୍ରୁକୁ ଦୟା କରେ । ଭୟ କରେ ନାହିଁ । ତମେ ଏଥର ବିଶ୍ରାମ କର । ମୁଁ ସେପଟ ରୁମକୁ ଯାଉଚି ।

 

ଅରୁଣା ଭାବୁଥିଲା ମେଜର୍‍ ସାହେବ ମଣିଷ ନୁହଁନ୍ତି ଦେବତା ।

 

ମେଜର୍‍ ସାହେବ ଭାବିଥିଲେ କିଛିଦିନ ପରେ ହୁଏତ ଅରୁଣା ଚାଲିଯିବ ଓ ସେ ତାର କିଛି ଗୋଟାଏ ବ୍ୟବସ୍ଥା କରିବ । ତା ଛଡ଼ା ସେ ଚାକିରି କରିଚି । ନିଜେ ସ୍ୱାବଲମ୍ବନଶୀଳ । ତା ପାଇଁ ସେ କିଛି ଚିନ୍ତା କରିବା ଦରକାର ନାହିଁ । ମାତ୍ର ଅରୁଣା ଗଲାନାହିଁ । ଗୋଟାଏ ଅଚ୍ଛେଦ ବନ୍ଧନ ତା ଗୋଡ଼ରେ ବେଡ଼ି ପକେଇ ଥିଲା ଯେମିତି । ଅରୁଣା ରହିବା ଦିନ ଠାରୁ ମେଜର୍‍ ସାହେବଙ୍କୁ ବହୁ ସୁବିଧା ହେଲା । ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ଅରୁଣା ତାଙ୍କୁ ସାହାଯ୍ୟ କରୁଥିଲା । ଘରେ ରୋଷେଇ କରିଦେବା, ତାଙ୍କର ପୋଷାକପତ୍ରଇସ୍ତ୍ରୀ କରିବା ଓ ବୁଟ୍‌ ପାଲିସ୍‌ କରିବା, ଆର୍ଟ ସରଞ୍ଜାମ ସଜାଡ଼ି ରଖିବା, ଘରର ଯାବତୀୟ କାମରେ ସାହାଯ୍ୟ କରୁଥିବାରୁ ମେଜର୍‍ ସାହେବ ତାକୁ କିଛି କହିପାରିଲେ ନାହିଁ ।

 

ଅରୁଣା ବି ଆଗଠାରୁ ବହୁ ପ୍ରଫୁଲ୍ଲ ଥିବାର ଦେଖାଯାଉଥିଲା ଓ ମେଜର୍‍ ସାହେବଙ୍କ ପାଖରେ ରହି ସେହି ସମୟକୁ ତା ଜବୀନର ସୁବର୍ଣ୍ଣ ସମୟ ବୋଲି ମନେ କରୁଥିଲା ।

 

ରାତ୍ରିରେ ଫେରିଲା ବେଳେ ନିଜେ ମେଜର୍‍ ସାହେବ ଅରୁଣାକୁ ସଙ୍ଗରେ ନେଇ ଆସୁଥିଲେ । ଅରୁଣା ପ୍ରଳଗ୍‌ଭା ନଦୀ ପରି ଥିଲା ଗତିଶୀଳା ଓ ମୁଖରା । ଜୀବନର ବହୁ କଥା ତଥା ଅନ୍ୟର କଥାକୁ ସେ ବିଶ୍ଳେଷଣ କରୁଥିଲା ଓ ସୁନ୍ଦର ମତାମତ ଶୁଣାଉଥିଲା ମେଜର୍‍ ସାହେବଙ୍କ ଆଗେ । ମେଜର୍‍ ସାହେବ ହସି ଦେଉଥିଲେ ଓ ବେଳେବେଳେ ଗମ୍ଭୀର ହୋଇଯାଉଥିଲେ ।

ବେଳେ ବେଳେ ସେ କାରରେ ଫେରିଲା ବେଳେ ବହୁ ରୋଗୀଙ୍କ କଥା, ଡାକ୍ତରଙ୍କ କଥା ଓ ଷ୍ଟାଫ୍‌ଙ୍କ କଥା ଶୁଣାଉଥିଲା ।

ମେଜର୍‍ ସାହେବ ମନଦେଇ ଶୁଣୁଥିଲେ । ନ ଶୁଣିଲେ ଅରୁଣାର ଗୋଟିଏ ଗୁଣ, ସେ ମନଦୁଃଖ କରେ । କାନ୍ଦେ ! ଅରୁଣା ଭାରି ଅଭିମାନିନୀ । ତେଣୁ ସେ ଅଳ୍ପ କିଛିଦିନ ପରେ ମେଜର୍‍ ସାହେବଙ୍କର ଭାରି ଗେହ୍ଲା ହୋଇଗଲା ।

ଅରୁଣା ଭିତରେ ସଲୀଳାଙ୍କୁ ଆବିଷ୍କାର କରନ୍ତି ମେଜର୍‍ ମାଥୁର୍ । ଅନ୍ଧାରୁଆ ସମୁଦ୍ରରେ ନିଜର ଜୀବନତରୀ ବାହିନେବା ବେଳେ ସେ ଆବିଷ୍କାର କରନ୍ତି ଗୋଟାଏ ନିଛାଟିଆ ଓ ଏକୁଟିଆ ବତୀଘର । ସେ ସଲୀଳା । ବାଟଭୁଲା ନାବିକ ମେଜର୍‍ ମାଥୁର୍‌ଙ୍କ ଆଗରେ ସଲୀଳା ଆଲୋକ ହେଇ ହାତ ଠାରି ଡାକନ୍ତି ।

ସଲୀଳା କେଉଁଠି ? କେଉଁଠି ସତେ ?

ଅରୁଣା ସେଇଠି, ଭଙ୍ଗା ବତୀଘରର ଆଲୋକକୁ ଭାଙ୍ଗି ଦେଇ ନୂଆ ଆଲୋକ ହେଇ ଜଳିଉଠେ । ମନର କେଉଁ କଣରେ ଅରୁଣା ଉଜଳି ଉଠେ ଚକ୍‌ ଚକ୍‌ ହେଇ ।

ଅରୁଣାର ବୟସ ବୋଧହୁଏ ୨୪ ହେବ ।

ଆଉ ତାଙ୍କର ହେବ ଚଉତିରିଶ ।

ଚଉତିରିଶ ବୟସ କେତେ ବୟସର ସଂଖ୍ୟାକୁ ଫାଙ୍କିଦେଇ ଆସିଚି ନା କେତେ ବୟସ ଚଉତିରିଶକୁ ଫାଙ୍କି ଦେଇଚି । ବୋଧହୁଏ ଶେଷଟା ହିଁ ସତ ।

ଅରୁଣା ତାଙ୍କ ମନରେ ଫୁଲଟିଏ ହେଇ ଫୁଟିଲାଣି । ତାକୁ ଦୂରେଇ ଦେବା ସମ୍ଭବ ନୁହେଁ । ଅନ୍ତତଃ ସଲୀଳାର ଭୁଲା ସ୍ମୃତି ଅରୁଣା ମାଧ୍ୟମରେ ଆସି ତାଙ୍କୁ ବଞ୍ଚାଇ ରଖିବ କିଛିଦିନ—ସେ ଅନ୍ତତଃ ସତେଜ ଓ ପ୍ରଫୁଲ ହେବେ ।

ଅରୁଣା ମେଜର୍‍ ସାହେବଙ୍କ ମୁହଁକୁ ଚାହିଁ ଦୁଃଖ ଭୁଲେ । ପୁରୁଣା ଦୁଃଖ ଓ ହତାଶାର ଘା ଉପରେ ବକଳା ବାନ୍ଧିଯାଏ ।

ଅରୁଣା ଦେଖେ ସ୍ୱପ୍ନ ଶୋଇ ଶୋଇ । ମେଜର୍‍ ସାହେବ ତାକୁ କୋଳରେ ଭିଡ଼ି ଧରିଛନ୍ତି ଓ ତା କପାଳରେ ଚୁମ୍ବନ୍ନ ଦେଉଛନ୍ତି । ତାର କୁଞ୍ଚୁ କୁଞ୍ଚୁ କେଶକୁ ପାପୁଲିରେ ସାଉଁଳାଇ ଦେଉଛନ୍ତି । ସ୍ୱପ୍ନ ଭାଙ୍ଗିଯାଏ ହଠାତ୍ ।

ଅରୁଣା ତାଙ୍କୁ ଛାଡ଼ିପାରିବ ନାହିଁ । ସେ ତାର ସର୍ବସ୍ୱ ।

ମେଜର୍‌ ସାହେବ ଭାବୁଥିଲେ ଅରୁଣାକୁ ସେ ଜୀବନ ସାଥି କରିନେବେ, କିନ୍ତୁ ଅରୁଣା ଯଦି ଜାଣେ ସେ ପୁଂସତ୍ୱ ହରାଇଛନ୍ତି ବୋଲି ତା’ହାଲେ ? କିନ୍ତୁ ସେ ଅରୁଣାକୁ ଛାଡ଼ିପାରିବେ ନାହିଁ-। ଅରୁଣାକୁ ଛାଡ଼ିଦେଲେ ସଲୀଳା ଯେ ଚିରଦିନ ତାଙ୍କ ପାଖରୁ ଚାଲିଯିବ । ସଲୀଳା ଫେରି ଆସିଛନ୍ତି ଅରୁଣା ରୂପରେ । ସେ ଅନ୍ତତଃ ଅରୁଣା ଜାଣିବା ପୂର୍ବରୁ ପୁଂସତ୍ୱ ଫେରି ପାଇବାକୁ ଚେଷ୍ଟା କରିବେ ।

 

ଦେହକୁ ସବୁବେଳେ ହିଟ୍‌ ରଖିବା ପାଇଁ ଅରୁଣାଙ୍କ ଅଜଣାରେ ସେ ପିଇଲେ ମଦ, ହ୍ୱିସ୍କି, ରମ୍‌, ଫରେନ୍ ଲିକର୍ । ପୁଣି ପିଇଲେ ପ୍ରଚୁର । ନେଲେ ହିରୋଇନ୍‌ ଇଞ୍ଜେକ୍‌ସନ୍‌ । ଟାବଲେଟ୍‌ ପରେ ଟାବଲେଟ୍‌ ଖାଇ ଚାଲିଲେ ।

 

ଅରୁଣା ଦେଖନ୍ତି ଘୁମନ୍ତି ଚକ୍ଷୁ, କ୍ଳାନ୍ତ ଦେହ ନେଇ ଫେରନ୍ତି ମେଜର୍‍ ସାହେବ । ପ୍ରଚୁର ଦୁଃଖରେ ଯେମିତି ଭାଙ୍ଗିପଡ଼ିଛନ୍ତି ସେ ।

 

ଅରୁଣା ଜାଣନ୍ତି, ସେ ଚାକିରି ପରିତ୍ୟାଗ କରିଛନ୍ତି ଓ ଏକ ପାରିବାରିକ କଳହରୁ ସ୍ତ୍ରୀ ତାଙ୍କୁ ପରିତ୍ୟାଗ କରିଛନ୍ତି । କିନ୍ତୁ ସ୍ତ୍ରୀର ସ୍ଥାନ ସେତ ପୂରଣ କରିବେ, ଦୁଃଖ କ’ଣ ?

 

ମନ ଭିତରର କଥା କେବେ ପ୍ରକାଶ କରି ପାରନ୍ତିନି ଅରୁଣା । ସେ ଦେଖନ୍ତି ସବୁଦିନ କାର୍‌ ପାର୍କିଂ କରି ସେ ଚୁପ୍‌ ଚାପ୍‌ ତାଙ୍କ କୋଠରୀରେ ବିଶ୍ରାମ ନିଅନ୍ତ ।

 

ମେଜର୍‍ ସାହେବଙ୍କୁ କଥା ପ୍ରସଙ୍ଗରେ ଅରୁଣା ଆମନ୍ତ୍ରଣ କରନ୍ତି ନିଜ କୋଠରୀରେ ଶୟନ କରିବା ପାଇଁ । ମାତ୍ର ମେଜର୍‍ ସାହେବ ନିରବ ରହନ୍ତି । କେଉଁଦିନ ଅସ୍ୱସ୍ତି ପ୍ରକାଶ କରନ୍ତି ସେ । ତାପରେ ତାଙ୍କର ଡୋର୍‌ ବନ୍ଦ ହୋଇଯାଏ ।

 

ଅରୁଣାକୁ ଯେମିତି ଭାରି ଶୂନ୍ୟ ଶୂନ୍ୟ ଲଗେ । ବେଳେବେଳେ ତା ମୁହଁକୁ ଚାହିଁ ଉପଦେଶ ଦିଅନ୍ତି ମେଜର୍‍ ସାହେବ—ଦେଖ ଅରୁଣା ତୁମେ ଭାରି ସେଣ୍ଟିମେଣ୍ଟାଲ ରହୁଚ ଯେ । କିନ୍ତୁ ତୁମ ହାତରେ ଅନେକ ରୋଗିଣୀଙ୍କର ଜବୀନ । ଭାବପ୍ରବଣ ହୋଇ ରୋଗୀମାନଙ୍କ ଜୀବନ ଯେମିତି କୌଣସି ଦିନ ନଷ୍ଟ ନକର ।

 

ଅରୁଣାର ଉପଦେଶ ମନେରହେ । କିନ୍ତୁ ରୋଗୀମାନଙ୍କ ସେବା ବେଳେ ତା ମନରେ ଫୁଟିଉଠେ ମେଜର୍‍ ସାହେବଙ୍କର ଛବି ।

 

ଡଃ ରାଓ ବେଳେବେଳେ ଆସି ସତର୍କ କରାଇ ଦିଅନ୍ତି । ସେ ସବୁ କାମରେ ସିନ୍‌ସିୟର ହେବାକୁ ଉପଦେଶ ଦିଅନ୍ତି ।

 

‘‘ଚଉଦ ନମ୍ବର ବେଡ୍‍ ଦେଖିଚ ଅରୁଣା ?

 

ହଁ ସାର୍‌ ।

 

ପନ୍ଦର ନମ୍ବର ବେଡ୍‍ର ରୋଗୀ ଦେହରେ ସାଲାଇନ୍‌ ଠିକ୍‌ କାମ କରୁଚି ତ ?

 

ଠିକ୍‌ ଅଛି ସାର୍‌ ।

 

ଅଶୀ ନମ୍ବର ରୋଗୀଣିଟିର ଦେହରେ ବାରଟାରେ ଗୋଟାଏ ପେନ୍‌ସିଲିନ୍‌ ଇଞ୍ଜେକ୍‌ସନ୍‌ ଦେଇଦେବ ଅରୁଣା ।

 

ଡଃ ରାଓ ଚାଲିଯାଆନ୍ତି ତାଙ୍କର ରୁମ୍‌କୁ । ପୁଣି ମନରେ ଫୁଟିଉଠେ ମେଜର୍‍ ସାହେବଙ୍କ ଛବି । ସେ ଯେମିତି ଆଉ ଲିଭିବାର ନୁହେଁ ।

 

ସେଦିନ ପ୍ରସ୍ତାବ ବାଢ଼ି ବସିଲା ଅରୁଣା ମେଜର୍‍ ସାହେବ ଆଉଁ ସେ କାରରେ କୋଣାର୍କ ଯିବେ । ମେଜର୍‍ ସାହେବ ପ୍ରଥମେ ନାହିଁ କରୁଥିଲେ; ମାତ୍ର ଅରୁଣା ଜିଦରେ ତାଙ୍କର କଥା ରହିଲାନାହିଁ । ସେ ତାକୁ ସଙ୍ଗରେ ନେଇ କୋଣାର୍କ ଯିବେ ।

 

ସୁନ୍ଦର ବାଦାମୀ ରଙ୍ଗର ସୁଟ୍‌ ସାର୍ଟ ପିନ୍ଧିଲେ ମେଜର୍‍ ସାହେବ । ଅରୁଣା ବସିଲା ପାଖ ସିଟରେ ।

 

ରାସ୍ତାର କଡ଼େ କଡ଼େ ଝାଉଁ ଗଛ ।

 

ଆକାଶରେ ଫର୍ଦ୍ଦେ ଫର୍ଦ୍ଦେ ମେଘ ।

 

ଦୂରରୁ ଦିଶୁଥିବା କୋଣାର୍କ ମନ୍ଦିରର ଚୂଡ଼ା ଦେଇ ଉଡ଼ିଯାଉଛନ୍ତି ଦୁଇଟି ପକ୍ଷୀ ଦମ୍ପତ୍ତି ।

 

କାର୍‌ ବ୍ରେକ୍‌ କରି ମନ୍ଦିର ପରିଦର୍ଶନ କଲେ ମେଜର୍‍ ସାହେବ । ନିହାଣ ମୁନରେ ଛୁଞ୍ଚିକାମ କରିଚି ଓଡ଼ିଆ ପୁଅ । ଆଃ କେତେ ସୁନ୍ଦର ।

 

ପଥରରେ ନାରୀ ଓ ପୁରୁଷ, ଯୁଗଳ ବନ୍ଧ ।

 

ରାଜନର୍ତ୍ତକୀ । ରାଜଦମ୍ପତ୍ତି । ବିବାହ । ଯୁଦ୍ଧିର ଚିତ୍ର ।

 

ଅରୁଣା ଚାହିଁ ରହିଥାଏ ନାରୀର ଗଣ୍ଡ ସ୍ଥଳରେ ଗାଢ଼ ଚୁମ୍ବନ ଦେଇଥିବା କାମୋନ୍ମତ୍ତି ପଥର ପୁରୁଷଟିକୁ ।

 

: ଏତେ ସମୟ ଧରି କଣ ଦେଖୁଛ ଅରୁଣା ?

 

ଅରୁଣା ପ୍ରକୃତିସ୍ଥ ହୋଇଯାଏ । ଦୃଷ୍ଟି ଫେରେଇ ନେଇ ଅଳ୍ପ ହସିଦିଏ ସେ । ମେଜର୍‍ ମାଥୁର୍‌ ହସନ୍ତି ପଥରର ଛବିଟିକୁ ଚାହିଁଦେଇ । ବିଦେଶୀ ଦମ୍ପତ୍ତି ଦୁଇଟି ହସି ହସି ସେଇ ଆଡ଼କୁ ଚାହିଁଦେଇ ଚାଲିଯାଆନ୍ତି । କେତେ ଜଣ ବଙ୍ଗାଳୀ ସ୍ତ୍ରୀ ଲୋକ ହାତ ଯୋଡ଼ି ଯୋଡ଼ି କେଉଁ ଅଦୃଷ୍ଟ ଦେବତା ଉଦ୍ଦେଶ୍ୟରେ ବୁଲିଯାଆନ୍ତି ମନ୍ଦିରର ବେଢ଼ା ।

 

ବିଶାଳ ଏଇ ସୂର୍ଯ୍ୟମନ୍ଦିର, ବିରାଟ ତାର ଐତିହ୍ୟ । ମହାନ୍‌ ତାର ସଂସ୍କୃତି ।

 

କେଉଁ ଏକ ଦୂର୍ବଳ ମୁହୂର୍ତ୍ତରେ ଉଦୀୟମାନ୍‌ ସୂର୍ଯ୍ୟ ଅନୁସରଣ କଲେ ସାଗର କନ୍ୟା ଚନ୍ଦ୍ରଭାଗାଙ୍କୁ । ଚନ୍ଦ୍ରଭାଗା ସୂର୍ଯ୍ୟଙ୍କର ପାପ ଲାଳସା ସହ୍ୟ କରିପାରିଲେ ନାହିଁ । ଏଇଠି ଝାସ ଦେଲେ ସାଗରରେ । ଆଉ ତପୀଶ୍ରେଷ୍ଠଙ୍କ ଅଭିଶାପରେ ସୂର୍ଯ୍ୟ ପାଇଲେ ପ୍ରତିଫଳ । ନିମିଷକେ ଭାଙ୍ଗି ପଡ଼ିଲା ଉତ୍ତୁଙ୍ଗ ସୂର୍ଯ୍ୟ ମନ୍ଦିର ।

 

ମେଜର୍‍ ସାହେବ ହସିଦେଲେ । ପ୍ରେମପାଇଁ ଗଢ଼ିଉଠିଛି ତାଜମହଲ ଆଉ ପ୍ରେମ ପାଇଁ ଭାଙ୍ଗି ପଡ଼ିଚି କୋଣାର୍କ ।

 

ସି ସୋର୍‌ ଯିବା ମେଜର୍‍ ସାହେବ ?

 

Why not—ଯିବା ନିଶ୍ଚୟ ଆଉ ବର୍ତ୍ତମାନ ।

 

ସେତେବେଳେ କୋଣାର୍କ ମନ୍ଦିର ଦେଇ ଭସାମେଘ ଭାସିଯାଉଥାଏ । ଆକାଶରେ କବିତା । ସମୁଦ୍ରକୂଳ ।

 

ଚୂନି ଚୂନି ବାଲିର ଗାଲିଚା ପ୍ରସ୍ତ ପ୍ରସ୍ତ ପଡ଼ିଯାଇଚି, ଏକ କୋମଳ ଆସ୍ତରଣ । ସେଇଠି ଗୋଟାକ ପରେ ଗୋଟାଏ ଉତୁଙ୍ଗ ଲହରୀ ଆସି ମଥା ପିଟି ମିଳେଇ ଯାଉଚି; ଆଉ ଫୋପାଡ଼ି ଦେଉଚି ଉପରକୁ ଖାଲି ଫେଣ ଆଉ ଫେଣ । ସମୁଦ୍ରକୁ ଅନେଇଲେ ଆଉ କଣ ଦେଖିବ ? ଖାଲି ଦିଗନ୍ତବିସ୍ତାରୀ ନେଳି କଳା ନେଳି କଳା ଓ ଉତୁଙ୍ଗ ଲହରୀ ।

 

ସମୁଦ୍ର କୂଳରେ କେତେକ ବିଦେଶୀ ନାରୀ ଓ ପୁରୁଷ । ସମସ୍ତେ ଅଧାଲଙ୍ଗଳା ଆଉ ଲଙ୍ଗୁଳୀ । ସେମାନେ ସମୁଦ୍ରର ଢେଉ ସାଙ୍ଗେ ଖେଳୁଛନ୍ତି । ମୁହଁରେ ଫୁଟନ୍ତା ହସର ଢେଉ । ମେଜର୍‍ ସାହେବ ଓ ଅରୁଣା, ସେମାନେ ବି ସମୁଦ୍ର ଉପଭୋଗ କରିବେ । ଅରୁଣା ମୁହଁରେ ରଙ୍ଗଣୀ ଫୁଲର ଛାପା । ସୂର୍ଯ୍ୟଟା ତମ୍ବା ଥାଳିଆ ପାଲଟି ଯାଇଚି ଆଉ, ଖସିପଡ଼ୁଚି ସମୁଦ୍ର ଭିତରକୁ-

 

ଦୂରରେ ଗୋଟାଏ ନୋଳିଆ ପଲ୍ଲୀ ।

 

କିଛି ଦୂରରେ ଶୁଭୁଚି ନୋଳିଆ ଆଉ ନୋଳିଆଣୀମାନଙ୍କ ଅସ୍ପଷ୍ଟ କୋଳାହଳ । ସାନ ସାନ ଟୋପର ଛପର ଘର, ସମୁଦ୍ରର ଲୁଣି ପବନରେ ଧସି ପଡ଼ୁଚି ଆସ୍ତେ ଆସ୍ତେ । ତାରି ଭିତରେ ସାଗର ସନ୍ତାନମାନେ ହସନ୍ତି ଖେଳନ୍ତି, ମନ ଭରି ସମୁଦ୍ର ସଙ୍ଗୀତ ଗାଆନ୍ତି । ଡଙ୍ଗା ନେଇ ମୁଣ୍ଡରେ ପାଗ ଭିଡ଼ି ବାହାରିପଡ଼ନ୍ତି ସମୁଦ୍ର ଭିତରକୁ ।

 

ଗୋଟିଏ ବାଲିକୁଦ ଉପରେ ଅଳ୍ପ କଣ୍ଟାବୁଦା ତାରି ଉପରେ ବସିଛି ଗୋଟିଏ ନୋଳିଆ ଯୁବକ, ତା ପାଖରେ ଆଉ ଗୋଟିଏ ନୋଳିଆ ଝିଅ । ଝିଅଟିର ଦେହରେ ଛାପା ଶାଢ଼ୀ, ଆଣ୍ଠୁ ତଳକୁ ଖୋଲା । ପୁଅଟି ଚାହିଁ ରହିଚି ସମୁଦ୍ରର ଢେଉ ଆଡ଼କୁ । ଝିଅଟି ପୁଅର ଦେହକୁ ଲାଗିବସିଚି-। ବୋଧହୁଏ ସେ ଢଳିପଡ଼ିବ ଅଳ୍ପ ସମୟ ପରେ ପୁଅଟିର କୋଳରେ ।

 

ସମୁଦ୍ର ସନ୍ତାନ ନୂଆ ସୃଷ୍ଟିର ସ୍ୱପ୍ନ ଦେଖୁଚି ।

 

ମେଜର୍‍ ସାହେବ କ୍ୟାମେରା କାଢ଼ିଲେ କାନ୍ଧରୁ । ନୋଳିଆ ଯୁବକ ଆଉ ଯୁବତୀର ଫଟୋଟିଏ ଉଠାଇ ନେଲେ ସେ । ଛିଃ......ଏ କଣ କରୁଚ ସେମାନେ......ଅରୁଣା ମୁହଁରେ ଲାଜ ଆଉ ହସ ଫେଣ୍ଟାଫେଣ୍ଟି ହୋଇ ବୋଳା ।

 

ଅରୁଣା ଶାମୁକା ଗୋଟଉଚି ନାଲି, ଧଳା, ହଳଦିଆ, ଛାପିଛାପିକା, ପ୍ରଜାପତି ପକ୍ଷୀପରି ଜାତି ଜାତିକା ଶାମୁକା, କେତେ ଶାମୁକା !

 

ମେଜର୍‍ ସାହେବ ଆଗେଇ ଗଲେ ନୋଳିଆ ଯୁବକ ଆଉ ଯୁବତୀ ଆଡ଼କୁ ।

 

ସେତିକି ବେଳେ ଯୁବକଟି ଯୁବତୀର ଗଣ୍ଡରେ ଚୁମ୍ବନ ଦେଉଥିଲା । ବାବୁଟାଏ ଦେଖି ଉଠିପଡ଼ିଲେ ସେମାନେ ।

 

ଆରେ ଏଠି ମାଛ ମିଳିବ ? ମାଛ ଏଠି ଶସ୍ତା ?

 

ତୁ ବୁଝିନାଉଁକି ବାବୁ, ମାଛ, ସମୁଦ୍ରର ମାଛ ତ ଶସ୍ତା ।

 

ତୋ ଘର ଏଇଠି ?

 

ହଁ ବାବୁ ।

 

ଏ ଝିଅ କିଏ ?

 

ନୋଳିଆ ଯୁବକ ଲାଜେଇଗଲା । ତା ମୁଣ୍ଡର ଠେକାକୁ କାଢ଼ି ସେ ଅଣ୍ଟାରେ ଗୁଡ଼େଇଲା-

 

ଓଃ ବୁଝିଲି ବୁଝିଲି......ମେଜର୍‍ ସାହେବ ହସିଲେ ।

 

ତୁ ତ ବାବୁ ଅଛୁ, ସବୁ ବୁଝି ନାଉଁ କି ?

 

ତୋ ନାଁ କଣ ?

 

କିଙ୍ଗ୍‌ଲୁ ବାବୁ ?

 

କିଙ୍ଗ୍‌ଲୁ ଆଉ ୟା ନାଁ ?

 

ଲାଡ଼୍‌ଲି ।

 

ଆରେ ବାଃ..... ବାଃ.....ଭଲ ନାଁ...

 

ମେଜର୍‌ ସାହେବ ଝିଅଟିକୁ ଦେଖିଲେ । ସୁନ୍ଦର ସ୍ୱାସ୍ଥ୍ୟବତୀ ନୋଳିଆ ଝିଅ । ଭସା ଭସା ନିଦୁଆ ଆଖି, ଚିକ୍‌କଣ ଗାଲ । ମେଜର୍‍ ସାହେବ କହିଲେ ଆସ୍‌ ତୁ । କିଙ୍ଗ୍‌ଲୁ ତାଙ୍କ ପଛେ ପଛେ ଆସିଲା । ପଚାରିଲେ ଆବେ ପିଇବୁ ତୁ ? ନୋଳିଆ ଯୁବକ ମୁହଁରେ ହସ ଦେଖାଗଲା, ‘‘ଦେନା ବାବୁ ଗୋଟାଏ ତୋର ଧରମ୍ ହେବ ।’’

 

ମେଜର୍‍ ସାହେବ ବ୍ୟାଗ୍‌ରୁ ଗୋଟାଏ ବୋତଲ କାଢ଼ି ତାକୁ ଦେଲେ । ତାଙ୍କ ପାଖେ, ଠିକ୍‌ ତାଙ୍କ ପଛପଟେ ଠିଆହୋଇଚି ଲାଡ଼୍‌ଲି ।

 

ମତେ ଗୋଟାଏ ଶିଶି ଦେ ବାବୁ ?

 

ତୁ ବି ପିଇବୁ ଲାଡ଼୍‌ଲି ? ଆଚ୍ଛା ଆଚ୍ଛା ନେ, ନାଚିବୁ ? ନାଚ୍‌ ଟିକିଏ, ଦେଖିବା ।

 

ଲାଡ଼୍‌ଲି ପିଉଚି, କିଙ୍ଗ୍‌ଲୁ ବି ପିଇଚି । ମୁହଁରେ ତାଙ୍କର ଫଗୁଣ, ଆଉ ବର୍ଷା । ମେଜର୍‍ ସାହେବ ଫଗୁଣ ଆଉ ବର୍ଷାର ଫଟୋ ଉଠାଇ ନେଲେ ।

 

ତୁ ବଡ଼ ଭଲ ବାବୁ, ସବୁଦିନ ଆଇବୁ ତୁ ? ମତେ ବୋତଲ ଦେବୁ ।

 

ଦେବି, ସବୁ ଦେବି ଲାଡ଼୍‌ଲି, ହେଲେ ତୁ ମତେ କଣ ଦେବୁ ?

 

ମାଗ୍‌ ବାବୁ, ମାଗ୍ । ଝୋଲା ଝୋଲା ହସ ଲାଡ଼୍‌ଲିର ମୁହଁରେ ।

 

କିଙ୍ଗ୍‌ଲୁ ମଦ ନିଶାରେ ବାଲିରେ ଢଳିପଡ଼ୁଚି, ଆଉ ସେଇଠି ବସିପଡ଼ୁଚି ଲାଡ଼୍‌ଲି ।

 

ମେଜର୍‍ ସାହେବ ଲାଡ଼ଲିକୁ ଧରିନେଲେ । ତା’ପରେ ହସିଲେ, କହିଲେ ତୁ ବଡ଼ ଭଲ ଲାଡ଼୍‌ଲି ?

 

—ମତେ ରାଣୀ କରିବୁ ବାବୁ । ମୁଁ ତୋର ରାଣୀ ହେବି ।

 

—ହଉ ମୋର ରାଣୀ ହେବୁ ତୁ ? କିଙ୍ଗ୍‌ଲୁ ତୋର କଣ କରିବ ?

 

ଲାଡ଼୍‌ଲି ମୁହଁରେ ହସ । ସେ ମୋତେ କିଛି ଦିଏନି ବାବୁ । ଖାଲି ବିହା ହେବ୍‌ ବୋଲି ବୋଲୁଚି । ବିହା ହେଉନି ।

 

ମେଜର୍‍ ସାହେବ ଲାଡ଼୍‌ଲି ଗଣ୍ଡଦେଶରେ ଚୁମ୍ବନ ଦେଲେ । ଲାଡ଼୍‍ଲି ତାଙ୍କ କୋଳରେ ସମ୍ପୂର୍ଣ୍ଣ ଢଳିପଡ଼ିଥିଲା । ଠିକ୍‌ ସେତିକିବେଳେ ବୋଝେ ଶାମୁକା କାନିରେ ଗୋଟେଇ ଧରି ଅରୁଣା ବାଲି କୁଦି କୁଦି ଆସି ପହଞ୍ଚି ଯାଇଥିଲା ସେଇଠି । ମେଜର୍‍ ସାହେବଙ୍କୁ ଏ ଅବସ୍ଥାରେ ଦେଖି ସେ ଚମକିପଡ଼ି ପାଟିକଲା ‘‘ମେଜର୍‍ ସାହେବ ! ତା ମୁହଁରୁ ଶବ୍ଦଟା ବୁଲେଟ୍‌ ପରି ଛଟକି ପଡ଼ିଲା । ଅତି ଆଦରରେ ଗୋଟେଇ ଥିବା ଶାମୁକାଗୁଡ଼ିକ ଅରୁଣାର ପଣତ କାନିରୁ ବାଲିରେ ଝଣ୍‌ ଝଣ୍ ଶବ୍ଦକରି ବିଛେଇ ହୋଇପଡ଼ିଲା ।

 

କୋଣାର୍କରୁ ଫେରିବା ପରେ ଅରୁଣା ଭାରି ଶୁଷ୍କ ଦେଖାଗଲା ଓ କ୍ରମେ କ୍ରମେ ତାର ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିଲା । କୌଣସି କଥାରେ ସେ ବେଶୀ ଉତ୍ତର ଦେଉ ନ ଥିଲା ଓ ମେଜର୍‍ ସାହେବ ତାକୁ କିଛି ହସକଥା କହି ହସେଇବାର ଚେଷ୍ଟାକଲେ ସେ ସଦା ସ୍ମିତ ହସଟିଏ ଉପହାର ହେଉଥିଲା-

 

ଅରୁଣା ସେଦିନ ଚା ନେଇ ଆସିବା ପରେ ମେଜର୍‍ ମାଥୁର୍‌ କହିଲେ, ସଲୀଳା ତୁମେ ମୋ ଉପରେ ଅଭିମାନ କରିଚ ?

 

ସଲୀଳା ? ସଲୀଳା କିଏ ? ଅରୁଣା ନୀରବ, ଖାଲି....... ।

 

ଆଶ୍ଚର୍ଯ୍ୟ ହେଉଚ ଅରୁଣା ! ସଲୀଳା ମୋର ପ୍ରଥମ ସ୍ତ୍ରୀ, ଆଉ ସେ ମୋତେ ଛାଡ଼ି ଚାଲିଯାଇଛନ୍ତି । ଏତେ ଦିନ ଧରି ତୁମକୁ କିଛି କହିପାରି ନ ଥିଲି । ମଣିଷର ପ୍ରକୃତି ନିଜକୁ ସେ ଲୁଚେଇ ରଖେ ଅନ୍ୟଠାରୁ । ବାହାରର ରୂପକୁ ପ୍ରକାଶ କରିବାକୁ ମଣିଷ ଅନ୍ୟ ଆଗରେ ଚାହେଁ ନାହିଁ; କାରଣ ଅରୁଣା, କେବଳ ସ୍ୱାର୍ଥ । ସ୍ୱାର୍ଥବାଦ ଉପରେ ମଣିଷର ଦର୍ଶନ ମୁଣ୍ଡ ଟେକିଚି, ତେଣୁ ଏତେ ଦିନଧରି ତୁମେ ମୋ ଠାରୁ ଯାହା ଚାହିଁଚ ତା ପାଇଁ ନାହିଁ । ନ ପାଇବାର ହତାଶାରେ ତୁମେ ଭାଙ୍ଗିପଡ଼ିଚ ନିଶ୍ଚୟ । କିନ୍ତୁ ମେଜର୍‍ ମାଥୁର୍‌ ନିଜେ ଜଳୁଚି, ସେ ଛଳନା କରୁଚି, କିନ୍ତୁ ସେ ଠିକ୍‌ କରିଚି ପ୍ରତାରଣା କରିବ ନାହିଁ । ସେଥିପାଇଁ ସେ ତାର ମନ ଉପରର ପରଦା ଫିଟେଇବାକୁ ଚାହେଁ, ତୁମେ ତାକୁ ଦେଖି ନେଇପାର ଓ ବୁଝିନେଇ ପାର !

 

ମେଜର୍‍ ସାହେବ !

 

ହସିଦେଲେ ମେଜର୍‍ ସାହେବ ।

 

ବସ ଅରୁଣା ସେଇଠି, ଅରୁଣା ବସିଲା ।

 

ମେଜର୍‍ ସାହେବ ଆରମ୍ଭ କଲେ ପୁଣି—କାଲି କୋଣାର୍କରୁ ଫେରିଲା ପରେ ତୁମେ ବହୁତ ଭାଙ୍ଗିପଡ଼ିଚ ଅରୁଣା ମୁଁ ଜାଣେ, ସେଇଥିପାଇଁ ତ କହୁଚି, ସବୁ କହିବି ତମ ଆଗେ । ସେଲ୍‌ଫରୁ ଛବିଟିଏ ଟାଣି ଆଣିଲେ ମେଜର୍‍ ସାହେବ ।

 

ଏଇ ଦେଖିଚ ଛବିଟିକୁ ।

 

ଅରୁଣା ଦେଖିଲେ ।

 

ଗୋଟିଏ ବଳିଷ୍ଠ ପୁରୁଷ, ମୁହଁରେ ବାଘର ଠାଣି । ଦେହରେ ମିଲିଟାରୀ ପୋଷାକ । ପାଖରେ ଗୋଟିଏ ବନ୍ଧୁକ । ପୁରୁଷଟି ଚେୟାର ଉପରେ ଆଉଜି ବସିଚି । ଆଖି ଯୋଡ଼ିକରେ କିନ୍ତୁ ଭାରି ହତାଶା, ପାଦତଳେ ମରି ପଡ଼ିଚି ଗୋଟିଏ କୋଚିଲାଖାଇ ଚଢ଼େଇ । ଉପରେ ଗୋଟିଏ ସୂର୍ଯ୍ୟ; କିନ୍ତୁ ସେ ଫାଟି ଭାଗ ଭାଗ ହେଇଯାଇଚି । ଆଉ ସେଇ ଫାଟିଯାଇଥିବା ସୂର୍ଯ୍ୟ ଦେହରୁ ଗୋଟିଏ ଲମ୍ବ କଳାଗାର ବୋହିଆସିଚି ମରିଥିବା ଚଢ଼େଇ ପର୍ଯ୍ୟନ୍ତ । ପୁରୁଷଟି ଅନେଇ ରହିଚି ଛତର୍‌ଛାଳ ହୋଇଥିବା ସୂର୍ଯ୍ୟ ଆଡ଼କୁ ।

 

ଦେଖିଲ ? ତଳେ କଣ ଲେଖାହେଇଚି ପଢ଼ ।

 

ଅରୁଣା ପଢ଼ିଲେ ‘‘କ୍ଳାନ୍ତ ବୃହନ୍ନଳା’’

 

କିଛି ବୁଝିଲ ?

 

ଅରୁଣା ମୁଣ୍ଡ ହଲେଇଲେ ।

 

କାଲି ରାତିରେ ତମେ ଶୋଇପଡ଼ିଲା ପରେ ଏ ଛବିର ସୃଷ୍ଟି । ଛବିଟି ମୋରି ଜୀବନର ଚିତ୍ର, ଯାହା ବର୍ତ୍ତମାନ ମୁଁ ତୁମକୁ କହିବି ।

 

ନିନମେଷ ନୟନରେ ଅନେଇ ରହିଲେ ଅରୁଣା ।

 

କିଛି ସମୟ ଆଖି ବୁଜିଲେ ମେଜର୍‍ ସାହେବ । ମୁହଁରେ ପ୍ରଥମେ କିଛି ଅସ୍ୱସ୍ତି ଅନୁଭବ କଲେ ।

 

‘‘ମୁଁ ଥିଲି ମେଜର୍‌ । ବ୍ରିଗେଡ଼ିୟର୍‌ ଶର୍ମା ସାହେବ ଥିଲେ ମୋର ବନ୍ଧୁ, ଆତ୍ମୀୟ ସବୁକିଛି-। ରେଜିମେଣ୍ଟରେ କେବଳ ଯୁଦ୍ଧ କାହାଣୀ, ଯୁଦ୍ଧ, ରକ୍ତ, ବନ୍ଧୁକ, ମେସିନ୍‌ଗନ୍‌ ଆଲୋଚନାରେ ମୋର ସମୟ କଟୁଥିଲା । ତାପରେ ମୁଁ ସଂସାର କଲି । ଘରକୁ ଆସିଲେ ସଲୀଳା-। ସଲୀଳାଙ୍କ ସ୍ନେହ ପ୍ରେମରେ ମୁଁ ଭୁଲିଲି ଦେଶ, ମୋର କର୍ମସ୍ଥଳୀ ରେଜିମେଣ୍ଟ; କିନ୍ତୁ ସଲୀଳା ଥିଲେ ଆଦର୍ଶର ମୂର୍ତ୍ତିମୟା ପ୍ରତୀକ । ମତେ ପୁଣି ପଠେଇଲେ ରେଜିମେଣ୍ଟକୁ ।

ମେଜର୍‍ ସାହେବ ଦୀର୍ଘଶ୍ୱାସ ନେଲେ ।

ସେଦିନର କଥା ମୋର ମନେପଡ଼େ ଅରୁଣା । ବ୍ରିଗେଡ଼ିୟର୍‌ ଶର୍ମା ସାହେବ ଜିଦ୍‌କଲେ କାର୍‌ନେଇ ପାହାଡ଼ ଉପରେ ଥିବା ଶିବମନ୍ଦିର ଦର୍ଶନ କରିବାକୁ । ଦର୍ଶନ କରି ପାହାଡ଼ରୁ ଫେରୁଥାଉ, ବ୍ରେର୍କ ଫେଲ୍ ହୋଇଗଲା । ଗାଡ଼ି ଗଡ଼ିଲା, ଖୁବ୍ ଜୋରରେ ତଳକୁ । ବଞ୍ଚିବାର ଆଶା ନ ଦେଖି ମୁଁ ଷ୍ଟିଅରିଂକୁ ବାଁ ପଟକୁ ଡ୍ରାଇଭ୍‌ କଲି, ଗୋଟାଏ ଗଛ ଦେହରେ ମାଡ଼ ହୋଇ ରହିଗଲା ଗାଡ଼ିଟି । ବ୍ରିଗେଡ଼ିୟର୍‌ ଶର୍ମା ସାହେବ ଗୋଟିଏ ଗଛ ଦେହରେ ପିଟିହୋଇ ଚେତା ହରେଇଲେ । ମୁଁ ବି ଚେତା ହରେଇଲି । ଆମକୁ ହସ୍ପିଟାଲରେ ଏକମାସ ପାଇଁ ସେବା କରାଗଲା । ସେତେବେଳେ ବ୍ରିଗେଡ଼ିୟର୍‍ ସାହେବ ତାଙ୍କର ବାଁ ହାତର ଚାରୋଟି ଆଙ୍ଗୁଳି ହରେଇଲେ । ବାଁ ଗୋଡ଼ ହାଡ଼ ଭାଙ୍ଗି ଚୂନ୍‌ ଚୂନା ହେଇଗଲା ।

ଆଉ ମୁଁ ହରାଇଥିଲି ବାକ୍ ଶକ୍ତି । ଅନେକ ଦିନ ହସ୍ପିଟାଲରେ ରହି ମୁଁ ବାକ୍‌ଶକ୍ତି ଫେରିପାଇଲି । ବହୁଦିନ ପରେ ମୁଁ ଡାକ୍ତର ରିପୋର୍ଟ ପାଇଲି । ସବୁଠିକ୍‌ ଥିଲା । କିନ୍ତୁ ଆଜି ଜାଣୁଚି ଡାକ୍ତରମାନେ ଗୋଟିଏ ସତ୍ୟ କଥାକୁ ଲୁଚେଇ ରଖିଥିଲେ । ଯାହାପାଇଁ ମେଜର୍‍ ସାହେବ ନୂଆ ଜୀବନ ନୂଆ ସ୍ୱାଦ ପାଇଁ ଘୂରିବୁଲୁଚି ।

—କଣ ସେକଥା ମେଜର୍‍ ସାହେବ ?

—କହିବି ଅରୁଣା । କହିବା ପାଇଁ ମୋର ଆଜି ଆପତ୍ତି ନାହିଁ, କାରଣ ମେଜର୍‍ ସାହେବ ଚିରଦିନ ଏକାକୀ ଆଉ ନିଃସଙ୍ଗ ।

ବହୁଦିନ ପରେ ମୁଁ ଫେରିଲି ଘରକୁ । ଏକଥା କାହାରିକ ଜଣେଇଲି ନାହିଁ । ଏପରି ସଲୀଳାଙ୍କୁ ନୁହେଁ; କିନ୍ତୁ ସମସ୍ତଙ୍କୁ ଲୁଚେଇବି । ସଲୀଳାଙ୍କୁ ଲୁଚେଇବି କେମିତି ? ସଲୀଳା ଯେ ମୋର ପତ୍ନୀ, ମୋର ଅର୍ଦ୍ଧାଙ୍ଗିନୀ ।

ଅରୁଣାଙ୍କ ମୁହଁକୁ ରାତିର ଡେଣା ଘୋଡ଼େଇ ପକଉଚି ।

ସମସ୍ତେ ଜାଣନ୍ତି ଅରୁଣା ମୋର ପାରିବାରିକ କଳହରୁ ମତେ ସେ ତ୍ୟାଗ କରିଛନ୍ତି; କିନ୍ତୁ ତା ନୁହେଁ ।

—ଆଉ ?

ସଲୀଳା ମୋତେ ଛାଡ଼ି ଚାଲିଗଲେ । ଆଉ ମୁଁ ଆରମ୍ଭ କଲି ଜୀବନର ଏକ କଳଙ୍କମୟ ଅଧ୍ୟାୟ । ବାର୍‌ ଆଟେଣ୍ଡ କଲି, ଘୂରିବୁଲିଲି ରେସ୍ତୋରାଁ, ଡ୍ରିଙ୍କ୍‌ କଲି, ଅନେକ ନାରୀଙ୍କ ସହ ଡ୍ୟାନ୍‌ସରରେ ଯୋଗ ଦେଲି । ଆଉ ନାରୀର ନିବିଡ଼୍‌ ଆଶ୍ଳେଷଣରେ.......

‘‘ମେଜର୍‍ ସାହେବ.........

 

ମୁଁ ଜାଣେ ଅରୁଣା । ତମେ କଣ ଚାହଁ ? ତୁମ ମନକୁ ତନ୍ନ ତନ୍ନ କରି ଖୋଜିଚି ମୁଁ । ମୁଁ ଦାଖିଚି ତମ ମନର ଆଲବମରେ କେବଳ ମୋରି ଛବି । ମୋରି ପ୍ରତିକୃତି ।

 

ତମକୁ ପାଇ ମୁଁ ସଲୀଳାଙ୍କ ଦୁଃଖ ଭୁଲିଥିଲି । ପୁରୁଷ ତାର ପ୍ରଥମ ବିବାହିତା ନାରୀକୁ ଜୀବନରେ କେବେ ଭୁଲିପାରେନା, ସେ ମୃତ ହେଉ ବା ଜବୀନ୍ତ ହେଉ, ସତୀ ହେଉ ବା ଚରିତ୍ରହୀନା ହେଉ । ତେଣୁ ସଲୀଳାଙ୍କୁ ମୁଁ ଭୁଲି ନ ଥିଲି, ଆଉ ଦେଖିଥିଲି ଯେତେବେଳେ ତମ ମୁହଁରେ ସଲୀଳାଙ୍କର ମୁହଁ, ତମ ଦେହରେ ସଲୀଳାଙ୍କ ଦେହର ଗନ୍ଧ ମୁଁ ତୁମକୁ ସଲୀଳା ଭାବି ପତ୍ନୀତ୍ୱ ଦେବାକୁ ଚେଷ୍ଟା କରୁଥିଲି ।

 

ମେଜର୍‍ ସାହେବ ! ସଲୀଳାଙ୍କ ଆଖିରେ ଢଳଢ଼ଳ ପଦ୍ମ ।

 

କହିଚି ତ ଡାକ୍ତରମାନେ ସତ୍ୟକଥା କେବେ ଲେଖିନଥିଲେ । ଦିନେ ଅବିନାଶ ପାଖକୁ ଗଲି । ସେ ମୋର ଡାକ୍ତରବନ୍ଧୁ । କିନ୍ତୁ ଅବିନାଶ ପାଖକୁ ଯାଇ ମୁଁ ଫେରିଆସିଲି । କହିପାରିଲି ନାହିଁ; କାରଣ ମୋ ମନରେ ଥିଲା ଭୟ ।

 

ତାପରେ ତମେ ଆସିଲା ପରେ ମୁଁ ଖାଇଛି ପ୍ରଚୁର ଟାବଲେଟ୍‌ । ନେଇଚି ହିରୋଇନ୍‌ ଇଞ୍ଜେକ୍‌ସନ୍‌, ସବୁ ତୁମକୁ ଲୁଚେଇଛି ଅରୁଣା । ତମେ କିଛି ଜାଣିନାହଁ ।

 

ମେଜର୍‍ ସାହେବ !

 

ହଁ ଅରୁଣା, ମେଜର୍‍ ସାହେବ ଆଜି ଯେମିତି ଭାରି କ୍ଳାନ୍ତ । ମେସିନ୍‌ଗନ୍‌ ଉଠାଇବାକୁ ତାର ଆଉ ଶକ୍ତି ନାହିଁ ।

 

ଏଥରକ ତୁମେ ବୁଝି ପାରୁଥିବ ଅରୁଣା ହତାଶାର ଦାବ ଦହନ ଭିତରେ ମେଜର୍‍ ମାଥୁର୍‌ର ଜୀବନନୌକା ଚାଲିଚି ।

 

କେତେ ଭାବିଲି ଅରୁଣା ତୁମକୁ କହିବି ବୋଲି ତୁମେ ମୋତେ ଛାଡ଼ିଯାଅନା । ଯାହାକୁ ପାଣିବୋଲି ଭାବି ଧାଉଁଛ ଦୂରରୁ, ପାଖକୁ ଗଲେ ଦେଖିବ ସେ କେବଳ ମୃଗତୃଷ୍ଣା ।

 

ମେଜର୍‍ ସାହେବ ! ଅରୁଣାଙ୍କ ଆଖିରୁ ଲୁହ ଝରିଲା ଝର ଝର ।

 

ହଁ ଅରୁଣା, ମେଜର୍‍ ସାହେବ ତୁମର ଫୁସତ୍ୱହୀନ, ନପୁଂସକ ।

 

କାନରେ ହାତ ଦେଇ ବଡ଼ପାଟିରେ ଚିତ୍କାର କରିଉଠିଲା ଅରୁଣା, ମେଜର୍‍ ସାହେବ ! ସଙ୍ଗେ ସଙ୍ଗେ ସେ ଆର ଘରକୁ ଦଉଡ଼ି ପଳେଇଲେ ।

 

ପ୍ରାୟ ମାସକ ପରେ ମେଜର୍‍ ସାହେବ ପାଇଲେ ଚିଠି ଟିଏ । ଚିଠି ଖୋଲି ମେଜର୍‍ ଏକା ନିଶ୍ୱାସକେ ପଢ଼ିଗଲେ ।

 

ପ୍ରିୟ ମେଜର୍‍ ସାହେବ,

 

ଅନେକଦିନ ଯାଏ ତୁମ ପାଖେ ଅପେକ୍ଷା କଲି । ମାତ୍ର ଯେତେବେଳେ ତୁମେ ତୁମର ଦୁଃଖର କାହାଣୀ କହିବସିଲ ସେହି ଦିନ, ମୋର ଧୈର୍ଯ୍ୟଚ୍ୟୁତ ହେଲା । ତା’ପରେ ତୁମେ ମୋତେ ବାରମ୍ବାର ପ୍ରଶ୍ନ ପଚାରିଚ ଅରୁଣା ମୋ ଠାରୁ ଏସବୁ ଶୁଣିଲାପରେ ତୁମେ କଣ କରିବ ?’’ ମୁଁ ନୀରବ ରହିଚି, କିଛି କହି ପାରି ନାହି; ମାତ୍ର ମନେ ମନେ ମୁଁ ତୁମକୁ ମୋର ହୃଦୟର ଦେବତା ରୂପେ ପୂଜା କରିଆସିଚି । ତୁମେ ମୋର ପୂଜା କେବେ ଗ୍ରହଣ କରି ନାହିଁ । ତାପରେ ଯେତେବେଳେ ଶୁଣିଲି ଦିଅଁ ମୋର କେବେ ଫୁଲ ଘେନନ୍ତି ନାହିଁ ସେତେବେଳେ ତୁମର ପରାମର୍ଶ ଲୋଡ଼ିଥିଲି । ତୁମେ ମେତେ କହିଥିଲ ଜୀବନ ସାଥୀଟିଏ ବାଛି ନେବା ପାଇଁ । ମୁଁ କିନ୍ତୁ ସେଠାରୁ ଚାଲିଆସିଥିଲି ସିନା, କିନ୍ତୁ ଏଠାରେ ଗଭୀର ମନସ୍ତାପ ଓ ଅନ୍ତର୍ଦାହ ଭିତରେ ଯାଉଥିଲି ଟ୍ରେନ୍ ତଳେ ଆତ୍ମହତ୍ୟା କରିବା ପାଇଁ; ମାତ୍ର ମୋତେ ହଠାତ୍‌ ମୃତ୍ୟୁ ମୁଖରୁ ରକ୍ଷାକଲେ ଜଣେ ତୁମରି ପରି ମିଲିଟାରୀ ଅଫିସର୍‌ । ସେ ମୋତେ କଥା ଦେଇଛନ୍ତି ବିବାହ କରିବାକୁ । ଆସନ୍ତା ୨୪ ରେ ଆମର ବିବାହ ହେବ । ତମେ ଆସିବ, ଆସିବ ନିଶ୍ଚେଁ, ମୋ ରାଣ,

 

(ଇତି)

ଅରୁଣା ।

 

ମେଜର୍‍ ସାହେବ ଚିଠିଟି ପଢ଼ି ହସିଦେଲେ ଟିକିଏ ? ବାଃ ବାଃ.....ଠିକ୍ କରିଚ, ଅରୁଣା-! ଠିକ୍‌ କରିଚ, ତମ ବିବାହରେ ମୁଁ ନିଶ୍ଚୟ ଯୋଗଦେବି । ଚିଠିଟିକୁ ଭାଙ୍ଗି ମେଜର୍‍ ମାଥୁର ଡ୍ରରେ ରଖିଦେଲେ ।

 

ସେଦିନ କାରରେ ଜଣେ ପଞ୍ଜାବୀ ଭଦ୍ରଲୋକ ଆସିଲେ ତାଙ୍କ ଘରକୁ । ସେତେବେଳେ ମେଜର୍‍ ମାଥୁର୍‌ କାର୍‌ ନେଇ ଅବିନାଶ ଘରକୁ ବାହାରୁଥିଲେ । ହଠାତ୍‌ ପଞ୍ଜାବୀ ଭଦ୍ରଲୋକ ଜଣକ ପଚାରିଲେ, ଏଇଟା ମେଜର୍‍ ମାଥୁର୍‌ଙ୍କର ପ୍ଲଟ୍‌ ନାଁ ?

 

ହଁ, ମୁଁ ମେଜର୍‍ ମାଥୁର୍‌ ।

 

ତା’ପରେ ସଙ୍ଗେ ସଙ୍ଗେ ହାତ ମିଳନ ଓ ସିଗାରେଟ୍‌ ଅଫର୍‌ ।

 

ମୁଁ ରାଜୀବ୍‌ ସିଂ ସାର୍‌ ! ଆପଣଙ୍କ ପାଖକୁ ଆସିଚି । ଗୋଟାଏ ଅନୁରୋଧ ରଖିବେ ଆମର ? ଆଜି ଆମର ବିଶ୍ୱକର୍ମା ପୂଜା ଫାକଟେରୀରେ ଅନୁଷ୍ଠିତ ହେବ । ଆପଣଙ୍କୁ ନିମନ୍ତ୍ରଣ । ମୁଁ କାରରେ ଆସି ନେଇଯିବି ।

 

ବେଶ୍‌ । ଦେଖ, କେତେବେଳକୁ ? ରାଜୀବ ସିଂ କାର୍ଡ଼ ବଢ଼େଇ ସାରିଥିଲା ।

 

ଇମ୍ଫାଲ୍‌ କିଏ ? ସେ କିଏ ସେ ? ସେ କି ନୃତ୍ୟ କରିବେ ଏଠି ଏଣ୍ଟରଟେନମେଣ୍ଟ ପ୍ରୋଗାମରେ; ତା’ହେଲେ ଗୋଟାଏ ଡ୍ୟାନ୍‌ସ । ବାଃ ବାଃ ।

 

ମଣିପୁର ରାଜଧାନୀ ଇମ୍ଫାଲ୍‌ରେ ତାଙ୍କର ଜନ୍ମ । ତାଙ୍କ ନାମ ନିଜେ ଇମ୍ଫାଲ୍‌ ଦେଇଛନ୍ତି-। ଇମ୍‌ଫା ବୋଲି ଲୋକେ ଡାକୁଛନ୍ତି । ମଣିପୁରୀ ନୃତ୍ୟରେ କି ଚମତ୍କାର ତାଙ୍କର ସାଧନା । ଆପଣ ନିଜେ ଦେଖିଲେ କହିବେ । ଆଉ କାବାରେଟ୍‌ ନୃତ୍ୟରେ....ଆପଣ ନିଜେ ଚମତ୍କୃତ ହେବେ-। ଇମ୍ଫାଲ୍‌ଙ୍କର ସାଧନାର ଅନ୍ତ ନାହିଁ । ଇଣ୍ଡିଆର ଗୋଟେ ଦି ୱେଲ୍‌ । ଯାଉଚି ସାର୍‌ । ସନ୍ଧ୍ୟା ଆଠ-

 

ରାଜୀବ ସିଂ କାର୍‌ ନେଇ ଚାଲିଗଲା ।

 

ସନ୍ଧ୍ୟାବେଳକୁ ମେଜର୍‍ ସାହେବ ସୁଟ୍‌ ସାର୍ଟ ପିନ୍ଧିଲେ । ଆଖିରେ ନୂଆକରି ଗଗଲେସ୍‌ ଲଗେଇଲେ, କାରରେ ବାହାରିଗଲେ ପୂଜା ପାଖକୁ ।

ବୁଲି ବୁଲି ମେଜର୍‍ ସାହେବ ଡେକୋରେସନ୍ ଦେଖୁଥାନ୍ତି । ବିଶ୍ୱକର୍ମା ମୂର୍ତ୍ତିକୁ ପ୍ରଶଂସା କରୁଥାନ୍ତି ।

ହଠାତ୍‌ ରାଜୀବ ସିଂ ମେଜର୍‍ ସାହେବଙ୍କ ହାତ ଧରି କହିଲା, ଆସନ୍ତୁ ସାର୍ ! ଡ୍ୟାନ୍‌ସ ପରା ଆରମ୍ଭ ହେଲାଣି !

—ଆଜି କି ନୃତ୍ୟ କରିବେ ତମ ମିସ୍‌ ଇମ୍‌ଫାଲ୍‌ ? ମଣିପୁରୀ ନା କାବାରେଟ୍‌ ?

—ମଣିପୁରୀ ପାଇଁ କେହି ରାଜିହେଲେ ନାହିଁ ସାର୍‌ । କାବାରେବ୍‌ ପାଇଁ ସମସ୍ତଙ୍କର ଇଚ୍ଛା । ଇମ୍ଫାଲ୍‌ଙ୍କର ସ୍ତନ ଯୌବନ ନ ଦେଖିଲେ କେହି ଶାନ୍ତି ହେଇପାରିବେ ନାହିଁ । ସମସ୍ତଙ୍କର ମୌନ ସମ୍ମତି ।

ରାଜୀବ ସିଂ ତାଙ୍କୁ ଭିଡ଼ି ଭିଡ଼ି ଷ୍ଟେଜ୍‌ ପାଖକୁ ନେଇଗଲା ? ସହରର ସବୁ ବଡ଼ ବଡ଼ ଅଫିସର ତାଙ୍କର ମିସେସ୍‌ଙ୍କୁ ନେଇ ଆସିଛନ୍ତି । ଚାରିଆଡ଼େ ମୁଣ୍ଡର ସମୁଦ୍ର ।

ସ୍କ୍ରିନ୍‌ ଉଠିଲା । ଆଗରେ ରୂପସୀ ଇମ୍ଫାଲ୍‌ । ଦେହରେ ବସ୍ତ୍ର ନାହିଁ । ଛାତିର ପାହାଡ଼ ଉପରେ କେବଳ ଖଣ୍ଡେ କନା ଏବଂ ଅଣ୍ଟା ପାଖରେ ସେହିପରି ଖଣ୍ଡେ । ଦେହରେ ପ୍ରଚୁର ଯୌବନ ଖୁନ୍ଦି ହୋଇଯାଇଛି । ଉପସ୍ଥିତ ଜନତାର ବିପୁଳ କରତାଳି ।

ଦେହରେ ଶିହରଣ ଓ ଗରମ ରକ୍ତ ଶିରାରେ ଚଳାଇ ଚଳାଇ ଚଳାଇ ଇମ୍ଫାଲ୍‌ କାବାରେଟ୍‌ ନୃତ୍ୟ ପ୍ରଦର୍ଶନ କଲେ ।

ହଠାତ୍‌ ଗଗ୍‌ଲସ୍‌ କାଢ଼ିଲେ ମେଜର୍‍ ସାହେବ । ଚମକି ପଡ଼ିଲେ । ଏଁ !

ଏ ଯେ ସଲୀଳା !

ଠିକ୍‌ ସେଇ ରୂପ, ସେଇ ଆଖି, ସେଇ ମୁହଁ । ଏ ଅରୁଣା ନୁହଁନ୍ତି । ଅରୁଣାର ଆଖିଠାରୁ ସଲୀଳାଙ୍କର ଆଖିର ଚମକ ଅଲଗା । ଇଏ ସେଇ ସଲୀଳା, ତାଙ୍କର ପ୍ରାଣପ୍ରିୟା ପତ୍ନୀ । ଇଏ ଇମ୍ପାଲ ନୁହଁନ୍ତି । ନା–ନା–ମୋଟେ’ ନୁହେଁ । ଇଏ ସଲୀଳା ! ସଲୀଳା !

‘‘ସତେ ସଲୀଳା ତମେ ଏତେ ତଳକୁ ଖସି ଯାଇ ପାରିଲ ? ହିନ୍ଦୁ ନାରୀର ସମ୍ମାନ ଓ ଆଦର୍ଶକୁ ତମେ ରାସ୍ତାରେ ଫିଙ୍ଗିଦେଇ ପାରିଲ । ପାରିଲ ତମର ସତୀତ୍ୱକୁ ଜଳାଞ୍ଜଳି ଦେଇ ? ବୋଧହୁଏ ଭାରତର କେଉଁ କୋଣରେ ଅନେକ ବାଲ୍ୟ ବିଧବା ଦୁଃଖିନୀ ଝିଅ ଥିବେ, ସେମାନେ ବି ସ୍ୱାମୀକୁ ହରାଇ କଟାଇ ଦେଉଥିବେ ଏକା ଏକା ଜୀବନ ? କିନ୍ତୁ ତମେ ଏ କଣ କଲ ? ଯୌନତା କ’ଣ ଜୀବନରେ ଏକମାତ୍ର ସତ୍ୟ ?

ମେଜର୍‍ ମାଥୁର୍‌ ଉଠିଗଲେ ।

ରାଜୀବ ସିଂ ପଚାରିଲା, ଡ୍ୟାନ୍‌ସ ଦେଖିବେ ନାହିଁ ସାର୍‌ ? ମେଜର୍‍ ମାଥୁର ବୁଲି ଚାହିଁଲେ । ରାଜୀବ ସିଂ ମୁହଁରେ ହସ । କହିପାରିବୁ ରାଜୀବ ସିଂ ? ଇମ୍ପାଲ୍‌ ତମର ରହନ୍ତି କେଉଁଠି-?

ରାଜୀବ ସିଂ ଠିକଣା ଲେଖିଦେଲା । ମେଜର୍‍ ମାଥୁର କାରରେ ଗଲାବେଳେ ଭାବୁଥିଲେ ସେ କଣ ସତରେ ସଲୀଳା ? ସଲୀଳା ପରି ରୂପଥିବା ନାରୀ କଣ ଅନ୍ୟ କୋଉଠି ନାହାନ୍ତି ? କାହିଁ ଓଡ଼ିଶା, କାହିଁ ମଣିପୁର ? କାହିଁ ସଲୀଳା, ଆଉ କାହିଁ ଇମ୍ପାଲ୍‌ ?

ଇମ୍ଫାଲ୍‌ ଯେଉଁଠି ରହୁଥିଲେ ସେଇ ଠିକଣାରେ ଦିନେ ମେଜର୍‍ ସାହେବ ତାଙ୍କ ପାଖକୁ ଯିବାକୁ ମନସ୍ଥ କଲେ । କାରଣ ମନ ଭିତରେ ଗୋଳେଇ ହେଉଥିବା ସନ୍ଦେହକୁ ସେ କେତେଦିନ ଚପେଇ ରଖି ପାରିଥାନ୍ତେ ? ସଲୀଳା ଯଦି ସତରେ ତାଙ୍କ ପାଖରୁ ଫେରି ଆସିଥାନ୍ତି ସେ ତାଙ୍କୁ ଆଉ ଛାଡ଼ିଦେବେ ନାହିଁ । ସବୁ ଚେଷ୍ଟା କରନ୍ତି, ପ୍ରଚୁର ପଇସା ଖର୍ଚ୍ଚକରି ସେ ଯିବେ ଫରେନ୍‌ । ଆଉ ସେଇଠି ସେ ଭଲହୋଇ ଆସିବେ; କିନ୍ତୁ ଇମ୍ଫାଲ୍‌ ଯଦି ସଲୀଳା ହୋଇ ନ ଥାନ୍ତି ତାହାଲେ ?

କାରରେ ଯାଉ ଯାଉ ବାଟରେ ଶୁଣିଲେ ମିସ୍‌ ଲୀରା ରହୁଛନ୍ତି ପାଖରେ ।

ଅନ୍ତତଃ ଥରେ ତାଙ୍କ ସହ ଦେଖାକରିଯିବେ ବୋଲି ସେ ଚାହିଁଲେ ।

ଫ୍ଲାଟ୍‍ ଉପରୁ ଲୀରା ଆକାଶ ଦେଖୁଥିଲେ । ଦେଖୁଥିଲେ ଭାସିଯାଉଥିବା ମେଘମାନଙ୍କୁ-

ତଳକୁ ଚାହିଁ ସେ ନିଜ ଆଖିକି ବିଶ୍ୱାସ କରିପାରିଲେନି । କାରଣ କାର୍‌ରୁ ଓହ୍ଲାଇ ଯିଏ ଆସୁଥିଲେ, ସେ ଥିଲେ ବହୁଦିନର ପରିଚିତ ମେଜର୍‍ ସାହେବ ।

ଦିନେ କୌଣସି ଏକ ପୁରୁଷ ବନ୍ଧୁସହ ରାତ୍ରିଯାପନ କଲାବେଳେ ବନ୍ଧୁଜଣକ କହିଥିଲେ, ବୁଝିଲ ଡାର୍ଲିଂ ! ମେଜର୍‍ ସାହେବ ଲୋକକୁ ଜାଣ ତୁମେ ? ଲୋକଟା ସୁଇସାଇଡ଼୍‌ କରିଦେଲା ।

ମିସ୍‌ ଲୀରା ଉତ୍ତର ଦେଇନଥିଲେ । ମେଜର୍‍ ସାହେବଙ୍କର ସୁଇସାଇଡ଼୍ କରିବାର କାରଣ ଥିଲା ଯଥେଷ୍ଟ । କାରଣ ସେ ଥିଲେ ପୁଂସତ୍ୱହୀନ । ଅନେକ ନାରୀଙ୍କ ସହ ବିଫଳ ଅଭ୍ୟାସ ପରେ ସେ ଅନ୍ତର୍ଦାହ ଭିତରେ ଜୀବନ ହରେଇ ଦେଇଥିବେ । ନୋ ଡାଉଟ୍‌ ।

କିନ୍ତୁ ଆଜି ସେ ଆଶ୍ଚର୍ଯ୍ୟ ପୂରାପୂରି ।

ଲୀରା କିନ୍ତୁ ପାଛୋଟି ନେବାକୁ ଆଗେଇ ଆସିଥିଲା ମେଜର୍‍ ସାହେବଙ୍କୁ ।

‘‘ହ୍ୟାଲୋ ଡିଅର୍‌ ମେଜର୍‍ ସାହେବ !’’

‘‘ହ୍ୟାଲୋ ଡାର୍ଲିଂ ମିସ୍‌ ଲୀରା !’’

କଣ ବହୁଦିନ ପରେ ଦେଖା ମେଜର୍‍ ସାହେବ ? ବମ୍ବେରୁ କେବେ ଫେରିଲେ ?

ଆରେ ତୁମ ଖବର କୁହ । ତୁମ ମିଷ୍ଟର କାହାନ୍ତି ?

ମିଷ୍ଟର ! ମୋର ମିଷ୍ଟର୍‌ । ଲୀରା ହସିଲା ପାଗଳୀଙ୍କ ପରି । ସଂସାରର ପଡ଼ିଆରେ ମୋ ଜୀବନଟା ଗୋଟାଏ ଫୁଟୁବଲ୍‌ ମେଜର୍‍ ସାହେବ । ମୋତେ ଯାହାର ଇଚ୍ଛା ସିଏ ନେଇ ଖେଳୁଛନ୍ତି । କାହାରି ପାଇଁ ଆପତ୍ତି ମୋର ନାହିଁ । ଆକାଶକୁ ଉଠୁଚି ପୁଣି ମାଟି ଉପରେ ଗଡ଼ୁଚି । ଏହି ମୋର ଜୀବନ । ସେଦିନ ତୁମକୁ ମିଛ କହିଥିଲି । ନାରୀର ପ୍ରକୃତି ସେ ନିଜର ପ୍ରିୟକୁ ହତାଶ ହେବାର ଦେଖିଲେ ବହୁ ମିଛ କଥା କହେ । ତାହା ହିଁ ମୁଁ କହୁଛି ।

ଆଉ ବର୍ତ୍ତମାନ ?

ବର୍ତ୍ତମାନ ? ହେଇ ସେଇ ଯେଉଁ ଦେଖୁଚ ହୋଟେଲଟା, ନାଲି ହୋଟେଲ୍‌, ସେଠାରେ ରିସେପ୍‌ସନିଷ୍ଟ୍‌ ରହିଚି ।

ଓଃ.....ହସିଲେ ମେଜର୍‍ ସାହେବ ।

କେତେଥର ଆସିଚ ମେଜର୍‍ ସାହେବ । ବହୁତ ଦେଇଛ କିନ୍ତୁ କିଛି ତ ନେଇ ନାହଁ ?

ସବୁଦିନ ଆସିବି ଡାର୍ଲିଂ । ମୋର ଆସିବା କେବେ ଶେଷ ହେବନାହିଁ । ଦେବାର ଶକ୍ତି ଅଛି ସିନା, ପାଇବାର ଗୌରବ ମୋର ନାହିଁ, ମୋର ଶୂନ୍ୟ ନୀଡ଼ ଭାରି ଏକଲା । ସେଠି କେବଳ ଝଡ଼ ବତାସ ପିଟା ଖାଇଅଛି କେବଳ ମୁଁ । ଆଉ କେହି ସାଥୀ ହେବାର ଭରସା ନାହିଁ ମୋର ।

ଆଜି ରହନ୍ତୁ ମେଜର୍‍ ସାହେବ, କଥା ଅଛି ?

ନା–ନା କ୍ଷମାକର, ଡାର୍ଲିଂ । ଆଉ ଦିନେ ଆସିବି, ସେତେବେଳେ ମନ ଭରି ତୁମ କଥା ଶୁଣିବି । ଆଜି ଯାଉଚି ଗୋଟିଏ ହଜିଲା ରତ୍ନ ସନ୍ଧାନରେ ।

ହଉ, ଆସିବେ ନିଶ୍ଚୟ ।

ମେଜର୍‍ ସାହେବ ବିଦାୟ ନେଇ ଚାଲିଗଲେ ।

ସେଇଠି ରହୁଥିଲେ କାବାରେଟ୍‌ ଡ୍ୟାନ୍‌ସର ମିସ୍‌ ଇମ୍ଫାଲ୍‌ । ସାଙ୍ଗରେ ଆଉ ଦୁଇଟି ମଣିପୁର ଅଙ୍ଗନା ଓ ଗୋଟିଏ ପୁରୁଷ ।

ମେଜର୍‍ ମାଥୁର୍‌ କାର୍‌ ନେଇ ପହଞ୍ଚିଲେ ସଙ୍ଗେ ସଙ୍ଗେ । ଏଠାରେ ଇମ୍ଫାଲ୍‌ ରହୁଛନ୍ତି ତ-?

ଝିଅଟିଏ ବାହାରି ଆସି ପଚାରିଲା ହଁ ଆସନ୍ତୁ । ମେଜର୍‍ ମାଥୁର୍‌ଙ୍କୁ ଗୋଟିଏ ସୁନ୍ଦର ସୋଫାରେ ବସାଇ ଦିଆଗଲା ଏବଂ ସଙ୍ଗେ ସଙ୍ଗେ କଫି ଦିଆଗଲା ।

ଇମ୍ଫାଲ୍‌ କାହାନ୍ତି ? ତାଙ୍କ ସାଙ୍ଗରେ ମୋର କଥାବାର୍ତ୍ତା ଅଛି । ଅନ୍ୟ ଝିଅଟିଏ ଉତ୍ତରଦେଲା, ଆପଣ ଅପେକ୍ଷା କରନ୍ତୁ ସାହେବ ! ଇମ୍ଫାଲ୍‌ ଭିତରେ ଅଛନ୍ତି, ସେ ଆସିବେ ।

କିଛିକ୍ଷଣ ପରେ ଆସିଲେ ଇମ୍ଫାଲ୍‌ । ଆଖିରେ ସୁର୍ମା, ଓଠରେ ମହୁବୋଳା ରକ୍ତିମା ଗଣ୍ଡଦେଶରେ ଗୋଲାପୀ ଚୂର୍ଣ୍ଣ । ରୂପସୀ ଇମ୍ଫାଲ୍‌, ନର୍ତ୍ତକୀ ଇମ୍ଫାଲ୍‌ ।

 

ସୁନ୍ଦର କଳ କଳ କଣ୍ଠ, ମୋ ସାଙ୍ଗରେ କଥା ଥିଲା ସାହେବ ?

 

ସଲୀଳା ! ତୁମେ ?

 

ଇମ୍ଫାଲ୍‌ ଆଶ୍ଚର୍ଯ୍ୟ ହେଲେ ? ପଚାରିଲେ ହଠାତ୍‌, ସଲୀଳା କିଏ ସାହେବ ? ମୁଁ ସଲୀଳା ନୁହେଁ ଇମ୍ଫାଲ୍‌ । ଆମେ ମଣିପୁରରୁ ଆସିଛୁ ।

 

ନିଜେ ନିଜର ଭୁଲ୍‌ ବୁଝି ପାରିଲେ ମେଜର୍‍ ସାହେବ; କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ମିସ୍‌ ଇମ୍ଫାଲ୍‌ ଆପଣଙ୍କର ରୂପ ସଙ୍ଗେ ସଙ୍ଗେ ମୋର ସ୍ତ୍ରୀ ସଲୀଳାଙ୍କର ଅଦ୍ଭୁତ ସାମଞ୍ଜସ୍ୟ ଅଛି । ହେଇ ତାଙ୍କ ଫଟୋ ନେଇ ଦେଖନ୍ତୁ । ମେଜର୍‍ ସାହେବ ଗୋଟିଏ ଫଟୋ ବାହାର କଲେ । ଲାଜେଇ ଯିବାର ଛଳନା କରୁଥିଲେ ମିସ୍‌ ଇମ୍ଫାଲ୍‌ । ଫଟୋଟି ଉପରେ ଦୁଇଟି ଝିଅ ଝୁଙ୍କି ପଡ଼ିଥିଲେ ଓ ବାରମ୍ବାର ଚାହୁଁଥିଲେ ଇମ୍ଫାଲ୍‌ର ମୁହଁକୁ ।

 

ମେଜର୍‍ ସାହେବ ଅନ୍ୟମନସ୍କ ଥିଲେ ଯେତେବେଳେ, ଆଉ ଯେତେବେଳେ ଦୁଇଟି ଝିଅ ଫଟୋଟିକୁ ନିରୀକ୍ଷଣ କରୁଥିଲେ, ସେତେବେଳେ ନିଜର ପଣତ କାନିରେ ଆଖିରୁ ଲୁହ ପୋଛି ନେଲେ ଇମ୍ଫାଲ୍‌ । ଅତୀତ ଆଜି ମନେପଡ଼ୁଚି । ଆଗରେ ବସିଛନ୍ତି ତାଙ୍କରି ଆଦରର ସ୍ନେହର ଆଉ ପ୍ରାଣପ୍ରତିମ ଦେବତା, କିନ୍ତୁ ସେ କଣ ଆଉ ଫେରିଯାଇ ପାରିବେ ପୁଣି ସ୍ୱାମୀଙ୍କର ସଂସାରକୁ । ତାଙ୍କ ପାଖରେ ସତେ ଆଉ କଣ ଅଛି ?

 

ନା ଏ ଜୀବନ ବେଶ୍‌ ଭଲ । ଭଲ ଏଇ ।

 

ସେ କାଲି ଚାଲିଯିବେ ପୁଣି ମଣିପୁର, ଓଡ଼ିଶାରୁ ।

 

ମୋର ଗୋଟିଏ ଅନୁରୋଧ ରଖିବେ ମିସ୍‌ ଇମ୍ଫାଲ୍‌ । ଆଉ ସେଇ ଅନୁରୋଧର ବିନିମୟରେ ମୁଁ ତୁମକୁ ଦେବି ପ୍ରଚୁର ଅର୍ଥ । ପ୍ରଚୁର ଟଙ୍କା, ଚାହିଁ ମୋର ଦ୍ୱିତଳ ପ୍ରାସାଦଟା ?

 

କଣ ତୁମର ଅନୁରୋଧ ମେଜର୍‍ ସାହେବ ?

 

ଏ ସବୁର ବିନିମୟରେ ତୁମେ କେବଳ ଏ ନର୍ତ୍ତକୀର ବେଶଭୂଷା ଛାଡ଼ିଦେବ ମିସ୍‌ ଇମ୍ଫାଲ୍ ! ତୁମେ କେବଳ ଓଡ଼ିଆ ଘରର ଲଳନା ପରି ଚଳିବ । ସର୍ତ୍ତଠାରୁ ଆଉ ପଦେ ମଧ୍ୟ ମୁଁ ଆଗେଇବି ନାହିଁ ।

 

ଅଦ୍ଭୁତ ତୁମର ଖିଆଲ । ଆଶ୍ଚର୍ଯ୍ୟ ତୁମର ସର୍ତ୍ତ । ମେଜର୍‍ ସାହେବ ସମ୍ପୂର୍ଣ୍ଣ ପ୍ରକୃତିସ୍ଥ ଅଛନ୍ତି ତ ?

 

ହଁ ମେଜର୍‍ ସାହେବ ଯାହା କୁହେ, ତାହାହିଁ କରେ । କେବଳ ତୁମକୁ ସବୁ ବେଳେ ଦେଖି ସେ ନିଜ ଭିତରେ ସଲୀଳାଙ୍କୁ ସାଇତି ରଖିବ ମିସ୍ ଇମ୍ଫାଲ୍‌ । ତୁମେ କୁହ ? ତୁମେ କୁହ ଇମ୍ଫାଲ୍‌, ମୋ ଅନୁରୋଧ ରଖିବ ନାହିଁ ?

 

ମେଜର୍‍ ମାଥୁର୍‌ଙ୍କ ଆଖିରେ ଲୁହ ।

 

ମେଜର୍‍ ସାହେବ ! ଆପଣ ପିଲାଙ୍କ ପରି କାନ୍ଦୁଛନ୍ତି; ଅନ୍ୟ ଦୁଇଟି ମଣିପୁରୀ ଝିଅ ତାଙ୍କ ଆଖିରୁ ଲୁହ ପୋଛିଦେଲେ ।

 

ଆପଣ ମତେ ଆଜି ରାତିକ ପାଇଁ ଭାବିବାକୁ ସମୟ ଦିଅନ୍ତୁ ମେଜର୍‍ ସାହେବ ! ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଆପଣଙ୍କ କଥାକୁ ମୁଁ ଚିନ୍ତା କରି ଦେଖିବି ।

 

ମେଜର୍‍ ସାହେବ କହିଗଲେ, କାଲି ପୁଣି ମୁଁ ଆସିବି ମିସ୍‌ ଇମ୍ଫାଲ୍‌ । ମନେ ରଖିବେ ମୋର ଅନୁରୋଧ । ଏଁ ? ସେଦିନ ରାତିରେ ମିସ୍‌ ଇମ୍ଫାଲ୍‌ ଶୋଇପାରିଲେ ନାହିଁ । ମେଜର୍‍ ମାଥୁର ଫଟୋଟିକୁ ଛାଡ଼ି ଚାଲି ଆସିଥିଲେ । ସେଇ ଫଟୋଟିକୁ ଛାତିରେ ଜାକି ବହୁତ କାନ୍ଦିଲେ ସେ । ଏଇ ଫଟୋଟିକୁ ସେ ଉଠେଇଥିଲେ ଆଜିକି ଅନେକ ଦିନ ତଳେ, ଆଉ ଚତୁର୍ଥୀ ରାତ୍ରିଦିନ ସେ ଫଟୋଟିକୁ ଉପହାର ଦେଇଥିଲେ ମେଜର୍‍ ସାହେବଙ୍କୁ ।

 

‘‘ସ୍ମୃତି ! ସତେ ତୁମେ କେଡ଼େ ନିଷ୍ଠୁର ସ୍ମୃତି ! କାହିଁକି ଆସ ତୁମେ ନୀରବରେ ଛପି ଛପି, ଏଇ ମନକୁ ଜଳାଇବାକୁ କାହିଁକି ଆସ ତୁମେ ? ଏ ରାତିରେ ଯେତେବେଳେ ମଣିଷ ଚାହେଁ ପୂର୍ଣ୍ଣମୀର ଜହ୍ନ ଦେଖିବା ପାଇଁ, ତୁମେ କାହିଁକି ତା ଆଖିରୁ ଶ୍ରାବଣୀ ଝରାଅ ସ୍ମୃତି । ତୁମେ ବଡ଼ ନିଷ୍ଠୁର ସ୍ମୃତି !’’

 

ନିରୋଳା ରାତିରେ କିଏ ଗୀତ ଗାଉଚି ? ଶବ୍ଦର ଅର୍ଥ ସାଇତି ହେଇ ରହିଯାଉଚି ଇମ୍ଫାଲ୍‌ଙ୍କ ହୃଦୟରେ ।

 

ଇମ୍ଫାଲ୍‌ ଲୁହ ପୋଛିଲେ ।

 

ସେ ସତେ କଣ ପାରିବେ ମେଜର୍‍ ସାହେବଙ୍କ ଅନୁରୋଧ ରଖି । ନା, ସେ ପାରିବେ ନାହିଁ, ପାରିବେ ନାହିଁ । ଏ ଅପବିତ୍ର ଶରୀର ନେଇ ତାଙ୍କୁ ଉପହାର ଦେଇ ପାରିବେନାହିଁ । ଆଉ ସେ କଣ ସତରେ ଯେଉଁ ନିର୍ମମ ବାସ୍ତବକୁ ବଡ଼ ବୋଲି ଭାବି, ମାଡ଼ିମକଚି ଆସିଥିଲେ, ସେଇ ଶୁଷ୍କ ଆଦର୍ଶକୁ ପୁଣି କ’ଣ କୋଳେଇ ନେଇ ପାରିବେ ?

 

ମନ କହିଲା ସେ ପାରିବେ ନାହିଁ । ନା–ନା–

 

ମେଜର୍‍ ସାହେବ ତା’ପରଦିନ କାର୍‍ ନେଇ ଇମ୍ଫାଲ୍‌ଙ୍କ ରୁମରେ ପହଁଞ୍ଚିଲାବେଳକୁ କେହି ନ ଥିଲେ । ଘର ଖୋଲା ପଡ଼ିଥିଲା ଓ ଅନ୍ୟ ଜଣେ ଭଡ଼ାଟିଆ ସେଠାରେ ରହିବାପାଇଁ ତାର ଜିନିଷପତ୍ର ସଜଡ଼ାସଜଡ଼ି କରୁଥିଲା ।

 

ମେଜର୍‍ ସାହେବ ପଚାରିଲେ ଇମ୍ଫାଲ୍‍ ଏଠି ପରା ଥିଲେ ?

 

ଆଗରେ ଖୋଜ ?

 

ନା–ନା–ଏଇ ଘର । ଏଟା ଇମ୍ଫାଲ୍‍ଙ୍କର ।

 

ଲୋକଟା ଆଶ୍ଚର୍ଯ୍ୟ ହୋଇ ଘର ମାଲିକକୁ ଡାକିଲା ।

 

ଘରମାଲିକ ତାଙ୍କୁ କିଛି ସମୟ ଚାହିଁ କହିଲା, ଆପଣ ମେଜର୍‍ ସାହେବ ?

 

ହଁ ହଁ, ମୁଁ ମେଜର୍‍ ସାହେବ । ଇମ୍ଫାଲ୍‌ !

 

ସେ ଚାଲିଯାଇଛନ୍ତି । କହିଲେ ଆରବର୍ଷ ବର୍ଷାବେଳକୁ ତାଙ୍କର ଓଡ଼ିଶା ଆସିବାର ଅଛି-। ଯଦି ସେ ଆସନ୍ତି, ଆପଣଙ୍କ ପାଖେ ରହିବେ ।

 

ଚିଠି, କି କିଛି ଦେଇ ନାହାନ୍ତି ?

 

ନାଁ ନାଁ–

 

ଇମ୍ଫାଲ୍‌ ! ତମେ ବି ମୋତେ ଶେଷକୁ.... ମେଜର୍‍ ମାଥୁର୍‌ କାନ୍ଦିପକେଇ ଷ୍ଟିଅରିଂ ଧରିଲେ ।

 

ଘରେ ପହଞ୍ଚିବା ମାତ୍ରେ ପୋଷ୍ଟପିଅନ୍‌ ବଢ଼େଇଦେଲା ଦୁଇଟି ଚିଠି ।

 

ଡିଅର୍‌,

 

ଦୁଃଖ କରିବ ନାହିଁ । ମୁଁ କିଛି କାମରେ ଚାଲି ଯାଉଚି ମଣିପୁର । ସେଠାରୁ ଯିବି ଡେରାଡ଼ୁନ୍ ।

 

ଡେରାଡ଼ୁନ୍‌ରୁ ଫେରି ମୁଁ ତମ ପାଖକୁ ଫେରିଆସିବି ନିଶ୍ଚୟ । ଆଉ ତୁମର ଅନୁରୋଧ ମୁଁ ନିଶ୍ଚୟ ରଖିବି । ତୁମେ ସଲୀଳାଙ୍କୁ ଭାରି ଭଲ ପାଅ ନା ? ବେଶ୍‌ ଇମ୍ଫାଲ୍‌ ତୁମର ସଲୀଳା ହୋଇ ତୁମ ପାଖକୁ ଫେରି ଆସିବ ।

 

।। ଇତି ।।

ଇମ୍ଫାଲ୍

 

No–No–Never ତୁମେ ଇମ୍ଫାଲ୍‌ ନୁହଁ । ତୁମେ ସଲୀଳା, ସଲୀଳା—ତୁମେ ଠକି ଦେଇ ଚାଲିଗଲ ସଲୀଳା !

 

ସେଦିନ ରାତିରେ ମେଜ୍‌ର ମାଥୁର୍‍ ଜରରେ ପଡ଼ିଲେ । ତା’ପରଦିନ ତାଙ୍କ ଦେହରେ ବସନ୍ତ ବାହାରିଲା । ମେଜର୍‍ ସାହେବ ଶୋଇପଡ଼ି ପାଖରେ ପଡ଼ିଥିବା ଆର ଚିଠିଟିକୁ ଖୋଲିଲେ ।

 

ଏଁ.....ବିଶ୍ୱଚିତ୍ରକର ସମ୍ମିଳନୀରେ ତାଙ୍କ ‘‘କ୍ଳାନ୍ତ ବୃହନ୍ନଳା’’ ଛବିଟି ପ୍ରଥମ ହେଇଚି । ସେଥିପାଇଁ ସେ ମେଡ଼ାଲ୍‌ ପାଇବେ ।

 

ଏତେ ଆନନ୍ଦ ଭିତରେ ସଲୀଳା ତାଙ୍କ ପାଖରେ ନାହାନ୍ତି । ମେଜର୍‍ ସାହେବ ଜରରେ ପ୍ରଳାପ କରି ଉଠୁଥିଲେ । ବେଳେ ବେଳେ କହୁଥିଲେ, ତୁମେ କେବେ ଫେରିବ ଇମ୍ଫାଲ୍ ? My darling ! My heart !

Image